ରେଳମନ୍ତ୍ରୀ ଇସ୍ତଫା ଦିଅ,ସିବିଆଇ ତଦନ୍ତ ଅର୍ଥହୀନ, ଦୃଷ୍ଟି ଆଡ଼େଇବା ପାଇଁ ପ୍ରୟାସ

ଭୁବନେଶ୍ୱର :ସୋମବାର ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାରମାନଙ୍କ ପାଇଁ କଂଗ୍ରେସର ସମବେଦନା ଜ୍ଞାପନ କରିବା ସହ କର୍ତବ୍ୟରେ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି । ପ୍ରାଣ ହରାଇଥିବା ଓ ପଙ୍ଗୁ ହୋଇଯାଇଥିବା ପରିବାରରୁ ଜଣଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସ୍ଥାନୀୟ ବାଲେଶ୍ୱର ଓ ବାହାନଗାବାସୀ ଦେବଦୂତସାଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଲୋକସଭାର କଂଗ୍ରେସ ଦଳର ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ, ଓଡ଼ିଶାର ଏଆଇସିସି ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲା କୁମାର ଓ କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡଙ୍କ ଦୁର୍ଘଟଣା ସ୍ଥଳକୁ ଗସ୍ତ ତଥା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ଗୁରୁତ୍ୱର ଭାବରେ ଆହତ ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ହେତୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ବାଲେଶ୍ୱର ଓ ସୋରୋରେ କଂଗ୍ରେସ ସଂଗଠନ ବିଶେଷକରି ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ସମସ୍ତ ବିଧାନସଭା ପ୍ରାର୍ଥୀ (କଂଗ୍ରେସ) ସଂପୂର୍ଣ୍ଣ ସାମିଲ ହୋଇ ଏହି ଦୁଃ ସମୟରେ ସହଯୋଗର ହାତ ବଢ଼ାଇଥିବାରୁ ପ୍ରଦେଶ କଂଗ୍ରେସ ସେମାନଙ୍କୁ ପ୍ରଂଶସା କରୁଛି ଓ ଧନ୍ୟବାଦ ଜଣାଉଛି । ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ପ୍ରଦେଛ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ତଥା ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ସୁବ୍ରତ ଦାସ ପ୍ରମୁଖ ସାମିଲ ହୋଇଥିବା ଯୁବ, ଛାତ୍ର, ମହିଳା ଓ ସେବାଦଳ ବନ୍ଧୁମାନଙ୍କୁ ଶ୍ରୀ ପଟ୍ଟନାୟକ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ୩ଲକ୍ଷ ୧୨ ହଜାର ପଦବୀରୁ ଅଧିକ ପୂରଣ ନହୋଇ ପଡ଼ିରହିଛି । ତନ୍ମମଧ୍ୟରୁ ୧ଲକ୍ଷ ୪୦ ହଜାର ପଦବୀ କେବଳ ସୁରକ୍ଷା ଓ ନିରାପତା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । ବର୍ଷ ବର୍ଷ ଧରି ଏହି ସବୁ ଗରୁତ୍ୱପୂର୍ଣ୍ଣ ପଦବୀ କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ପୂରଣ କରୁନାହାନ୍ତି । ଗତ ଶୁକ୍ରବାର ଜୁନ ମାସ ୨ ତାରିଖ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଯେଉଁ ହୃଦୟ ବିଦାରକ ରେଳ ଦୁର୍ଘଟଣା ଘଟିଲା ତାହା ହେଉଛି ଏ ଶତାବ୍ଦିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସରକାର ଜାଣିସୁଣି ପ୍ରକୃତ ମୃତକଙ୍କ ସଂଖ୍ୟାକୁ ଲୁଚାଉଛନ୍ତି । ପ୍ରକୃତରେ ମୃତକସଂଖ୍ୟା ସରକାରଙ୍କ ଠାରୁ ପ୍ରକାଶିତ ଢ଼େର ଅଧିକ ବୋଲି ଯେ କେହି ସ୍ୱୀକାର କରିବ । କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ଶବ ଉପରେ ରାଜନୀତି କରୁଛନ୍ତି ବୋଲି ଅତି କୋଠାର ଭାଷାରେ କହିଥିଲେ । ୨୦୧୨ ମସିହା ଉପା ସରକାର ସମୟରେ ରେଳ ଦୁର୍ଘଟଣା ନିରୋଧ ଯନ୍ତାଂଶକୁ (ଆଣ୍ଟି କୋଲିଜନ ଡିଭାଇସ) କଂଗ୍ରେସ ସରକାର ସମୟରେ ବିକଶିତ କରାଯାଇଥିଲା । ପରବର୍ତୀ ୨୦୧୪ ପରେ ନରେନ୍ଦ୍ର ମୋଦି ଏହାର ନାମକୁ ପରିବର୍ତନ କରି କବଜ ବୋଲି ପ୍ରଚାରତନ୍ତ୍ର ମାଧ୍ୟମରେ ପ୍ରଚାର କରି କହିଥିଲେ କବଜ ଦ୍ୱାରା ଭାରତବର୍ଷର ରେଳ ଦୁର୍ଘଟଣା ଆଉ ହେବ ନାହିଁ । ଧନଜୀବନ କ୍ଷତି ହେବ ନାହିଁ । କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ୯ବର୍ଷରେ ମାତ୍ର ୩୭୩ କୋଟି ଟଙ୍କା ବଜେଟର ଅର୍ଥ ବ୍ୟୟବରାଦ କରିଛନ୍ତି କବଜର କାର୍ଯ୍ୟକାରୀ ପାଇଁ । କିନ୍ତୁ ଏ ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ କିମ୍ବା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଗୋଟିଏବି ଟ୍ରାକରେ କବଜ ଲଗାଯାଇ ନାହିଁ । ଏଥିପାଇଁ ଏକଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ । କେନ୍ଦ୍ର ରେଳବାଇ ଓଡ଼ିଶାରୁ ମାଲପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରୁ ୨୦ ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିଲା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତା ପାଇଁ ୫ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି । କେବଳ ପ୍ରଚାରତନ୍ତ୍ର ଏବଂ ଗୋଦି ମିଡିଆ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର ବ୍ୟୟ ବରାଦର ଡାହା ମିଛ କହିଚାଲିଛନ୍ତି । ଭାରତବର୍ଷର ଇତିହାସରେ ରେଳଦୁର୍ଘଟଣାରେ ପ୍ରଥମଥର ପାଇଁ ସିବିଆଇକୁ ଇନକ୍ୱାରୀ କରିବାକୁ ଦିଆଯାଉଛି । ଏଥିରେ କ’ଣ କ୍ରାଇମ ରହିଛି ? ଏ କ୍ରାଇମ ସିଣ୍ଡିକେଟ ବାବଦରେ ମନ୍ତ୍ରୀଙ୍କ ପାଖରେ କିଛି ତଥ୍ୟ ରହିଛି କି? ଜାଣିଶୁଣି ଏ ଦୁର୍ଘଟଣାର ମୁଖ୍ୟ ଦୋଷୀ ଏବଂ କାରଣକୁ ଚପାଇଦେବା ଉଦ୍ଦେଶ୍ୟରେ ଏହା ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କର ଏକ ବୃହତ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଦାବି କରି କହିଛନ୍ତି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ସହିତ ମୃତକଙ୍କ ପରିବାର ତଥା ଗୁରୁତ୍ୱର ଆହତ ଓ ପଙ୍ଗୁ ପରିବାରଙ୍କୁ ସରକାରୀ ଚାକିରୀ ଦେବାପାଇଁ ଦାବି କରିଛନ୍ତି ତତ୍ ସହିତ ଏଭଳି ଏକ ରେଳ ଦୁର୍ଘଟଣାର ଦାୟୀତ୍ୱ ନିଜେ ରେଳମନ୍ତ୍ରୀ ନେଇ ସେ ଶୀଘ୍ର ଇସ୍ତଫା ପ୍ରଦାନ କରନ୍ତୁ । ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଲେ ଯେ ବାହାନଗା ରେଳଦୁର୍ଘଟଣା ଏକ ମନୁଷ୍ୟକୃତ ବିପତି । ରେଳମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଶହ ଶହ ଯାତ୍ରୀ ପ୍ରାଣହରାଇଲେ । ଏଥିପାଇଁ ସେ ମୁଖ୍ୟତଃ ଦାୟୀ । କେବଳ ଏହି ଦୁର୍ଘଟଣା ପାଇଁ ଜଣେ ସିଗ୍‌ନାଲମ୍ୟାନଙ୍କୁ ଦାୟୀକରି ତାକୁ ଦଣ୍ଡ ଦେବା ଯଥେଷ୍ଟ ନୁହେଁ । ଖୋଦ ରେଳମନ୍ତ୍ରୀ ଏହାର ଉତର ଦାୟୀତ୍ୱ ନେବେ କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ରେଳମନ୍ତ୍ରୀ ନିଜ ପଦବୀରୁ ତୁରନ୍ତ ଇସ୍ତଫା ପ୍ରଦାନ କରିବା କଥା । କିନ୍ତୁ ମୋଦି ସରକାର ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ କାହିଁକି ? ସାଧୁତା ଓ ଉତର ଦାୟୀତ୍ୱ ଏଣୁ ପ୍ରଦେଶ କଂଗ୍ରେସ ତାଙ୍କର ଇସ୍ତଫା ଦାବି କରୁଛି । ରେଳବାଇ ପକ୍ଷରୁ ସଂସଦୀୟ କମିଟିର ସୁପାରିଶ ଏବଂ ସିଏଜିର ରିପୋର୍ଟକୁ କେନ୍ଦ୍ର ସରକାର ଆଦୌ ପାଳନ କରିନାହାନ୍ତି । ରେଳବାଇ ସଂସଦୀୟ କମିଟିର ସୁପାରିଶ ଅନୁସାରେ ସମସ୍ତ ରେଳ ଟ୍ରାକଗୁଡ଼ିକ ପୁନଃ ନବୀକରଣ ଓ ଦୁର୍ଘଟଣା ନିରୋଧ ଯନ୍ତ୍ରାଂଶର ଉପଯୋଗୀତା ଉପରେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାରା ଭାରତ ବର୍ଷରେ ମାତ୍ର ୨% ରେଳଲାଇନରେ ଆଣ୍ଟିକୋଲିଜନ ଡିଭାଇସ ଲଗାଯାଇଛି । ମୁହର୍ତରୁ ମୁହୁର୍ତର ରେଳମନ୍ତ୍ରୀଙ୍କ ବିବୃତିରେ ପରିବର୍ତନ ମତିଭ୍ରମ ବ୍ୟତୀତ ଅନ୍ୟ କିଛି ନୁହେଁ । ସିବିଆଇର ତଦନ୍ତ ଅର୍ଥହୀନ । ଦୃଷ୍ଟି ଆଡ଼େଇବା ପାଇଁ ପ୍ରୟାସ । ରାଜ୍ୟ ସରକାର ଚିକିତ୍ସା ସହାୟତା କ୍ଷେତ୍ରରେ ଅଧିକ ଦକ୍ଷତା ପଦର୍ଶନ କରିପାରିଲେ ନାହିଁ ଯେହେତୁ ସୋରୋ ଓ ବାଲେଶ୍ୱରରେ ଡାକ୍ତର ପାରା ମେଡିକାଲ ଷ୍ଟାଫ ପଦବୀ ଖାଲି ପଡ଼ିଛି । ସମଗ୍ର ରାଜ୍ୟରେ ଅନୁରୂପ ସ୍ଥିତି । ଯଦି ସବୁ ଡାକ୍ତରଖାନାରେ ଡାକ୍ତର ଥାଆନ୍ତେ ଅଧିକ ଜୀବନ ରକ୍ଷା କରାଯାଇ ପାରିଥାନ୍ତା । ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହରା ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି କହିଲେ ଯେ ଦୋଷୀକୁ କୋଠର ଦଣ୍ଡ ଦିଆଯିବ କାହାକୁ ଛଡ଼ାଯିବ ନାହିଁ । ତେଣୁ ପ୍ରଥମ କର୍ତବ୍ୟ ଓ କାର୍ଯ୍ୟ ଦକ୍ଷତାର ଚରମ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ବରଖାସ୍ତ କରନ୍ତୁ । ସଂସଦୀୟ କମିଟି ତା’ର ୨୩ତମ ରିପୋର୍ଟରେ ସୁରକ୍ଷା ସଂପର୍କିତ ପରାମର୍ଶକୁ ମୋଦି ସରକାର ଓ ରେଳ ବିଭାଗ ଆଦୌ ଗ୍ରହଣ କରିନାହାନ୍ତି । ଯେଉଁଥି ପାଇଁକି ଆଜି ଭାରତବର୍ଷରେ ରେଳ ଦୁର୍ଘଟଣା ବହୁପରିମାଣରେ ବୃଦ୍ଧି ପାଉଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ । କେନ୍ଦ୍ର ସରକାର ସିଏଜିଙ୍କ ରିପୋର୍ଟକୁ ଉପେକ୍ଷା କରି ରେଲୱେ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ଉଦହାରଣ ସ୍ୱରୂପ ତା ୨୦୧୭ ରୁ ୨୧ ମଧ୍ୟରେ ଘଟିଥିବା ୧୦ ରୁ ୭ ଦୁର୍ଘଟଣା ଲାଇନଚ୍ୟୁତ କାରଣରୁ ହୋଇଥିଲେ ମଧ୍ୟ ଟ୍ରାକ ଉନ୍ନତି, ରକ୍ଷଣାବେକ୍ଷଣ ବ୍ୟବସ୍ଥା ତଥା ପରିଚାଳନା ଗତ ନିୟମାବଳୀକୁ ଭୃକ୍ଷେପ କଲେ ନାହିଁ । ରାଷ୍ଟ୍ରୀୟ ସଂରକ୍ଷଣ କୋଷ ଯାହା ବିରଳ ନିରାପତା ତଥା ଯାତୟୀ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ୨୦୧୭ ରେ ସୃଷ୍ଟି କରିଥିଲେ ମଧ୍ୟ ବର୍ଷକୁ ୨୦ ହଜାର କୋଟି ଅର୍ଥ ବରାଦ  । ଏହା ଦକ୍ଷତା ନାଁ ଅଯୋଗ୍ୟତା ? ଲୋକେ ପାଇଲଟଙ୍କ କ୍ଷେତ୍ରରେ ନିର୍ଦ୍ଦାରିତ ନିୟମ ଅନୁସାରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟବୋଝ ଦେବା ଓ କର୍ମକର୍ତାଙ୍କ ଲୋକେ ପାଇଲଟଙ୍କ ପାରଦର୍ଶୀତା ତାର ଦୁର୍ଘଟଣାର ଆଉ ଏକ କାରଣ । ସିବିଆଇ ତଦନ୍ତର ଘୋଷଣା ସତ୍ୟ ଲୁଚାଇବାର ହୀନ ପ୍ରୟାସ । ସିବିଆଇ ଆରଟିଆଇ ପରିସର ବାହାରେ ଥିବାରୁ ଜନସାଧାରଣଙ୍କ ଠାରୁ ଅସଲ ତଥ୍ୟ ରୁ ବିଚଳିତ କରିବ । ସିବିଆଇର ଚରିତ୍ର ଓ ଦକ୍ଷତା ପ୍ରଶ୍ନବାଚୀ ଥିବାରୁ ନ୍ୟାୟ ବଳମ୍ବିତ ହେବ । ସୁତରାଂ ଏତେ ବଡ଼ ଅଭାବନୀୟ ଦୁର୍ଘଟଣାର କେନ୍ଦ୍ର ମୋଦି ସରକାରର ଦୃଷ୍ଟିଭଙ୍ଗୀ ସଂନ୍ଦେହ ଜନକ ଓ ଆପତିଜନକ । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *