ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ୍‌.ଭାସ୍କର ରାଓ ନକ୍ସଲମାନଙ୍କୁ ଅର୍ଥ ସହାୟତା ଦେବା , କ୍ରାଇମବ୍ରାଞ୍ଚ ତଦନ୍ତ ହେଉ

ଭୁବନେଶ୍ୱର :ଶନିବାର ଦିନ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରି ପିସିସି ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ରାୟଗଡ଼ାର ଶାସକ ଦଳର ନେତା ତଥା ପୂର୍ବତନ ରାଜ୍ୟସଭା ସଭ୍ୟ ଏନ୍‌.ଭାସ୍କର ରାଓଙ୍କ ବିରୋଧରେ ନକ୍ସଲମାନଙ୍କୁ ଅର୍ଥ ସହାୟତା ଦେଉଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଶ୍ରୀଯୁକ୍ତ ବେହେରା ଅଭିଯୋଗ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ରଖି ଉଲ୍ଲେଖ କରିଛନ୍ତି ଯେ ରାୟଗଡ଼ା ଟ୍ରକ ମାଲିକ ସଂଘର ସଦସ୍ୟ ଗଣମାଧ୍ୟମ ସାମନାରେ ନକ୍ସଲଙ୍କୁ ଅର୍ଥ ସହାୟତା ନିମନ୍ତେ ସେମାନଙ୍କ ଠାରୁ ଟ୍ରକ ପିଛା ୫୦ ଟଙ୍କା ଚାନ୍ଦା ଆଦାୟ କରାଯାଉଥିବା କହିଛନ୍ତି । ଏହି ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ । ଟ୍ରକ ମାଲିକ ସଂଘ ଗତ ୧୮.୪.୨୦୨୩ ରେ ରାୟଗଡ଼ା ଥାନରେ ଆର୍ଥିକ ଅନିୟମିତତା ଓ ତୋଷାରପାତର ଅଭିଯୋଗ ମଧ୍ୟ କରିଛନ୍ତି ପୂର୍ବତନ ସାଂସଦଙ୍କ ବିରୋଧରେ । ପୋଲିସ ଉଭୟ କ୍ଷେତ୍ରରେ ନିରବ । ସୁତରାଂ ଆଇନ ତା ବାଟରେ ଯାଉଛି ? ନିଜ ବାଟରେ ନା ବିଜେଡ଼ି ବାଟରେ ? ଏବେ “ଆଉ ଆଇନ ତା ବାଟରେ ଯିବ” ବୋଲି ଦମ୍ଭୋକ୍ତି ଶୁଣିବାକୁ ମିଳୁ ନାହିଁ କାହିଁକି ? ଶ୍ରୀ ବେହେରା ଦର୍ଶାଇଥିଲେ ଯେ ଦୀର୍ଘ ୧୧ ଦିନ ବିତିଯାଇଥିଲେ ମଧ୍ୟ, ଜିଲ୍ଲା କଂଗ୍ରେସ ତରଫରୁ ସାଂସଦ ସପ୍ତଗିରି ଉଲ୍ଲାକା ଓ ଜିଲ୍ଲା ସଭାପତି ଗତ ୨୫.୪.୨୦୨୩ ରେ ସାମ୍ବାଦିକ ସମ୍ମିଳନୀ ଡାକି ତଦନ୍ତ ଦାବି କରିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ଏହି ପ୍ରସଙ୍ଗରେ ମିଡିଆ ଅଧ୍ୟକ୍ଷ ପ୍ରଶ୍ନ କରିଥିଲେ ଯେ ସରକାର କାହା ସ୍ୱାର୍ଥରେ ? ଆଇନ ସାଥୀରେ ନାଁ ଅପରାଧୀଙ୍କ ସାଥିରେ ? ଦ୍ୱିତୀୟରେ ନକ୍ସଲ ମୁକାବିଲା ମାମଲାରେ ସରକାର ଓ ସରକାରୀ ଦଳ ମଧ୍ୟରେ ପରସ୍ପର ବିରୋଧି ଆଭିମୁଖ୍ୟ କାହିଁକି ? ତୃତୀୟରେ ମାଓ ମୁକାବିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟୀତ୍ୱ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ସ୍ପର୍ଶକାତର ମାମଲାରେ ଚୁପ ବସିଛି କାହିଁକି ? ଅତଏବ ରାଜ୍ୟ ସରକାର ଏପରି ସଙ୍ଗୀନ ଅଭିଯୋଗର ସତ୍ୟ ଉଦ୍‌ଘାଟନ ନିମନ୍ତେ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରନ୍ତୁ । ବ୍ୟତିକ୍ରମ ହେଲେ ଏହି ପ୍ରସଙ୍ଗକୁ ଧରି କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ଗଣେଶ୍ୱର ବେହେରା ଚେତାବନୀ ଦେଇଛନ୍ତି । ପିସିସିର ଏହି ସାମ୍ବାଦିକ ସମ୍ମିଳନୀରେ ଦୁଇ ବରିଷ୍ଠ ପିସିସି ମୁଖପାତ୍ର ଅମୀୟ କୁମାର ପାଣ୍ଡବ ଓ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *