ବନ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ପାଣି ଆସୁଛି ।  ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି ।  ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିଛି । ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତ୍ତନ ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି । ସୁବର୍ଣ୍ଣରେଖା ଜାମଶୋଳାଘାଟଠାରେ ୫୩.୩୪ ମିଟର ଉଚ୍ଚରେ ରହିଛି । ଏହା କ୍ରମଶଃ ବୃଦ୍ଧି ପାଉଛି । ରବିବାର ଦିନ ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ୍‌ ରହିଛି ।  ମୁଣ୍ଡଳି ସମେତ ମହାନଦୀର ଜଳସ୍ତର ସବୁ ସ୍ଥାନରେ କ୍ରମଶଃ  ହ୍ରାସ ପାଉଛି । ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୩ ଟି ଜିଲ୍ଲାର ୭୩ ଟି ବ୍ଲକ ୬୦୯ ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୮ ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୭୬୮ ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୫ ଲକ୍ଷ ୪୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୬୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୩୨୪ ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ବନ୍ୟା ପ୍ରଭାବରେ ୫ ଲକ୍ଷ ୬୧ ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୫ ଲକ୍ଷ ୨୧ ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ଟି ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲାଯାଇଥିବାବେଳେ, ୧୧୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୁତୟନ ହୋଇଛି । ୪୨ହଜାର ୨୭୪ ଟି ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ୨୫୩ ଟି ହାଲୋଜିନ୍‌ ବଟିକା ବଣ୍ଟାଯାଇଛି । ଏହି ସମୟରେ ୭୩୦୦ ସାଧାରଣ ରୋଗର ଚିକିତ୍ସା ହୋଇଥିବାବେଳେ, ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି । ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ ଟି ଭେଟେନାରୀ ଟିମ୍‌ ନିୟୋଜିତ ହୋଇଛି । ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୮ ହଜାରରରୁ ଉର୍ଦ୍ଧ୍ଵ ପଶୁଙ୍କୁ ଚିକିତ୍ସା କରାଯାଇଅଛି । ୧୦ ଟି ଜିଲ୍ଲାକୁ ୮୬୪.୦୬ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଅଛି । ବନ୍ୟାଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୯୩ ହଜାର ୨୦୦ ପାଣି ବୋତଲ ଓ ୧୨ ଲକ୍ଷ ୨୯ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି । ଏହା ସହ ୨୦୩ ଟି ଭ୍ରାମ୍ୟମାଣ ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୪ ଟି ଜିଲ୍ଲାରେ ୧୬ ଟି ଏନଡିଆରଏଫ୍‌, ୧୭ ଟି ଓଡ୍ରାଫ୍‌, ୫୫ ଟି ଅତିରିକ୍ତ ଫାୟର ସର୍ଭିସ୍‌ ଟିମ୍‌ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *