ରାଜ୍ୟ ସରକାର ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ ଉତର ରଖନ୍ତୁ

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଗତ ୨୭ତାରିଖ ଦିନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ଉତର ମାଗିଥିଲୁ । ରାଜ୍ୟ ସରକାର ଏ ପ୍ରଶ୍ନର ଉତର ରଖିଲେ ନାହିଁ ବରଂ ଶାସକ ଦଳ ପ୍ରଶ୍ନର ଉତର ନଦେଇ ବିଭ୍ରାନ୍ତୀକର ବକ୍ତବ୍ୟ ରଖିଲେ । ଯାହାକି ଆମ ପ୍ରଶ୍ନ ସହିତ ତାଙ୍କ ଉତରର କିଛି ସମ୍ପର୍କ ନାହିଁ ଯାହା ରାଜ୍ୟ ସରକାରଙ୍କର ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି ବିଜେପିର ବରିଷ୍ଠ ମୁଖପାତ୍ର ତଥା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସୋମବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନାଁ ନାହିଁ ତାହା ପ୍ରଶ୍ନ କରିବା କଣ ଅପରାଧ । ଅପରାଧ କରିବେ ରାଜ୍ୟ ସରକାର କିନ୍ତୁ ଆମେ ତାଙ୍କ ଅପରାଧ ପ୍ରତି ପ୍ରଶ୍ନ ଉଠାଇଲେ କ’ଣ ନା ଆମେ ଜଗନ୍ନାଥଙ୍କୁ ନେଇ କୁଆଡେ ରାଜନୀତି କରୁଛୁ ! ୧୯୭୮ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଗଚ୍ଛିତ ଥିଲା ତାହା ଏବେ ଅଛି ତ ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ସାଧାରଣରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର । ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ୍ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ୯ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିରେ ପୁରୀ ରାଜା ଦିବ୍ୟସିଂହ ଦେବ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ, ଡ.ରାଧାନାଥ ରଥ, ଜଷ୍ଟିସ ହରିହର ମହାପାତ୍ର, ବାଚସ୍ପତି ଶ୍ରୀ ନନ୍ଦ କିଶୋର ମିଶ୍ର, ଅଯୋଧ୍ୟା ଦାସ ପ୍ରମୁଖ ସଦସ୍ୟ ଥିଲେ । ସେତେବେଳେ ଖୋଲାଯାଇଥିବା ରତ୍ନଭଣ୍ଡାର ଇନଭେଂଟ୍ରି ଅନୁସାରେ ଭିତର ରତ୍ନଭଣ୍ଡାରରେ ୩୬୭ଟି ଅଳଙ୍କାର, ୪୩୬୪ଭରି ସୁନା ରହିଥିଲା । ୨୩୧ଟି ଯାହା ୧୪୮୭୮ଭରି ରୂପା ଥିଲା । ଏବେ ଏସବୁ ଅଛି କି ନାହିଁ ରାଜ୍ୟ ସରକାରଙ୍କୁ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ  ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ପୁଣି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ସେଗୁଡିକ ହେଲା-(୧) ୧୯୭୮ରେ ରତ୍ନ ଭଣ୍ଡାରରେ ଯେତେ ରତ୍ନଥିଲା ତାହା ଏବେ ଅଛି ତ ? (୨) ଶାସକ ବିଜେଡି କହିବା ଅନୁସାରେ ୧୯୮୫ରେ ଯଦି ରତ୍ନ ଭଣ୍ଡାର ଖୋଲା ଯାଇଥିଲା ତେବେ ସେତେବେଳେ ଚାବି କେଉଁଠୁ ରହିଥିଲା । (୩) ସେତେ ବେଳେ କିଏ ଚାବି ଖୋଲିଥିଲା ଏବଂ ପୁଣି କିଏ ଟ୍ରେଜେରୀରେ ଦାଖଲ କରିଥିଲା ? (୪) ରତ୍ନଭଣ୍ଡାର କାନ୍ଥ ଭାଙ୍ଗିଯାଇଛି, କାନ୍ଥକୁ ବାଡେଇଲେ ପମ୍ଫା ଶବ୍ଦ ବାହାରୁଛି, ଲୁହାଛଡ ବାହାରି ଗଲାଣି ଏପରି ସ୍ଥଳେ ରତ୍ନଭଣ୍ଡାର ସୁରକ୍ଷିତ ଅଛି ତ ?(୫) ରତ୍ନଭଣ୍ଡାର ତାଲା ଖୋଲି ଇନଭେଂଟ୍ରି କରିବାକୁ ସରକାର ପଛଘୁଞ୍ଚା ଦେବାର କାରଣ କ’ଣ? (୬) ପ୍ରଭୁ ଜଗନ୍ନାଥଙ୍କ ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ଜାଣିବାର ଅଧିକାର କଣ ଓଡ଼ିଶାବାସୀଙ୍କର ନାହିଁ ! ଏ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ ଉତର ରଖିବା ପାଇଁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ସମ୍ପତି ଉପରେ ରାଜ୍ୟ ସରକାର ଧୋକାବାଜି କରନ୍ତୁ ନାହିଁ । ଜଗନ୍ନାଥ ସମ୍ପତି ପରିଚାଳନା କରିବେ ବୋଲି ଆଇନ ଅନୁସାରେ ରାଜ୍ୟ ସରକାର ଦାୟିତ୍ୱ ନେଇଛନ୍ତି । ମୁଣ୍ଡ ନଖସାଇ ମହାପ୍ରଭୁଙ୍କ ସମ୍ପତି ସମ୍ପର୍କରେ ସଠିକ ଉତର ରଖନ୍ତୁ, ନହେଲେ ଜଗନ୍ନାଥ ସମ୍ପତି ହରିଲୁଟ୍ କରିଥିବା ଦୋଷରେ ଭାଗୀ ହେବେ । ଜଗନ୍ନାଥ ପ୍ରେମୀ ଏସରକାରକୁ ଆଦୌ କ୍ଷମା ଦେବେ ନାହିଁ । ଆଜି ଦିନରେ ରାଜ୍ୟ ସରକାରଙ୍କ ସତ ସାହାସ ଅଛି ତାହାଲେ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ଗଚ୍ଛିତ ସମ୍ପତି ଅଳଙ୍କାର ଆଦି ଅଛି କି ନାହିଁ ତାହା ସାଧାରଣରେ ସ୍ପଷ୍ଟ କରନ୍ତୁ । ଯଦି ସରକାର ଏହି କାର୍ଯ୍ୟ ନକରନ୍ତି ତାହାଲେ ଜଗନ୍ନାଥ ପ୍ରେମୀ ଓ ସ୍ୱୟଂ ଜଗନ୍ନାଥଙ୍କ ଅଭିଶାରେ ସରକାର ଧୂଳିସାତ ହୋଇଯିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ବିଜେପି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *