୧ କୋଟି ପରିବାରକୁ ଭେଟିବେ ୫ ଲକ୍ଷ କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ଗତ ୯ ବର୍ଷ ହେଉଛି ଭାରତବର୍ଷ ପାଇଁ “ନବନିର୍ମାଣ” ଏବଂ “ଗରୀବକଲ୍ୟାଣ” ର ୯ ବର୍ଷ । ଏକବିଂଶ ଶତାବ୍ଦୀ ହେଉଛି ଭାରତବର୍ଷର ବୋଲି ଆଜି ସମଗ୍ର ବିଶ୍ୱ କହୁଛି । ଗତ ୯ ବର୍ଷ ଭିତରେ ଭାରତବର୍ଷ ‘ପଲିସି ପାରାଲିସିସ୍‌’ ରୁ ‘ଡିସାଇସିଭ୍ (ନିର୍ଣ୍ଣାୟକ) ପଲିସି’ ଏବଂ ଅର୍ଥନୀତିରେ ‘ଦୁର୍ବଳ ୫ ରୁ ଶ୍ରେଷ୍ଠ ୫’ ର ଯାତ୍ରା କରିଛି । ଗତ ୯ ବର୍ଷ ଭିତରେ ଭାରତବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” କୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜାତିବାଦ, ପରିବାରବାଦ, ଭ୍ରଷ୍ଟାଚାର ଏବଂ ତୁଷ୍ଟିକରଣର ରାଜନୀତିକୁ ଅନ୍ତ କରି ‘ବିକାଶବାଦ୍ ରାଜନୀତି’ର ପ୍ରତିଷ୍ଠା କରିଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶକ୍ରମେ  ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି ।  ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ । ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ । ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି । ଭାରତୀୟ ଜନତା ପାର୍ଟୀ ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରିଛି । ପ୍ରତ୍ୟେକ କ୍ଲଷ୍ଟରରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବେ । ଆମ ଓଡିଶା ରାଜ୍ୟରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।  ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟୀ ଏକ ମିସ୍‌ଡ କଲ୍ ନମ୍ବର ୯୦୯୦୯୦୨୦୨୪ ଲଞ୍ଚ କରାଯାଇଛି । ଘର ଘର ସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘର ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିବେ । ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସଂପର୍କ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି । ଅତୀତରେ ଯୋଜନାଗୁଡିକ କେବଳ କାଗଜ କଲମରେ ସୀମିତ ଥିଲା ଏବଂ ଧୁଳି ବସିଯାଉଥିଲା । ଆଜି ଗୋଟିଏ କାର୍ଯ୍ୟକାଳରେ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ବାସ୍ତବ ରୂପ ମଧ୍ୟ ଦିଆଯାଉଛି । ଉଭୟ ଶିଳାନ୍ୟାସ ଏବଂ ଉଦ୍‌ଘାଟନ ଗୋଟିଏ କାର୍ଯ୍ୟକାଳ ଭିତରେ ସମାପ୍ତ ହେଉଛି । ଅତୀତରେ ଗରୀବଲୋକଙ୍କୁ ପଠାଯାଉଥିବା ୧ ଟଙ୍କାରୁ ତାକୁ କେବଳ ମାତ୍ର ୧୪ ପଇସା ମିଳୁଥିଲା । ଆଜି ନରେନ୍ଦ୍ର ମୋଦି ସରକାରରେ ୧୦୦ ଟଙ୍କା ପଠାଇଲେ ୧୦୦ ଟଙ୍କା ପହଞ୍ଚୁଛି । ଗରୀବଙ୍କ ୮୬ ପଇସାକୁ ଖାଇଯାଉଥିବା ଅର୍ଥବ୍ୟବସ୍ଥାରୁ ବାହାର କରି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ଭ୍ରଷ୍ଟାଚାରମୁକ୍ତ କରିଛନ୍ତି । ଗତ ୯ ବର୍ଷରେ ଭାରତବର୍ଷ ଦାସତ୍ୱର ବନ୍ଧନକୁ ଭାଙ୍ଗି ଦେଇଛି । ରାଜପଥ ବର୍ତମାନ କର୍ତବ୍ୟପଥ; ରେସ କୋର୍ସ ରୋଡ ବର୍ତମାନ ଲୋକ କଲ୍ୟାଣ ମାର୍ଗ ହୋଇଛି । ପ୍ରଧାନସେବକ ଭାବେ ପ୍ରଧାନମନ୍ତ୍ରୀ ଜନତା ଜନାର୍ଦ୍ଦନଙ୍କ ସେବା କରୁଛନ୍ତି । ଧାରା ୩୭୦ ଧରାଶାୟୀ ହୋଇଛି । ଟ୍ରିପଲ ତଲାକ୍ ଭଳି କୁପ୍ରଥାର ଅନ୍ତ ଘଟିଛି । ଆତଙ୍କବାଦ ଉପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଛି, ଏୟାର ଷ୍ଟ୍ରାଇକ ହୋଇଛି । ଅଯୋଧ୍ୟାରେ ଶ୍ରୀ ରାମଜନ୍ମଭୁମିରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ତୀବ୍ର ଗତିରେ ଆଗେଇ ଚାଲିଛି । ଆଜିର ଭାରତବର୍ଷ ଐତିହ୍ୟ ସହିତ ବିକାଶ କରୁଥିବା ଭାରତବର୍ଷ ଅଟେ । ଆଜି ଭାରତର ବିକାଶରେ ଗତି, ପ୍ରଗତି, ଶକ୍ତି, ସୁରକ୍ଷା ଓ ସଂଯମତା ଅଛି । ଏହା ହେଉଛି ନୂତନ ଭାରତ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଭାରତ, ମିଶନ ଇଣ୍ଡିଆ ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ଭାରତବର୍ଷ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଶ୍ରୀ ଶାରଦା ଶତପଥୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *