ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣା ପରେ ପରେ ବୁଧବାର ଦିନ ଯାଜପୁର କେନ୍ଦୁଝର ରୋଡ ମାଲବାହୀ ଗାଡ଼ି ଚକତଳେ ମୃତ୍ୟବରଣ କରିଥିବା ୭ଜଣ ଶ୍ରମିକଙ୍କ ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ କ୍ଷୋଭର ସହିତ ଭାରତୀୟ ରେଳବାଇ ବିଭାଗର ବେପାରୁଆ ମନୋଭାବ ଓ ଦାୟୀତ୍ୱହୀନାତ ଯୋଗୁଁ ଅକାଳରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି । କାହଁକି ବର୍ଷ ବର୍ଷ ଧରି ଏକ ପରିତ୍ୟକ୍ତ ମାଲବାହୀ ଗାଡ଼ି ସେହି ଷ୍ଟେସନରେ ପଡ଼ିରହିଥିଲା ? ସେହି ସ୍ଥାନ କ’ଣ ପରିତ୍ୟକ୍ତ ମାଲବାହୀ ଗାଡ଼ି ରହିବା ଜାଗା କି ? ଏହି ସମସ୍ତ ମୃତକମାନେ ଶ୍ରମିକ ଶ୍ରେଣୀର ଏମାନେ ସମସ୍ତେ ଜଣେ ଠିକାଦାର ଦ୍ୱାରା ନିୟୋଜିତ ହୋଇ ସେହି ଜାଗାରେ ରେଳଧାରଣାରେ କାମ କରୁଥିଲେ । ହଠାତ ବର୍ଷା ସହିତ ଜୋରରେ ପବନ ବହିବା ହେତୁ ସେହି ଶ୍ରମିକମାନେ ମାଲବାହୀ ଟ୍ରେନର ଡବା ତଳକୁ ଚାଲିଯାଇ ଆଶ୍ରୟ ନେଇଥିଲେ । କିନ୍ତୁ ଟ୍ରେନ ଡବା ଗୁଡ଼ିକ ଲକ ନହୋଇଥିବା ହେତୁ ଜୋର ପବନ ଯୋଗୁଁ ପିଟିହୋଇ ଆଗକୁ ଗଡ଼ିଯାଇ ଆଶ୍ରୟ ନେଇଥିବା ଶ୍ରମିକଙ୍କ ଉପରେ ଚଢ଼ି ଚାଲିଗଲା । ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ କିଭଳି ଭାବରେ ଟ୍ରେନ ଡବା ଗୁଡ଼ିକ ବିନା ଲକରେ ପଡ଼ିରହୁଛି । ଏଥିପାଇଁ ରେଲୱେ ବିଭାଗର ଅଧିକାରୀ ମାନେ ଦାୟୀ ରହିବେ କି ନାହିଁ? ମୃତକଙ୍କ ପରିବାରବର୍ଗଙ୍କୁ ସର୍ବନିମ୍ନ ରେଳବାୟୀ ବିଭାଗ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏହି ଘଟଣାକୁ ଅନୁସନ୍ଧାନ କରିବାପାଇଁ ତତ୍କ୍ଷଣାତ ଶ୍ରୀ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ଆଇୟୁଏନଟିୟୁସିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ଖୁଂଟିଆ ଏବଂ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ।