ବିଜେଡ଼ି ସରକାରଙ୍କ ରିମୋଟ୍ ନରେନ୍ଦ୍ର ମୋଦୀଙ୍କ ହାତରେ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ

ଭୁବନେଶ୍ୱର : ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ କେନ୍ଦ୍ର ବିଜେପି ସରକାରକୁ ୯ ବର୍ଷ ପୁରିଲା । ଏହି ୯ ବର୍ଷ ଭିତରେ ବିଜେପି ଦଳ ତଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା କେନ୍ଦ୍ରରେ ଶାସନକୁ ଆସିବା ପୂର୍ବରୁ ଭାରତ ବର୍ଷର ସରଳ ଜନସାଧାରଣଙ୍କୁ ବହୁଗୁଡ଼ିଏ ମିଛ ପ୍ରତିଶୃତି ବାଣ୍ଟିଥିଲେ । ଗୋଟିଏ ମିଛକୁ ବାରମ୍ବାର କହି ଭାରତ ବର୍ଷର ଜନସାଧାରଣଙ୍କ ମନରେ ଏକ ମିଛି ବିଶ୍ୱାସର ପାହାଡ଼ ସୃଷ୍ଟି କରିଥିଲେ । ଯାହାକୁ ଭାରତ ବର୍ଷର ଜନସାଧାରଣ ବିଶ୍ୱାସକୁ ପ୍ରତିଶୃତି ବୋଲି ଭରଷା କରିଥିଲେ । ତାହା ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହୋଇ ଆଜି ୯ ବର୍ଷ ପରେ ସେ ସବୁ ବିଶ୍ୱାସ ସଂପୂର୍ଣ୍ଣ ମିଛ ଥିଲା ବୋଲି ଆଜି ତାହା ଜଳ ଜଳ ହୋଇ ଦେଖାଯାଉଛି । ୨୦୧୨ ଓ ୨୦୧୩ ମସିହା ନରେନ୍ଦ୍ର ମୋଦୀ ବିଭିନ୍ନ ସଭା ସମିତିରେ କହିଥିଲେ ଯେ, କାହିଁକି ପେଟ୍ରୋଲ ଓ ଡିଜେଲ ଦାମ୍ ଏତେ ବୃଦ୍ଧି ଘଟୁଛି ? କାହିଁକି ଡଲାରର ମୂଲ୍ୟ ବଦ୍ଧି ଘଟୁଛି ଓ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ରନ୍ଧନ ଗ୍ୟାସ, ଡାଲି,ତେଲ, ଲୁଣ , ଦୁଗ୍ଧ ଓ ଅଟାର ଦାମ କାହିଁକି ହୁ ହୁ ହୋଇ ବଢ଼ିଚାଲୁଛି । ଠିକ୍ ୯ ବର୍ଷ ପରେ କଂଗ୍ରେସ ନରେନ୍ଦ୍ର ମୋଦୀ ସରକାରଙ୍କୁ ଆଜି ପ୍ରଥମ ପ୍ରଶ୍ନ କରିଛି ଯେ, କାହିଁକି ମୁଦ୍ରା ସ୍ଫିତି ଓ ବେରୋଜଗାରୀ ଆକାଶ ଛୁଆଁ ହୋଇଛି । କାହିଁକି ଧନୀ ଅଧିକ ଧନୀ ହେଉଛି ଓ ଗରୀବ କାହିଁକି ଅଧିକ ଗରୀବ ହୋଇଯାଉଛି । କାହିଁକି ଜାତୀୟ ସମ୍ପତିକୁ ନିଜର କିଛି ବ୍ୟକ୍ତିଗତ ବନ୍ଧୁଙ୍କୁ ବିକ୍ରି କରାଯାଉଛି । ଏହାଦ୍ୱାରା କାହାର ହିତସାଧନ କରାଯାଉଛି । ଶନିବାର ଦିନ ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକମାନଙ୍କୁ  କହିଥିଲେ ଯେ, ରବିବାର ଦିନ ସଂସଦ ଭବନ ଉଦ୍‌ଘାଟନ ହେବ କିନ୍ତୁ ମହାମହୀମ ରାଷ୍ଟ୍ରପତିଙ୍କର ଗାରିବା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ ସଂପୂର୍ଣ୍ଣ ରୂପେ ଭୃକ୍ଷେପ ନ କରି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇଛି । ଆପଣ ସମଦୂରତା କଥା କହିଥିଲେ ? ସମଦୂରତା ଗଲା କୁଆଡ଼େ ? ଆପଣଙ୍କ ଦଳ କହୁଛି ରାଷ୍ଟ୍ରପତିଙ୍କ ପଦ ମର୍ଯ୍ୟଦା ହାନି ହେବା କଥା ନୁହେଁ । ରାଷ୍ଟ୍ରପତି ଯିଏ କି ଆପଣଙ୍କ ଭଉଣୀ ତଥା ଓଡ଼ିଶାର ଝିଅ ଏବଂ ଆଦିବାସୀ ମହିଳା ତାଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ଅପମାନିତ କରୁଥିଲାବେଳେ ଆପଣ ଏହାକୁ ସମର୍ଥନ କରୁଛନ୍ତି । ଏହା କ’ଣ ଆପଣଙ୍କର ଓଡ଼ିଶା ପ୍ରୀତି କି ? ଆପଣଙ୍କ ଆଦିବାସୀ ପ୍ରିତୀ ଗଲା କୁଆଡ଼େ ? ଏହା କେବଳ ନିର୍ବାଚନୀ ଚାଲ।   ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ ସାମ୍ବାଦିକମାନଙ୍କୁ କହିଥିଲେ ନରେନ୍ଦ୍ର ମୋଦୀ ସରକାର ୯ ବର୍ଷର ୯ ଟି ମୁଖ୍ୟ ଅପାରଗତାକୁ ପ୍ରଶ୍ନ ଆକାରରେ ପଚାରୁଛି। ସେ କହିଛନ୍ତି ଯେ, ୨୦୧୪ ମସିହାରେ ଏକ ଏଲପିଜି ସିଲିଣ୍ଡର ଦାମ ୪୧୦ ଟଙ୍କା ଥିଲା ବେଳେ ୨୦୨୩ ମସିହା ବେଳକୁ ତାହା ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି । ପାଖାପାଖି କେବଳ ଏଲପିଜି ସିଲିଣ୍ଡରର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି । ଠିକ୍ ସେହିଭଳି ଭାବରେ ଆଜି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୦୧୪ ମସିହା ଠାରୁ ୫୭ ପ୍ରତିଶତ, ଡିଜେଲ ୭୮ ପ୍ରତିଶତ ବୃଦ୍ଧି ଘଟିଛି । ସବୁଠାରୁ ଦୁଃଖର କଥା ଏହାର ପ୍ରଭାବ ଭାରତ ବର୍ଷର ବହୁ ଗରୀବ ଜନସାଧାରଣଙ୍କ ଉପରେଏକ ବଡ଼ ବୋଝ ସଦୃଶ । ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ତେଲ, ଅଟା ଓ କ୍ଷୀରର ମୂଲ୍ୟ ୨୦୧୪ ମସିହା ତୁଳନାରେ ଆଜି ଶତକଡ଼ା ୫୮ ପ୍ରତିଶତ ବୃଦ୍ଧି ଘଟିଛି । ଦ୍ୱିତୀୟ ପ୍ରଶ୍ନ ଯେ କାହିଁକି କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରାଯାଉନାହିଁ ? କାହିଁକି କଳା କୃଷି ଆଇନ୍ ଫେରାଇ ନେଲାବେଳେ କୃଷକ ମାନଙ୍କ ସହିତ ଯେଉଁ ଚୁକ୍ତି ହୋଇଥିଲା ତାହା କାହିଁକି କାର୍ଯ୍ୟକାରୀ ହେଉନାହିଁ । ଭାରତ ବର୍ଷର କୃଷକର ପରିବାର ଆୟ ଦିନକୁ ଆଜି ମାତ୍ର ୨୭ ଟଙ୍କା କାହିଁକି । କୃଷକଙ୍କର ଆୟ ଦ୍ୱିଗୁଣିତ କରିବାର ପ୍ରତିଶୃତି କେବେ ପାଳନ ହେବ ? ଦୁର୍ନିତୀ ଏବଂ ଅସାଧୁ ମେଣ୍ଟ ଆଜି ଭାରତ ବର୍ଷର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିସାରିଲାଣି ବୋଲି ସେ ତୃତୀୟ ପ୍ରଶ୍ନ କରିଥିଲେ । ସେ ପଚାରିଛନ୍ତି କାହିଁକି ଭାରତ ବର୍ଷର ଲକ୍ଷ ଲକ୍ଷ ନିମ୍ନ ମଧ୍ୟବିତ ଏଲଆଇସିର ବୀମାଧାରୀ ଏବଂ ଏସ୍‌.ବି.ଆଇର ଜମାକାରୀଙ୍କ ଟଙ୍କା କାହିଁକି ଓ କାହା ସ୍ୱାର୍ଥରେ ଆପଣଙ୍କ ବନ୍ଧୁ ଆଦାନୀ କମ୍ପାନୀରେ ବିନିଯୋଗ କରାଯାଇଛି । ଆପଣ କାହିଁକି ବିଜେପି ଶାସନାଧିନ ରାଜ୍ୟମାନଙ୍କର ପ୍ରଚୁର ଦୁର୍ନିତକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଏହା କଣ ଡବଲ ଇଞ୍ଜିନ ସରକାରର ମୂଳଲକ୍ଷ୍ୟ କି ? କିଭଳି ଭାବରେ ଯେଉଁମାନେ ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକୁଛନ୍ତି, ସେମାନଙ୍କ ସମ୍ପତି ଜବ୍‌ଦ ହେବା ପରିବର୍ତେ ସେମାନେ କିଭଳି ବିଦେଶକୁ ପଳେଇ ଯାଉଛନ୍ତି ଏବଂ କେହି ବିଦେଶରୁ ଫେରୁନାହାନ୍ତି । ଆପଣତ ୫୬ ଇଞ୍ଚିର ଛାତି କଥା କହିଥିଲେ, ଏହା କ’ଣ ୫୬ ଇଞ୍ଚି ଛାତିର କାମ ? ବହୁ ସଭାସମିତିରେ ୨୦୧୩ ମସିହାରେ ଚାଇନା ଘଟଣାକୁ ନେଇ କହିଥିଲେ ଯେ, ଯଦି କେହି ଭାରତର ସୀମାକୁ ଅତିକ୍ରମ କରିବ ତାହାଲେ ମୋ ସରକାର ଆସିଲେ ତାଙ୍କୁ ଦୃଢ଼ ଯବାବ ଦିଆଯିବ । କାହିଁକି ଆଜି ଚାଇନା ଭାରତ ବର୍ଷର ୧୫ ଶହ ସ୍କୋୟାର କିଲୋମିଟର ସୀମାକୁ ଅକ୍ତିଆର କରିନେଇଛି । ଏହା ଜାଣି ସୁଧା କାହିଁକି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଚୁପ୍ ରହିଛନ୍ତି ? ଏହି ୯ ବର୍ଷ ମଧ୍ୟରେ ଭାରତ ବର୍ଷର କୌଣସି ଜାତୀୟ ନିରାପତା ନିୟମ ନାହିଁ । ଅଗ୍ନିପଥ ଭଳି ଆମ ମିଲିଟାରିର ସ୍ୱଳ୍ପ ମିଆଦି ନିଯୁକ୍ତି ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଏହା ଆମ ସାମରିକ ଶକ୍ତିକୁ ଦୃର୍ବଳ କରିଦେବା ସହିତ ମାନବ ସମ୍ବଳର ଦକ୍ଷତା ବିକାଶ ପରିବର୍ତେ ତାଙ୍କୁ ବିନାଶ ଆଡ଼କୁ ଟାଣିନେବ । ଏହା କ’ଣ ଆପଣଙ୍କ ସ୍ୱପ୍ନ ଥିଲା କି ? ସେ ତାଙ୍କ ପଞ୍ଚମ ପ୍ରଶ୍ନରେ ପଚାରିଛନ୍ତି ଯେ, କାହିଁକି ଆପଣଙ୍କ ସରକାର ଏବଂ ଆପଣଙ୍କ ଦଳ ଜାଣିଶୁଣି ଭାରତ ବର୍ଷରେ ଘୃଣା, ବିଦ୍ୱେଶ ଓ ହିଂସା ସୃଷ୍ଟି କରୁଛନ୍ତି ? ଏହାଦ୍ୱାରା ଆପଣଙ୍କ ରାଜନୈତିକର ଉଦ୍ୟେଶ ସାଧିତ ହୋଇଥାଇପାରେ କିନ୍ତୁ ଭାରତ ବର୍ଷରେ ଖଣ୍ଡ ବିଖଣ୍ଡିତ ହୋଇଯାଉଛି । ଭାରତବର୍ଷର ଭାଇଚାରା, ସଂହତି ପରସ୍ପରକୁ ଭଲ ପାଇବାକୁ ନଷ୍ଠଭ୍ରଷ୍ଟ କରି ଆପଣ ଜାଣିଶୁଣି ଘୃଣାର ବଜାର ସୃଷ୍ଟି କରୁଛନ୍ତି । ଆପଣଙ୍କ ସରକାରଙ୍କ ସମୟରେ ଏହି ଘୃଣା ଓ ହିଂସା ଯୋଗୁଁ ଦିଲ୍ଲୀ, ମଣିପୁର ଏବଂ ଅନ୍ୟାନ୍ୟ ଜାଗାରେ ଯେଉଁ ଦଙ୍ଗା ସୃଷ୍ଟି ହେଲା ତାହା ଆପଣଙ୍କ ଦଳର ସାମାଜିକ ଧୃବିକରଣର ଏକ ଅଂଶ ବିଶେଷରେ ହୋଇଥାଇପାରେ, କିନ୍ତୁ ଭାରତ ବର୍ଷ ଯେ ଦୃର୍ବଳ ହୋଇଯାଉଛି । ଆପଣ ଭାରତ ବର୍ଷକୁ ଦୃର୍ବଳ କରିବା ପାଇଁ କାହିଁକି ଅଣ୍ଟା ଭିଡୁଛନ୍ତି । କାହିଁକି ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପାଖରୁ ଦଳିତ, ସଂଖ୍ୟାଲଘୁ, ମହିଳା ଓ ଆଦିବାସୀ ବର୍ଗଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ? ୨୦୧୪ ମସିହା ଠାରୁ ପାଖାପାଖି ଏହି ବର୍ଗଙ୍କ ଉପରେ ଶତକଡ଼ା ୨୩ ପ୍ରତିଶତ ଅତ୍ୟାଚାର ବୃଦ୍ଧି ଘଟିଛି । ଆପଣ ଦୟାକରି କହିବେ କି ବେଟି ପଢ଼ାଅ ଓ ବେଟି ବଚାଅ ଅଭିଯାନ କେବଳ ସ୍ଲୋଗାନ କି ? ଆପଣଙ୍କ ସରକାର ସମୟରେ ୨୦୨୧ ମସିହାରେ ୪.୨ ଲକ୍ଷ ମହିଳା ଉତ୍ପିଡ଼ନ, ଶାରିରୀକ ନିର୍ଯ୍ୟାତନା ଇତ୍ୟାଦି ଭୋଗ କରୁଥିବାର ମାମଲା ଦାୟର କରିଛନ୍ତି । ଆପଣଙ୍କ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତା କାହିଁକି ମହିଳାଙ୍କୁ ଶାରିରୀକ ନିର୍ଯ୍ୟାତନା ଓ ପାଶବିକ ଅତ୍ୟାଚାର ଘଟଣାରେ ସଂପୃକ୍ତ ଅଛନ୍ତି ? ଏମାନଙ୍କ ବିରୋଧରେ କେସ୍ ମଧ୍ୟ ଦାୟର କରିବା ପାଇଁ ସୁପ୍ରିମ୍‌କୋର୍ଟ ଯିବାକୁ ପଡ଼ୁଛି । ନିଭୟା ହତ୍ୟାକାଣ୍ଡ ଘଟଣା ପରେ ନିର୍ଭୟା ଯୋଜନାରେ ଯେଉଁ ବଜେଟ ରାଶି ଦିଆଯାଇଛି ସେଥିରୁ ୮୦ ପ୍ରତିଶତ କେବଳ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମକୁ ବିଜ୍ଞାପନ ଆକାରରେ ଦିଆଯାଇଛି । ଏଥିରେ ଦେଶର ମହିଳାମାନଙ୍କର କଣ ସୁରକ୍ଷା ହେଲା । ନା କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଛାପି ପ୍ରଚାର କରାଗଲା । ଆପଣଙ୍କ ସରକାର ଗଣତନ୍ତ୍ର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ? ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପରେ ୯୫ ଶତପ୍ରତିଶତ ସି.ବି.ଆଇ,ଇଡ଼ି କେସ କେବଳ ପ୍ରତିପକ୍ଷ ରାଜନୈତିକ ନେତୃବର୍ଗଙ୍କ ପ୍ରତି କରାଯାଇଛି । ଏପରିକି ଗଣତନ୍ତ୍ରକୁ ସଂପୂର୍ଣ୍ଣ ବିଧୋସ୍ତ କରିବାକୁ ଯାଇ ଆପଣ ଗୋଆ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଅର୍ଥବଳ ଓ ପ୍ରଶାସନିକ ବଳ ଯୋଗୁ ଭାଙ୍ଗିଦେଇଛନ୍ତି । ତଦ୍ୱାରା ଗଣତନ୍ତ୍ରକୁ ଆପଣ ଭଲ ପାଆନ୍ତି କି ? ଗଣତାନ୍ତ୍ରୀକ ବ୍ୟବସ୍ଥା ପ୍ରତି ଆପଣଙ୍କର ଓ ଆପଣଙ୍କ ସରକାରଙ୍କର ସମ୍ମାନ ଅଛି କି ? ଶ୍ରୀ ସିଂ ତାଙ୍କ ଅଷ୍ଟମ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ ବହୁଳ ପ୍ରଚାର ଉଜ୍ଜଳା ଯୋଜନା ଆଜି ସଂପୂର୍ଣ୍ଣ ରୁପେ ଫେଲ ମାରିଛି କିନ୍ତୁ ଉପାସରକାର ସମୟରେ ଯେଉଁ ଖାଦ୍ୟ ସୁରକ୍ଷା ଆଇନ କରାଯାଇଥିଲା ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌.ଜି.ଏନ୍‌.ଆର.ଇ.ଜି.ଏ) ଯୋଗୁଁ ଭାରତ ବର୍ଷର କୋଟି କୋଟି କରି ଲୋକଙ୍କୁ କର୍ମନିଯୁକ୍ତି ସହିତ ଖାଦ୍ୟ ସୁରକ୍ଷା ମିଳିଥିଲା । କିନ୍ତୁ ଆପଣ ସଂସଦ ଭିତରେ ଓ ସଂସଦ ବାହାରେ ଆପଣ ଏମ୍‌.ଜି. ନରେଗା କାର୍ଯ୍ୟକ୍ରମକୁ ଘୋର ବିରୋଧ କରିବା ସହିତ କଂଗ୍ରେସର ବିଫଳତା ବୋଲି କହିଥିଲେ କିନ୍ତୁ ସେହି ଯୋଜନା କୋଭିଡ଼-୧୯ ମହାମାରି ସମୟରେ ଭାରତ ବର୍ଷର କୋଟି କୋଟି ଶ୍ରମିକଙ୍କୁ ନିଜ ଅଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ଦେଇଥିଲା । କାହିଁକି ଆପଣଙ୍କ ସରକାର ଗରୀବ ଓ ନିସ୍ୱ ଆଦିବାସୀବର୍ଗଙ୍କ ଯୋଜନା ରାଶିକୁ ବର୍ଷ ପରେ ବର୍ଷ କମାଇ ଚାଲିଛନ୍ତି ? ଠିକ୍ ସେହିଭଳି ଭାବରେ ଆପଣଙ୍କ ସରକାର କୋଭିଡ଼-୧୯ ମହାମାରି ପରିଚାଳନା କରିବାର ବିଫଳତା ଯୋଗୁଁ ଆଜି ଦେଶ ବହୁ କିଛି ଭୋଗୁଛି । କୋଭିଡ଼ ମହାମାରିର ବହୁ ଦିନ ପୂର୍ବରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଥିଲେ ଯେ, କୋଭିଡ଼ ମହାମାରି ଦେଶରେ ବହୁ ବିପତି ସୃଷ୍ଟି କରିବ ? ଏଥିପାଇଁ ସରକାର ସତର୍କ ରହିବାକୁ ପଡ଼ିବ । ଆପଣ ଓ ଆପଣଙ୍କ ସରକାର ଏକଥା ପ୍ରତି କର୍ଣ୍ଣପାତ କରିବା ପରିବର୍ତେ ତାଙ୍କୁ ତାଚ୍ଛଲ୍ୟ କରିଥିଲେ ଏବଂ ଏହାର କିଛିଦିନ ପରେ ଅତି ନର୍ମମ ଭାବରେ ଆପଣ କୋଠର ତାଲାବନ୍ଦ ଘୋଷଣା କରିଥିଲେ । ଭାରତବର୍ଷର ୪ କୋଟି ଶ୍ରମିକ ଭାଇ ଓ ଭଉଣୀମାନେ ରାଜରାସ୍ତାରେ ଶହଶହ କିଲୋମିଟର ଚାଲିଥିଲେ । ବହୁ ଲୋକ ପ୍ରାଣ ହରାଇଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ଼୍ ମହାମାରି ଯୋଗୁଁ ଭାରତ ବର୍ଷର ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ବୋଲି ଏକ ରିପୋର୍ଟରେ କହିଛନ୍ତି । କିନ୍ତୁ ଏ ସରକାର ଭାରତ ବର୍ଷରେ କେହି ଜଣେ ବ୍ୟକ୍ତି ଅକ୍ସିଜେନ ଅଭାବ, ଡାକ୍ତରଖାନାରେ ଶଯ୍ୟା ଅଭାବରୁ ମରିନାହାନ୍ତି ବୋଲି କହିଛନ୍ତି । ଏହା କଣ ଆପଣଙ୍କର ଭାରତ ବର୍ଷର ସାଧାରଣ ଲୋକଙ୍କୁ ଭଲ ପାଇବାର ନିର୍ଦ୍ଦଶନ କି ? କୋଭିଡ଼୍ ମହାମାରି ଯୋଗୁ ଭାରତ ବର୍ଷର ୪ କୋଟି ଲୋକ ନିଜର ରୋଜଗାର ହରାଇଛନ୍ତି । ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁଁ ଭାରତର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛନ୍ତି । ଏ ସରକାର ପ୍ରତିଦିନ ଜିଏସ୍‌ଟିର ନିୟମାବଳୀର ପରିବର୍ତନ କରୁଛନ୍ତି । ଜିଏସ୍‌ଟି ଆୟର ଶତକଡ଼ା ୫୦ ରୁ ୬୦ ଭାଗ ଆୟ କେବଳ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ଆଦାୟ କରାଯାଉଛି । କିନ୍ତୁ ଭାରତ ବର୍ଷର ସବୁଠାରୁ ଧନୀବ୍ୟକ୍ତିମାନେ ଶତକଡ଼ା ୪ ପ୍ରତିଶତ ଜିଏସ୍‌ଟି ଆୟର ଯୋଗଦାନ କରୁଛନ୍ତି । ତେଣୁ ଏହି ଜିଏସ୍‌ଟି ଗରୀବ ଲୋକମାନଙ୍କୁ ଅଧିକ ଗରୀବ କରିବା ପାଇଁ ଉଦ୍ଧିଷ୍ଟ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ସିଂ ସାମ୍ବାଦିକମାନଙ୍କୁ ଆହୁରି କହିଥିଲେ ଯେ, ଓଡ଼ିଶା ସରକାରଙ୍କର ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମୀତ ଶାହାଙ୍କ ହାତରେ । ତେଣୁ ବିଜେଡ଼ି ଦଳ ସବୁ କଥାରେ ବିଜେପି ସହିତ ଏକ ହୋଇରହିଛି । ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମୁଁ ଓଡ଼ିଶା ସହିତ ମାନସିକ ଓ ଶାରିରୀକ ସ୍ତରରେ ଓତପ୍ରୋତ ଭାବରେ ଜଡ଼ିତ । କିନ୍ତୁ ମୋତେ ବହୁ କଷ୍ଟ ଲାଗୁଛି ଓଡ଼ିଶା ଏକ ଗଣତାନ୍ତ୍ରୀକ ସରକାର ଚାଲିନାହିଁ । ଏଠାରେ ଅମଲାତନ୍ତ୍ରୀକ ସରକାର ଚାଲିଛି । ଏ ସରକାରକୁ ତୃତୀୟ ମହଲାରୁ ପରିଚାଳନା କରାଯାଉଛି । ଏ ସରକାରଙ୍କର ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କ ପାଖରେ ସାମାନ୍ୟତମ କିଛି କ୍ଷମତା ନାହିଁ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ । ଜନସାଧାରଣ ଆଜି ଘୋର ଦ୍ୱନ୍ଦରେ ସେମାନେ କାହାକୁ ତାଙ୍କ ଦୁଃଖ ଜଣାଇବେ । ଏ ୨୩ ବର୍ଷର ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ବିରୋଧି । ରାଜ୍ୟରେ ୨୩ ବର୍ଷ ଭିତରେ ଗୋଟିଏ ବୋଲି କୃଷିଭିତିକ ପ୍ରତିଷ୍ଠା ହୋଇନାହିଁ । କଂଗ୍ରେସ ସରକାର ସମୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ଆଜି ସଂପୂର୍ଣ୍ଣରୁପେ ବନ୍ଦ ହୋଇଯାଇଛି । ଏ ସରକାର ଏପର୍ଯ୍ୟନ୍ତ ଗୋଟେ ଶୀତଳ ଭଣ୍ଡାର କରିନାହିଁ । କୃଷକ ଅଭାବ ବିକ୍ରିରେ ହନ୍ତସନ୍ତ । ରାଜ୍ୟରେ କୃଷକର ଆୟ ୧୩ ବର୍ଷ ପରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ଘଟିନାହିଁ । ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଉଚ୍ଚଶିକ୍ଷା କଥା କହିଲେ ନ ସରେ । ରାଜ୍ୟରେ ୬୨ ହଜାର ଶିକ୍ଷକ ପଦବୀ ପୂରଣ ହେଉନାହିଁ । ଠିକ୍ ସେହିଭଳି ଭାବରେ ୩୮ ହଜାରରୁ ଅଧିକ ଡାକ୍ତର ପଦବୀ ପୂରଣ ହେଉନାହିଁ । ୪୫ ହଜାରରୁ ଅଧିକ ନର୍ସସେସ୍‌, ପାରାମେଡ଼ିକ୍‌ସ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଖଣି ଦୁର୍ନିତି, ଚିଟ୍ ଫଣ୍ଡ ଦୁର୍ନିତରେ ଭାରତ ବର୍ଷ ଏକ ନମ୍ବର ରାଜ୍ୟ । ମହିଳା ହିଂସା, ଅତ୍ୟାଚାର ଓ ଉତ୍ପିଡ଼ନ କ୍ଷେତ୍ରରେ ଭାରତ ବର୍ଷରେ ବହୁ ଆଗରେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *