ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଓଡ଼ିଶା ଗ୍ରସ୍ତ ପ୍ରଭାବ ଶୂନ୍ୟ

ଭୁବନେଶ୍ୱର: ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ଼ାଙ୍କ ଓଡ଼ିଶା ଗ୍ରସ୍ତ ଏବଂ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି  ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ ଯେ, ନଡାଙ୍କ ଗସ୍ତ ଓଡ଼ିଶାବାସୀଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ବିଜେପିର କେନ୍ଦ୍ର ନେତୃତ୍ୱ ପୂର୍ବରୁ ଓଡ଼ିଶାକୁ ଦଖଲ କରିବା ପାଇଁ ବହୁ ବାହାସ୍ପଟ ଓ ଆସ୍ଫାଳନ କରିଥିଲେ । ମାତ୍ର ତାହା କାର୍ଯ୍ୟ କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ । ପୂର୍ବରୁ ୧୨୦ ସିଟ୍ ଦଖଲ କରିବା ପାଇଁ ଯେଉଁ ବାହାସ୍ପଟ ମାରିଥିଲେ ତାହା ସମ୍ଭବ ହୋଇପାରିଲା କି ? ଦେଶବାସୀ ତଥା ଓଡ଼ିଶାବାସୀ ଅନୁଭବ କରିଛନ୍ତି ଯେ, ବିଜେପିର ପ୍ରତିଶୃତି ପାଣିରଗାର । ଜେ.ପି ନଡ୍ଡାଙ୍କର ପାଦତଳେ ଆଉ ମାଟି ନାହିଁ । ତାଙ୍କର ନିଜ ରାଜ୍ୟ ହିମାଂଚଳ ପ୍ରଦେଶର ସରକାର ବର୍ତମାନ କଂଗ୍ରେସ ହାତରେ ଏବଂ ତାଙ୍କ ନେତୃତ୍ୱରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସେ ମଧ୍ୟ ଧରାଶୟ ହୋଇଛନ୍ତି । ଜେ.ପି ନଡ୍ଡା ଏକ ରାଷ୍ଟ୍ରୀୟ ଦଳର ସଭାପତି ହୋଇ ନିଜର ପଦ ଓ ଶାଳୀନତାକୁ ଭୁଲି ଯାଉଛନ୍ତି । କଂଗ୍ରେସ ଦଳ ସଂପର୍କରେ ସେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ସେଥିରୁ ତାଙ୍କର ବ୍ୟକ୍ତିତ୍ୱର ଅବକ୍ଷୟ ହୋଇଛି । ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜେଡ଼ି ଭାଗୁଆଳ ଭାବେ ୯ ବର୍ଷ ଶାସନ କରିଥିଲେ । ଏବେ ମଧ୍ୟ ସବୁ ନୀତି ନିଷ୍ପତିରେ ୨ ଟି ଦଳ ଏକ । ସାଧାରଣ ଜନତାଙ୍କୁ ଭୂଆଁ ବୁଲାଇବା ପାଇଁ ଭେଳିକି କରାଯାଉଛି । ଗତ ୯ ବର୍ଷର ଶାସନରେ ବିଜେପି ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ପୁରଣ କରିବାର ଅକ୍ଷମ ହୋଇଛି । ଏପର୍ଯ୍ୟନ୍ତ ବର୍ଷକୁ ୨ କୋଟି ନିଯୁକ୍ତି ଦେଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କ ମଞ୍ଜୁରୀପ୍ରାପ୍ତ ସରକାରୀ ପଦରେ ଏବେ ବି ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । ବିଶେଷ କରି କରୋନା ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କର ବିଫଳତା ସାଧାରଣ ଜନତା ଉପଲବ୍ଧି କରିଛନ୍ତି । ମୋଦୀଙ୍କ ଶାସନରେ ୱାର୍ଲଡ଼ ହଙ୍ଗର ଇଣ୍ଡେକ୍ସରେ ଭାରତ ପୃଥିବୀରେ ଏକ ଭୋକିଲା ରାଷ୍ଟ୍ରର ଅପବାଦ ମୁଣ୍ଡାଇଛି । ସାଧାରଣ ଜନତା ମହଙ୍ଗାମାଡ଼ରେ ଆଜି ହନ୍ତସନ୍ତ । ଲୋଙ୍କ ଜମାଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବେ ବୋଲି ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ପେଟ୍ରୋଲ୍‌, ଡିଜେଲ, ରନ୍ଧନଗ୍ୟାସ ଏପରିିକି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଡାଲି, ତେଲ ଓ ଅଟା ପ୍ରଭୂତିର ଦର ଆଜି ଆକାଶ ଛୁଆଁ । ସ୍ୱାଧୀନତା ପରେ କଂଗ୍ରେସ ଦେଶ ପାଇଁ ଯେଉଁ ସଂପତି ସୃଷ୍ଟି କରିଥିଲା, ବର୍ତମାନ ପ୍ରଧାନମନ୍ତ୍ରୀ ସେହି ସମ୍ପତି ସବୁ ଆଜି ତାଙ୍କର ଅନୁଗତ ଶିଳ୍ପପତିମାନଙ୍କୁ ଶାଗ, ମାଛ ଦରରେ ଦେଉଛନ୍ତି । ରେଳବାଇ, ଏଲ.ଆଇ.ସି. , ବନ୍ଦର, ବ୍ୟାଙ୍କ ଓ ଖଣି ପ୍ରଭୂତି ରାଷ୍ଟ୍ରର ସମ୍ପତି ଆଜି ଘରୋଇକରଣ ହେବାକୁ ଯାଉଛି । ଭାରତର ଏକତାର ଆତ୍ମାକୁ ଧର୍ମ, ଜାତି, ବର୍ଣ୍ଣ ଓ ଭାଷା ଆଧାରରେ ବିଜେପି ଖଣ୍ଡ ଖଣ୍ଡ କରିବାର ଷଡ଼ଯନ୍ତ୍ର କରୁଛି । ମୋଦୀ ମାର୍କା ବିକାଶ କ’ଣ ? ତାଙ୍କୁ ଆଜି ସାଧାରଣ ଜନତା ଅନୁଭବ କଲେଣି । ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ଆଜି ନିରପକ୍ଷେ ହୋଇନାହିଁ । ସମ୍ବିଧାନ ଓ ଗଣତନ୍ତ୍ରକୁ ବିପଦଗ୍ରସ୍ତ ହୋଇପଡ଼ିଛି । ଇଡ଼ି, ସିବିଆଇ ପ୍ରଭୂତିର ଅପବ୍ୟବହାର କରି ବିରୋଧି ଦଳର କଣ୍ଠରୋଧ କରାଯାଉଛି । ଭାରତରେ ଗଣତନ୍ତ୍ର ଆଜି ବିପଦଗ୍ରସ୍ତ । ସାଧାରଣ ଜନତା ଭୀତସ୍ତ୍ରତ । ବିରୋଧି୍‌ଙ୍କ ନିର୍ବାଚିତ ସରକାରକୁ ବିଜେପି ଦଳ କେନ୍ଦ୍ର ସରକାରଙ୍କ ଶକ୍ତି ପ୍ରୟୋଗ କରି ଏବଂ ଅଗଣତାନ୍ତ୍ରିକ ଉପାୟରେ ଭାଙ୍ଗି ଦେଉଛି । କଳା କୃଷି ଆଇନ ଆଣି ଏ ଦେଶର ଚାଷୀଙ୍କୁ ସର୍ବଶାନ୍ତ କରିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରିଥିଲା । ସୁତରାଂ କେନ୍ଦ୍ରର ବିଜେପି ସରକାର, ଛାତ୍ର, ଯୁବକ, ମହିଳା ଓ କୃଷକ ଏ ସମସ୍ତଙ୍କର ବିରୋଧ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଜେ.ପି. ନଡ୍ଡା କେଉଁ ପ୍ରତିଶୃତି ଦେବା ପାଇଁ ଓଡ଼ିଶା ଆସିଛନ୍ତି । ତାଙ୍କର ମିଥ୍ୟା ପ୍ରତିଶୃତିରେ ଓଡ଼ିଶାବାସୀ ଆଉ ଭାସିଯିବେ ନାହିଁ । କର୍ଣ୍ଣାଟକର ବିଜୟ ପରେ ଏ ଦେଶକୁ ବିଜେପିର ଅଧୋପତନର ବାର୍ତା ଦେଇଛି । ଆଗାମୀ ଦିନରେ ଛତିଶଗଡ଼,ହରିୟାନା, ମଧ୍ୟପ୍ରଦେଶ ଓ ରାଜସ୍ତାନ ପ୍ରଭୁତିରେ ଯେଉଁ ବିଧାନସଭା ନିର୍ବାଚନ ହେବ ସେଥିରେ କଂଗ୍ରେସର ବିଜୟ ସମ୍ଭାବନା ଉଜ୍ଜଳ ରହିଛି ।

Leave a Reply

Your email address will not be published. Required fields are marked *