୧୭ଗୋଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,ଫାଇଦାରେ ଓଡ଼ିଶାର ଚାଷୀ

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷ ଶାସନରେ କୃଷି ଓ କୃଷକ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି । ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଚାଷୀର ପ୍ରଗତିରେ ଦେଶର ପ୍ରଗତି । ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଦେଶର ଶାସନ ଦାୟୀତ୍ୱ ନେବା ପରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଦେଶର ଶାସନ ଦାୟୀତ୍ୱ ନେବା ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କା ଥିଲା । ମୋଦି ସରକାରଙ୍କ ୯ ବର୍ଷର ଶାସନ ଭିତରେ ଏହାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୨୧୮୩ ଟଙ୍କା କରାଯିବା ଚାଷୀକୁଳ ପାଇଁ ଆଶ୍ୱସ୍ଥି ଆଣିଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତି ଅନୁଯାୟୀ ଧାନ ସମେତ ଅନ୍ୟାନ୍ୟ ୧୭ଗୋଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏବଂ କେନ୍ଦ୍ର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଓଡ଼ିଶାର ପ୍ରମୁଖ ଫସଲ ଧାନ ହୋଇଥିବାରୁ ଏହାର ଫାଇଦା ଓଡ଼ିଶାର ଚାଷୀମାନେ ଭରପୁର ନେବେ । ଏହି ନିଷ୍ପତି ଫଳରେ ଧାନର ଏମଏସପି ୧୪୩ ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୧୮୩ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୦୬୦ରୁ ୨୨୦୩ଟଙ୍କା ହୋଇଛି । ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ଯଥା – ବାଜରା ୨୩୫୦ ରୁ ୨୫୦୦, ମାଣ୍ଡିଆ ୩୫୭୮ ରୁ ୩୮୪୬, ମକା ୧୯୬୨ ରୁ ୨୦୯୦, ହରଡ ୬୬୦୦ ରୁ ୭୦୦୦, ମୁଗ ୭୭୫୫ ରୁ ୮୫୫୮, ଚିନାବାଦାମ ୫୮୫୦ ରୁ ୬୩୭୭, ସୂର୍ଯ୍ୟମୁଖି ୬୪୦୦ ରୁ ୬୭୬୦, କପା ୬୦୮୦ ରୁ ୬୬୨୦, ସୋୟାବିନ୍ ୪୩୦୦ ରୁ ୪୬୦୦ଟଙ୍କାକୁ ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବ ଏବଂ ରାଜ୍ୟରେ କୃଷିର ତଥା ଧାନ ମଣ୍ଡିର ଭିତିଭୂମି ଅଭାବ କାରଣରୁ କୃଷିବହୁଳ ଆମ ରାଜ୍ୟରେ ଗତ ଖରିଫ ଏବଂ ବର୍ତମାନ ରବି ଫସଲର ଉତ୍ପାଦିତ ଧାନକୁ ଏବଂ ଅନ୍ୟାନ୍ୟ ଫସଲକୁ ଚାଷୀ ସଠିକ୍ ମୂଲ୍ୟରେ ବିକ୍ରି କରିନପାରି ବହୁ କ୍ଷତି ଅସୁବିଧାରେ ପଡ଼ୁଛନ୍ତି । କେନ୍ଦ୍ର ସରକାର ଧାନର ଏମଏସ୍ପି ବୃଦ୍ଧି କରି ଧାନ କିଣିବା ପାଇଁ ରାଜ୍ୟକୁ ବ୍ୟାପକ ଅର୍ଥ ପ୍ରଦାନ କରୁଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓ ଖାମଖିଆଲି ମନବୃତି ଯୋଗୁଁ ଏବେ ବି ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ଖତ ହେଉଛି । ଫଳ ସ୍ୱରୂପ ଓଡ଼ିଶାର ଚାଷୀକୂଳ ଅଭାବି ବିକ୍ରିରେ ପଡ଼ୁଛନ୍ତି । ରାଜ୍ୟର କୃଷକ ଭାଇଭଉଣୀଙ୍କ ଆର୍ଥିକ ସ୍ଥିତି ମଜବୁତ୍ ପାଇଁ ଧାର୍ଯ୍ୟ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପ୍ରଦାନ କରାଇବାରେ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ସାମଲ କହିଛନ୍ତି । 

Leave a Reply

Your email address will not be published. Required fields are marked *