ସାଇବର କ୍ରାଇମ,ଚୋରୀ ଓ ଡକାୟତି, ନିଶାଦ୍ରବ୍ୟ କାରବାରରେ ଅଗ୍ରଣୀ ହେଉଛି ଓଡିଶା ରାଜ୍ୟ

ଭୁବନେଶ୍ୱର : ଶାନ୍ତିପ୍ରିୟ ଓଡ଼ିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ସାଇବର କ୍ରାଇମ, ଚୋରୀ ଓ ଡକାୟତି, ନିଶାଦ୍ରବ୍ୟ କାରବାର, ଶିଶୁ ଅପହରଣ ଅଗ୍ରଣୀ ରାଜ୍ୟ । ରାଜ୍ୟରେ ପ୍ରତି ଅଢ଼େଇ ଘଣ୍ଟାରେ ଗୋଟିଏ ହତ୍ୟା ଓ ଧର୍ଷଣ ହେଉଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲା । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ବାବୁ କୌଣସି ପଦକ୍ଷେମ ନନେଇ ମୌନ ହୋଇ ବସିଛନ୍ତି । ୨୩ବର୍ଷର ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଅପାରଗତାରେ ନମ୍ବର ୱାନ୍ । ସ୍ୱର୍ଗତଃ ଦାସଙ୍କ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଦାଖଲ ସମେତ ପରିଚାଳନାରେ ଅପାରଗତାକୁ ଦାୟୀ କରି ତୁରନ୍ତ ନିଜ ଅଧିନରେ ଥିବା ଗୃହବିଭାଗକୁ ଛାଡନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି । ଶୁକ୍ରବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୧୮ଦିନ ପୂରିଛି କିନ୍ତୁ କ୍ରାଇମବ୍ରାଞ୍ଚ କେବଳ ଧର୍ମକୁ ଆଖିଠାର ସଦୃଶ ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ କଣ ? ଷଡଯନ୍ତ୍ର ଦିଗରେ ତଦନ୍ତ ହୋଇନି । ବିଧାନସଭାରେ ବିରୋଧୀ ଦଳ ଓ ଅନ୍ୟାନ୍ୟ ଦଳ ତରଫରୁ ଯାହାଙ୍କ ବିରୁଦ୍ଧରେ ଷଡଯନ୍ତ୍ରର ଅଭିଯୋଗ କରାଯାଇଥିଲା ସେମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରୁନାହିଁ କାହିଁକି ? ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଏଫବିଆଇ ତଦନ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ରାଜ୍ୟବାସୀଙ୍କୁ ନିସର୍ତ କ୍ଷମା ମାଗନ୍ତୁ । ରାଜ୍ୟର ଅନ୍ୟ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ରିପୋର୍ଟ ସମୀକ୍ଷା କରାଯାଉଛି କିନ୍ତୁ ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା କରୁଛି କିଏ ? ରାଜ୍ୟରେ ବଢ଼ୁଥିବା ଅପରାଧ ରୋକିବାରେ ପୋଲିସର ବିଫଳତା ଯୋଗୁଁ ମୁଖ୍ୟମନ୍ତ୍ରୀ ନିଜ ଅଧିନରେ ଥିବା ଗୃହବିଭାଗ ଛାଡିଦେଇ ଅନ୍ୟ କାହାକୁ ଦାୟିତ୍ୱ ଦେବା ଉଚିତ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ସେହିପରି ରାଜଧାନୀର ୟୁନିଟ୍‌-୧ ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡକୁ ଯଦି ସମୀକ୍ଷା କରାଯାଏ ତାହେଲେ ରାଜ୍ୟରେ ଆଇନର ଶାସନ ନଥିବା ସ୍ପଷ୍ଟ ହେଉଛି । ହତ୍ୟାର ଶିକାର ହୋଇଥିବା ମୃତବ୍ୟକ୍ତି ନିଜର ଝିଆରୀ ପ୍ରତି ହୋଇଥିବା ଅସଦାଚରଣ ସମ୍ପର୍କରେ ଗତ ଏପ୍ରିଲ ୨୬ରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ସେହି ମାମଲା କ୍ରମେ ଥାନାରେ କେସ ନଂ ୨୬୨/୨୩ ପଞ୍ଜିକୃତ ହୋଇଛି । କ୍ୟାପିଟାଲ ପୋଲିସ ଘଟଣାକୁ ଚପାଇଦେବାର ଉଦ୍ୟମକୁ ବିରୋଧ କରି ମୃତବ୍ୟକ୍ତିଙ୍କ ପରିବାର ଡିସିପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ନ୍ୟାୟ ପାଇବା ଓ ସୁରକ୍ଷା ପାଇଁ ପୋଲିସର ଆଶ୍ରୟ ଦେଇଥିବା ଲୋକଙ୍କୁ ହତ୍ୟାର ଶିକାର ହେବାକୁ ପଡୁଛି । କ୍ୟାପିଟାଲ ଥାନା ଅଧିକାରୀଙ୍କ ସମେତ କମିଶନରେଟ ପୋଲିସର ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ଏ ହତ୍ୟାକାଣ୍ଡର କାରଣ ହୋଇପାରେ । ଅସଦାଚରଣ ମାମଲାର ଠିକ୍ ମାସେ ଭିତରେ ସେହି ଅଭିଯୁକ୍ତମାନେ ପିଡୀତା ପରିବାର ସଦସ୍ୟଙ୍କୁ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟିଥିବା ୨୦୦ମିଟର ଦୂରତାରେ ପୋଲିସ କମିଶନର, ପୋଲିସ ଡିଜି ଓ କ୍ୟାପିଟାଲ ଥାନା ରହିଛି । ଏଇଠୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କେତେ ବିପର୍ଯ୍ୟସ୍ତ । ଯଦି ରାଜ୍ୟରେ ଉତରଦାୟୀ ସରକାର ଚାଲିଛି ତା’ହେଲେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରି ତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଯାଜପୁର ଜିଲ୍ଲାର ‘ବିଛାଖଣ୍ଡ’ ପାହାଡରୁ ପଥର ଲୁଟ୍ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସ ପ୍ରାଥମିକ ତଦନ୍ତ କରି ତତ୍କାଳୀନ ଜିଲ୍ଲାପାଳ ସମେତ କେତେକ ପ୍ରଶାସନିକ ଅଧିକାରୀ ଲିଜଧାରୀ ଓ ରାଜନୈତିକ ବ୍ୟକ୍ତିଙ୍କୁ ଦାୟୀକରି ରିପୋର୍ଟ ଦେଇଛନ୍ତି । ଏହି ଲୁଟ୍‌ରେ ସଂପୃକ୍ତ ତତ୍କାଳୀନ ଜିଲ୍ଲାପାଳ ଏବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ । ଏମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାନଯିବା କେଉଁ ସ୍ୱଚ୍ଛ ଶାସନର ନମୁନା ? ଅତୀତରେ ଜଣେ କର୍ତବ୍ୟରତ ପୋଲିସ ଅଫିସରଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ବର୍ତମାନ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦାଗୀମନ୍ତ୍ରୀଙ୍କୁ ଶାସନ ଦାୟିିତ୍ୱ ଦେଇଛନ୍ତି କାହିଁକି ? ତାହା ସ୍ପଷ୍ଟ କରନ୍ତୁ । ବିଜୁ ଜନତା ଦଳ ଅପରାଧି ତତ୍ୱମାନଙ୍କୁ ଦଳ ଭିତରେ ସାମିଲ କରି ଆଗାମୀ ନିର୍ବାଚନରେ ଭୋଟରମାନଙ୍କୁ ଡରାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି ବଲାଙ୍ଗୀରର ବିଚ ରାସ୍ତାରେ ହତ୍ୟା, ରେମୁଣା ଓ ଜୟପୁରରେ ହତ୍ୟା ଓ ଅନ୍ୟ ପ୍ରଦେଶରୁ ଆସିଥିବା ଲୋକଙ୍କୁ ଟୋଲ ଗେଟ୍‌ରେ ଆକ୍ରମଣ ପ୍ରସଙ୍ଗ ଦେଖିଲେ ଜଣାପଡୁଛି ରାଜ୍ୟରେ ଆଇନର ଶାସନ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଗୃହବିଭାଗରୁ ଅପସରି ଅନ୍ୟ କୌଣସି ଦକ୍ଷମନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *