ଭୁବନେଶ୍ୱର : ଶୁକ୍ରବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଏବଂ ଏହି ପରିପ୍ରେକ୍ଷୀରେ କଂଗ୍ରେସ ଲୋକଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଯାହା ଖବର ମିଳୁଛି ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ୫ଟି ସଚିବ ଭି.କାର୍ତିକେୟ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ବୁଲି ସରକାରୀ ସଭା ସମିତିରେ ବିଭିନ୍ନ ଯୋଜନାର ଘୋଷଣା ଏବଂ ଅର୍ଥ ବ୍ୟବସ୍ଥା ସଂପର୍କରେ ପ୍ରତିଶୃତି ଦେଉଛନ୍ତି । ଯାହାକି ସାମ୍ବିଧାନିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି କରିବା କଥା । ମାତ୍ର ୫ଟି ସଚିବ ନିର୍ବାଚିତ ପ୍ରତିନିଧି ମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡ଼େଇ ନେଉଛନ୍ତି । ରାଜ୍ୟର ସଚେତନ ନାଗରିକ ଏହାକୁ ନାପସନ୍ଦ କରୁଛନ୍ତି । ଜଣେ ସରକାରୀ କର୍ମଚାରୀ ବିଡ଼ିଓ ହୋଇପାରନ୍ତି, ତହସିଲଦାର ହୋଇପାରନ୍ତି, ଜିଲ୍ଲାପାଳ ହୋଇପାରନ୍ତି ବା ସଚିବ ହୋଇପାରନ୍ତି ସମସ୍ତେ ନିଜ ନିଜ ସୀମା ଭିତରେ ରହି କାର୍ଯ୍ୟ ନିର୍ବାହ କରିବା କଥା । ମାତ୍ର ୫ଟି ସଚିବଙ୍କୁ ଦିଆଯାଇଥିବା କ୍ଷମତା ଠାରୁ ସେ ଅଧିକ କ୍ଷମତା ବ୍ୟବହାର କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ । ମୁଖ୍ୟମନ୍ତ୍ରୀ ୫ଟି ସଚିବଙ୍କୁ ଏଭଳି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ ତାହା ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରକାଶ କରନ୍ତୁ । କଂଗ୍ରେସ ଅମଳରେ ଜନପ୍ରତିନିଧିମାନଙ୍କର ଏଭଳି ଦୟନୀୟ ଅବସ୍ଥା କେବେ ହୋଇନଥିଲା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଳାକୁ ୫ଟି ସଚିବଙ୍କ ଗସ୍ତ ପୂର୍ବରୁ ସେଠିକାର କଂଗ୍ରେସ ନେତୃମଣ୍ଡଳୀଙ୍କୁ ପୋଲିସ ଯେଭଳି ଭାବରେ ନଜର ବନ୍ଦି କରି ରଖିଥିଲା ତାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶୋଭନୀୟ ନୁହେଁ । ଯଦି ୫ଟି ସଚିବ ବିଭିନ୍ନ ଯୋଜନାର ରୂପାୟନ ପାଇଁ ଗସ୍ତ କରୁଛନ୍ତି ତେବେ ବାଲେଶ୍ୱରର ସାଧାରଣ ଜନତାର ସମସ୍ୟାକୁ ନେଇ ବିରୋଧିମାନଙ୍କର ପ୍ରଶ୍ନ ପଚାରିବାର ଅଧିକାର ରହିଛି । ମାତ୍ର ପୋଲିସ୍ ଲଗାଇ କଂଗ୍ରେସ ନେତୃମଣ୍ଡଳୀମାନଙ୍କୁ ଏଭଳି ହଇରାଣ ହରକତ୍ କରାଯାଉଛି, ତାହାକୁ ବରଦାସ୍ତ କରାଯିବ ନାହିଁ । ଯେତେବେଳେ ମୁଖ୍ୟ ଶାସନ ସଚିବ ଯେଉଁଠିକୁ ଗସ୍ତ କରୁଛନ୍ତି, ସେହି ଗସ୍ତରେ କେତେ ପୁଲିସ୍ ନିୟୋଜିତ ରହୁଛନ୍ତି ଏବଂ ୫ ଟି ସଚିବଙ୍କ ଗସ୍ତରେ କିଭଳି ବ୍ୟବସ୍ଥା ହେଉଛି, ତାହା ଆଜି ସାଧାରଣ ଜନତା ଦେଖୁଛନ୍ତି । ଗଣତନ୍ତ୍ରର ସ୍ତମ୍ଭ ଗୁଡ଼ିକର ନିର୍ଦ୍ଦିଷ୍ଟ ସୀମା ରହିଛି । କୌଣସି ସ୍ତମ୍ଭ ସୀମା ଟପିଲେ, ଗଣତାନ୍ତ୍ରିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୁଏ । ଜଣେ ଅଫିସରଙ୍କର କ୍ଷମତାର ପରିସର କ’ଣ ତାହା ସମସ୍ତଙ୍କୁ ଜଣା । ହେଲେ ଏବେ ଓଡ଼ିଶାରେ ଉଚ୍ଚ ପଦସ୍ତ ଅଫିସରମାନେ ନିର୍ବାଚିତ ପ୍ରତିନିଧିମାନଙ୍କର କ୍ଷମତାକୁ ସଂକୁଚିତ କରିଦେଉଛନ୍ତି । ଏହା ପୂର୍ବରୁ ଆମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କ ଅମଳରେ ଶାସନ ଅତିନିକଟରୁ ଦେଖୁଛୁ । ସେହି ସମୟରେ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଏଭଳି ହତାଦାର କରାଯାଉନଥିଲା । ଏବେ ନବୀନ ବାବୁଙ୍କର ପ୍ରାଧାନ୍ୟ ମଧ୍ୟ କ୍ଷୁର୍ଣ୍ଣ ହେଉଥିବାର ମନେ ହେଉଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅଫିସର ରାଜ୍ ସୀମା ଉଲ୍ଲଘଂନ କରୁଛି । କଂଗ୍ରେସ ନେତୃବୃନ୍ଦ ଓ କର୍ମୀକୁ ଅତ୍ୟାଚାର କରାଯାଉଛି । ଅଫିସରମାନେ ନିଜ ସୀମା ପରିସର ଭିତରେ ରୁହନ୍ତୁ, ନଚେତ୍ କଂଗ୍ରେସ ତାଙ୍କୁ ସୀମା ଭିତରେ ରହି କାର୍ଯ୍ୟ କରିବା ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧ୍ୟ କରାଇବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ, ବାଲେଶ୍ୱର ଯେଉଁ ଅଭାବନୀୟ ଘଟଣା ଘଟିଛି ତାହା ହେଲା ମାନବ ଶୃଙ୍ଖଳ ବନାମ ଲୌହ ଶୃଙ୍ଖଳ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନ ପ୍ରତିନିଧିଙ୍କ ଭୂମିକା ସର୍ବପ୍ରଧାନ ଓ ସର୍ବପ୍ରଥମ । ଆମ ଶାସନ ହେଉଛି ପ୍ରତିନିଧି ମୂଳକ ଶାସନ ବ୍ୟବସ୍ଥା । ନିଷ୍ପତି ନେବାର କ୍ଷମତା କେବଳ ପ୍ରତିନିଧିମାନଙ୍କର ରହିଛି କିନ୍ତୁ ଅମଲାତନ୍ତ୍ର ନୁହେଁ । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ କହିଥିଲେ ଯେ, ୫ଟି ସଚିବଙ୍କୁ ବାଲେଶ୍ୱରର ବିରୋଧି କଂଗ୍ରେସ ପ୍ରଶ୍ନ କରିବା କ’ଣ ଅପରାଧ ? ବାଲେଶ୍ୱର ଜିଲ୍ଲା ୧୭୨ ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଅଟକି ଯାଇଛି । କଂଗ୍ରେସ ସମୟରେ ହୋଇଥିବା ଶିଳ୍ପ ଆଜି ବନ୍ଦ ହୋଇପଡ଼ିଛି । କେବେ ସେଗୁଡ଼ିକର ପୁନଃଉଦ୍ଧାର ହେବ ଏବଂ ନୂଆ ଶିଳ୍ପ ପ୍ରତିଷ୍ଠା ହେବ । ବାଲେଶ୍ୱର ଜିଲ୍ଲାର ଅବାଧ ନିଶା କାରବାର ଚାଲିଛି । ଯାହା ସେଠିକାର ଆଇନ ଶୃଙ୍ଖଳା ପରିସ୍ଥିତକୁ ବିପର୍ଯ୍ୟସ୍ତ କରିସାରିଲାଣି । ଏ ସବୁ ପ୍ରଶ୍ନ ଯଦି ୫ ଟି ସଚିବଙ୍କ ପାଖରେ କଂଗ୍ରେସ ନେତୃମଣ୍ଡଳି ଉପସ୍ଥାପନ କରନ୍ତି, ଏଠି ଅସୁବିଧା କେଉଁଠି ରହିଲା । ମାତ୍ର ଯେଉଁଭଳି ଭାବରେ ନାଜିବାଦର ଶାସନ ସେଠାରେ ଅନୁଭୂତ ହେଉଛି ତାହା ପୂର୍ବରୁ କେବେ ଦେଖା ଦେଇନଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏବଂ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନ୍ଗୋ ଉପସ୍ଥିତ ଥିଲେ ।