ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡିଶାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଓଡିଶାରେ ପାହ୍ୟାର ୬ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ୍) ଶିକ୍ଷାନବିଶ(ପ୍ରୋବେସନର) ଗୁରୁବାର ଦିନ ଅପରାହ୍ଣରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଶିକ୍ଷାନବିଶମାନେ ମଧ୍ୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମାଙ୍କୁ ସାକ୍ଷାତ କରିଥିଲେ । ପ୍ରଶିକ୍ଷଣ ନେବାକୁ ଆସିଥିବା ୨୦୨୨ ମସିହା ବ୍ୟାଚ୍ ଓଡିଶା ପାହ୍ୟାର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ରାଜ୍ୟସ୍ତରରେ ତଥା ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ୧ବର୍ଷ ପାଇଁ ପ୍ରଶିକ୍ଷଣ ନେବେ । ଓଡିଶାରେ ପ୍ରଶିକ୍ଷଣ ସରିବା ପରେ ସେମାନେ ଉତ୍ତରାଖଣ୍ଡ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେବା ପରେ ଓଡିଶାରେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଜିଲ୍ଲାରେ କାର୍ଯ୍ୟରେ ଯୋଗଦାନ କରିବେ । ଆଗାମୀ ଦିନରେ ଓଡିଶାରେ କାର୍ଯ୍ୟ କରିବାକୁ ଥିବା ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ରାଜ୍ୟର ଶାସନ ବ୍ୟବସ୍ଥା ସଂପର୍କରେ ଅବଗତ କରାଇବା ସହ ଓଡ଼ିଶା ସଂପର୍କରେ ସେମାନଙ୍କୁ ଅଧିକରୁ ଅଧିକ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଛନ୍ତି । ଓଡିଶାରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ବ୍ୟାପକ ସୁଯୋଗ ରହିଥିବା ସେ କହିଥିଲେ । ଓଡିଶାରେ ଖାଦ୍ୟ ସୁରକ୍ଷା ଯୋଜନା, ଜାଗା ମିଶନ, ହାଇସ୍କୁଲ ରୂପାନ୍ତରଣ , ମିଲେଟ୍ ମିଶନ, କ୍ରୀଡା ଭିତ୍ତିଭୂମିର ବିକାଶ ଆଦି ବହୁ କ୍ଷେତ୍ରରେ ରୂପାନ୍ତରଣ ସଂପର୍କରେ ସେ ସୂଚନା ଦେଇଥିଲେ । ଉତ୍ତମ ପ୍ରଶାସନିକ କାର୍ଯ୍ୟ ପରିଚାଳନା ବା ଗୁଡ୍ ଗଭର୍ଣ୍ଣାସ୍ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଥିବା ସେ ପ୍ରକାଶ କରିଥିଲେ । ସେହିପରି ନିଜ ଭିତରେ ଥିବା ଅଭିନବତ୍ୱକୁ କାର୍ଯ୍ୟରେ ଲଗାଇବା ଏବଂ ସରକାରଙ୍କୁ ଆବଶ୍ୟକ ସ୍ଥଳେ ପ୍ରସ୍ତାବ ଦେବାକୁ ଶ୍ରୀ ଜେନା କହିଥିଲେ । କାର୍ଯ୍ୟ ସମୟରେ ନିଜ ନିଜ ଜିଲ୍ଲାର ସହକର୍ମୀମାନଙ୍କଠାରୁ ବିଭିନ୍ନ କାର୍ଯ୍ୟ ସଂପର୍କରେ ଅଧିକ ଜ୍ଞାନ ଲାଭ ନିମନ୍ତେ ସ୍ୱତଃ ପ୍ରବୃତ ଭାବେ ପଚାରି ବୁଝିବାକୁ କହିଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ଓଡ଼ିଶା ପାହ୍ୟାରେ ଯୋଗଦାନ କରୁଥିବା ଏହି ଆଇଏସ ଅଧିକାରୀଙ୍କୁ ଓଡିଆ ଭାଷା ଶିଖିବା ପାଇଁ ସେ କହିଛନ୍ତି । ରାଜ୍ୟରେ କାର୍ଯ୍ୟ କରୁଥିବା ବହୁ ଆଇଏସ୍ ଅଧିକାରୀମାନେ ଓଡ଼ିଆ ଭାଷାରେ ଭଲ କହୁଥିବା ସେ ଉଦାହରଣ ଦେଇଥିଲେ । ଓଡ଼ିଶାରେ ୧୯୯୯ ମହାବାତ୍ୟା ସଂପର୍କରେ ଆଲୋକପାତ କରି ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂପର୍କରେ ସେ ସୂଚନା ଦେଇଥିଲେ । ୨୦୦୫ ମସିହାରୁ ଆଜି ପର୍ଯ୍ୟନ୍ତ ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡିଶା ଉତ୍ତମ ପ୍ରଦର୍ଶନ କରିଆସିଛି ବୋଲି କହିଥିଲେ । ଦେଶର ବିଭିନ୍ନ ଅଗ୍ରଣୀ ରାଜ୍ୟ ମଧ୍ୟରେ ଓଡିଶା ଅନ୍ୟତମ ରାଜ୍ୟ ବୋଲି ସେ ପ୍ରକାଶ କରିଥିଲେ । ଆଇନ୍ ଶୃଙ୍ଖଳା ସଂପର୍କରେ ସେମାନଙ୍କୁ ଭଲଭାବେ ଜାଣିବାକୁ କହିଥିଲେ । ଆଗାମୀ ଜୁନ୍ ୨୦ ରଥଯାତ୍ରାରେ ଏହି ଶିକ୍ଷାନବିଶମାନେ ପୁରୀରେ ମଧ୍ୟ ରଥଯାତ୍ରା ପରିଚାଳନା ଅନୁଧ୍ୟାନ କରିବେ । ପରିଶେଷରେ ଶ୍ରୀ ଜେନା ଶିକ୍ଷାନବିଶମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଯୁଗ୍ମ ଶାସନ ସଚିବ ଶ୍ରୀ ମନିଷ ଅଗ୍ରଓ୍ୱାଲ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।