ଭୁବନେଶ୍ୱର : ରବିବାର ଦିନ ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମ୍ ପରିସରରେ ସାପ୍ତାହିକ ସମ୍ବାଦପତ୍ର ‘ପଲ୍ଲୀ ଠାରୁ ଦିଲ୍ଲୀ’ର ୭ମ ସ୍ୱନକ୍ଷତ୍ର ଦିବସ ଦିବସ ଶିକ୍ଷାବିତ୍ ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସ୍ତମ୍ବକାର କ.ଚରଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖବରକାଗଜର ସମ୍ପାଦକ ଉମାଶଙ୍କର ସାହୁ ସମ୍ପାଦକୀୟ ପାଠ କରିଥିଲେ । ମୁଖ୍ୟ ଅତିଥି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରରେଶ ପତ୍ରୀ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍ଘାଟନ କରିଥିଲେ । ଶ୍ରୀ ପତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଯେ, ପାଠକୀୟ ମତାମତକୁ ଆଧାର କରି ଖବରକାଗଜ ଖବର ପରିବେଷଣ କରିବା ଉଚିତ୍ । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅନିବାର୍ଯ୍ୟ କାରଣବଶତଃ ଯୋଗ ଦେଇପାରି ନଥିବାରୁ ମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ ଲୀନାନନ୍ଦିତା ପରିଡ଼ା । ସମ୍ମାନୀତ ଅତିଥି ଭାବେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ତଥା ଲେଖିକା ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବ୍ୟକ୍ତିର ଉଚ୍ଚାରଣ ଓ ଆଚରଣ ଯେବେ ସମାନ ହେବ ସେହି ଦିନ ଏ ସମାଜ ପରିବର୍ତ୍ତନ ହୋଇଯିବ । ଅର୍ଥାତ୍ ମଞ୍ଚ ଉପରେ ଯେଉଁଭଳି ଭାଷଣ କହୁଛେ ଠିକ୍ ସେହିଭଳି କର୍ମ ଯଦି ଆମେ କରିବା ତେବେ ସୁସ୍ଥ ସମାଜ ଗଠନ ହୋଇପାରିବ । ମୁଖ୍ୟ ବକ୍ତା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ଗାଁର ଗରିବ ଜନସାଧାରଣଙ୍କ ସମସ୍ୟାକୁ ନିଚ୍ଛକ ଭାବେ ପ୍ରତିପାଦନ କରିବା ସମ୍ବାଦପତ୍ରର ଧର୍ମ, (ପଲ୍ଲୀଠାରୁ ଦିଲ୍ଳୀ)ର ନାମକରଣ ହୃଦୟସ୍ପର୍ଶୀ ହୋଇଛି । ଏହି ଉତ୍ସବରେ ବହୁ ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ, ଲେଖକ, ଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କର୍ମ ନିୟୋଜନ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ । ଏହି ସଭାକୁ ସଫଳ କରିବା ପାଇଁ ପ୍ରଭାସିନୀ ବେହେରା, କୈଳାସ ପାତ୍ର, ରଂଜିତ୍ ମଲ୍ଲିକ, ରମେଶ ଜେନା, ସୁଧାଂଶୁ ସହଯୋଗ କରିଥିଲେ । ଶେଷରେ ରାଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।