ଭୁବନେଶ୍ବର: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । 5-T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ଙ୍କ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ସତେଇଶ ଓ ଅଠେଇଶ ତାରିଖ ଦୁଇ ଦିନ ଧରି 5T ସଚିବ ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ । ଗସ୍ତର ଦ୍ଵିତୀୟ ଦିନରେ 28 ତାରିଖ ଦିନ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ ।ଏହି ସମୟରେ ଶ୍ରୀ ପାଣ୍ଡିଆନ୍ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ । ସେମାନଙ୍କ ସମସ୍ୟା ବୁଝିଥିଲେ । ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ,ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ । ପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ବାଇଶ କୋଟି ପଚାଶ ଲକ୍ଷ୍ ଏକସତରୀ ହାଜର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧ ବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ ,ଜୀବିକା କାର୍ଯ୍ୟକ୍ରମ ,ରାସ୍ତା ,ପିଇବା ପାଣି ,ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମି ର ବିକାଶ କରାଯିବ । ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇଦିଆଯିବ । ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠ ରେ ଭିତ୍ତିଭୂମି ର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ Light and Sound ର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମସ୍ତ କାମ 5-T ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରେ ସାତଭାୟା ଅଞ୍ଚଳ ସମୁଦ୍ର ରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆ ରେ ଥଇଥାନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଦ୍ଵାର ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ।