ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳି ପାଇଁ ବଳି ପଡ଼ୁଛନ୍ତି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର । ନିକଟରେ ସମାପ୍ତ ବିଧାନସଭା ଅଧିବେସନରେ ଓଡ଼ିଶାର ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୧୨,୨୫, ୭୨୫ ପରିବାର ଆବାସ ଯୋଜନାରେ ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ମାତ୍ର ଏହି ସଂଖ୍ୟା ୨୦ଲକ୍ଷରୁ ଉର୍ଦ୍ଧ ହେବ । ରାଜ୍ୟ ସରକାର ୮ଲକ୍ଷ ଘର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ତାହା ଦେଇ ନାହାନ୍ତି । ଦୀର୍ଘ ୨ ବର୍ଷଧରି ଆୱାସ ପ୍ଲସ ପୋର୍ଟାଲ ଅକାମୀ ହୋଇ ପଡ଼ିଛି । ଆବାସ ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଛି ବୋଲି କେନ୍ଦ୍ର ସରକାର ଅଭିଯୋଗ ଆଣିଛନ୍ତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱଛତାର ସହିତ ଆବାସ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ନ ଦେଲେ, କେନ୍ଦ୍ର ସରକାର ୮ଲକ୍ଷ ଘର ପାଇଁ ଅର୍ଥ ଦେବେ ନାହିଁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଣାଇ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ଭିତରେ ଏହି କଳି ପାଇଁ ଓଡ଼ିଶାର ପ୍ରାୟ ୨୦ଲକ୍ଷ ପରିବାର ଚରମ ଦୁର୍ଦ୍ଦିନ ଭିତରେ କାଳତିପାତ କରୁଛନ୍ତି । ସେମାନଙ୍କ ମୁଣ୍ଡ ଉପରେ ପକ୍କା ଛପର ନାହିଁ । ବର୍ତମାନ ଲଗାଣ ବର୍ଷାରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ସେମାନଙ୍କ ଏହି ଦୁର୍ଦ୍ଦଶା ସମୟରେ କେନ୍ଦ୍ର ଓ ରାଜ୍ୟ ଭିତରେ ଏଭଳି କଳି ସେମାନଙ୍କ ପ୍ରତି ଉପହାସ ଓ କଟା ଘା’ରେ ଚୂନ ବୋଲିି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ଦାସ କହିଛନ୍ତି ୬ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୦୨୨ ମସିହା ସୁଦ୍ଧା କଚ୍ଚାଘରେ କେହି ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶା କ୍ଷେତ୍ରରେ ଆଜିବି ଲକ୍ଷ ଲକ୍ଷ ପରିବାର ଘର ପାଇବା ପାଇଁ ଅନେଇ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ବିଧାନ ସଭାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ବର୍ତମାନ ସୁଦ୍ଧା ୨୩ ଲକ୍ଷ ୮୨ ହଜାର ୮୮୪ ପରିବାର ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କାଘର ପାଇଛନ୍ତି । ମାତ୍ର ସେଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି । ଅନେକ ଘର ତିଆରି ନହୋଇ ବିଲ୍ ଉଠିଛି । ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ରାଜନୈତିକ ପକ୍ଷପାତିତା କରି ଘର ଦିଆଯାଇଛି । ଧନୀ ଓ ପକ୍କାଘର ଥିବା ଲୋକ ଆବାସ ଯୋଜନାରେ ଘର ହାତେଇଛନ୍ତି । ଅନ୍ୟପଟରେ ଲକ୍ଷ ଲକ୍ଷ ଆଦିବାସୀ ଓ ଦଳିତ ପରିବାର ଘର ପାଇପାରି ନାହାନ୍ତି । କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି । ଓଡ଼ିଶାବାସୀ ମଧ୍ୟ ଆବାସ ଯୋଜନା ପ୍ରଣୟନକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ତେଣୁ ଏହା ଉପରେ ଏକ ସ୍ୱେତପତ୍ର ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି । ଆବାସ ଯୋଜନା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ଓଡ଼ିଶା ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଭିତରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଲେ ୮ଲକ୍ଷ ଘର ପାଇଁ ଅର୍ଥ ପ୍ରଦାନ କରାଯିବ ବୋଲି କହିବାକୁ କଂଗ୍ରେସ କଟାକ୍ଷ କରିଛି । ଶ୍ରୀ ଦାସ କହିଛନ୍ତି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କର ଅଧସ୍ତନ ନୁହନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ମାଗିବା ସଂଘୀୟ ଗଣତନ୍ତ୍ର ପ୍ରତି ଅସମ୍ମାନ । କେନ୍ଦ୍ରମନ୍ତ୍ରୀ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସେ ଏପରି ଲିଖିତ ପ୍ରତିଶ୍ରୁତି ମାଗି ପାରିଥାଆନ୍ତେ । ସେଥିରେ କୌଣସି ଅସଙ୍ଗତି ନାହିଁ । କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କୌଫତ ବା ପ୍ରତିଶୃତି ମାଗିବା ଶୋଭାପାଏ ନାହଁ । ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି ବିଜେଡ଼ି ଏତେ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନାହିଁ । ଭୟ ବା ଭକ୍ତି ଏହାର କାରଣ କି ବୋଲି ଶ୍ରୀ ଦାସ କଟାକ୍ଷ କରିଛନ୍ତି । ଶୁକ୍ରବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁଦର୍ଶନ ଦାସଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ ।