ଭୁବନେଶ୍ୱର : ଓଡ଼ିଶାର ୨ଲକ୍ଷ ୪୫ ହଜାର ଯୁବକ ଯୁବ କଂଗ୍ରେସର ସଦସ୍ୟତା ଗ୍ରହଣ କଲେ । ଗତ ମାର୍ଚ୍ଚ ୭ ତାରିଖରୁ ସାରା ଓଡ଼ିଶାର ୩୩ ଟି ସାଂଗଠନିକ ଜିଲ୍ଲାରେ ନୂତନ ଯୁବ କଂଗ୍ରେସ ସଦସ୍ୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲୁରହିଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ନୂତନ ଭାବରେ ଯୁବ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିବା ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଧନ୍ୟବାଦ ଦେବା ସହିତ ପ୍ରତ୍ୟେକ ଯୁବ କଂଗ୍ରେସ କର୍ମୀ ଏବଂ ନେତୃବର୍ଗ ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଅତି ଶୃଙ୍ଖଳିତ ଏବଂ ନିଷ୍ଠାପର ଭାବରେ କରିଛନ୍ତି ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଇଛନ୍ତି । ଏହି ଯୁବ କଂଗ୍ରେସ ସଦସ୍ୟତା କାର୍ଯ୍ୟକ୍ରମ ଡିଜିଟାଲ ମାଧ୍ୟମରେ ହୋଇଥିଲା । ୧୮ ରୁ ୩୫ ବର୍ଷ ବୟସସୀମା ରହିଥିଲା, ଜଣେ ଯୁବକ ୬ଟି ପର୍ଯ୍ୟାୟ ଅତିକ୍ରମ କଲାପରେ ସଦ୍ୟସତା ହୋଇଥାଏ । ଜଣେ ସଦସ୍ୟ ନିଜ ପକେଟରୁ ୫୦ ଟଙ୍କା ଦେୟ ଦେଇ ସଦସ୍ୟତା ଗ୍ରହଣ କରିବାକୁ ପଡ଼ିଥାଏ । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଯୁବବର୍ଗମାନଙ୍କର ଆଶା, ଆଙ୍କାକ୍ଷା ପୂରଣ କରିବା ପାଇଁ କଂଗ୍ରେସ ହିଁ ଏକମାତ୍ର ଦଳ । ଏତେ ସଂଖ୍ୟକ ଯୁବକ ଯୁବତୀ ଯୁବକଂଗ୍ରେସର ସଦସ୍ୟତା ଗ୍ରହଣ କରିବା ସ୍ପଷ୍ଟ ଭାବରେ ସୂଚାଉଛି ଯେ ଯୁବକମାନେ କଂଗ୍ରେସ ଦଳର ନୀତି, ଆଦର୍ଶକୁ ପୂର୍ଣ୍ଣମାତ୍ରାରେ ବିଶ୍ୱାସ କରୁଛନ୍ତି । ଆସନ୍ତା ଦିନରେ କଂଗ୍ରେସ ଓଡ଼ିଶାର ଯୁବକ ଯୁବତୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସବୁ ସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଲଢ଼ିବ । ସାରା ଓଡ଼ିଶାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଆସନ୍ତା ଦିନରେ ଏହି ଯୁବଶକ୍ତିକୁ ନେଇ ଏ ଅତ୍ୟାଚାରୀ ଜନବିରୋଧି ସରକାର ବିରୋଧରେ ତୀବ୍ରତର ଲଢ଼େଇ ହେବ । ସାରା ଓଡ଼ିଶାକୁ ଯୁବ ଶକ୍ତିର ଏକ ଉତ୍ସରୂପେ ଗଢ଼ାଯିବ ।