ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବେଙ୍ଗ ମୁତିଲେ ବନ୍ୟା ହେଉଛି । ଏହି ବନ୍ୟା ବିଡିଏ କୃତ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି । କୂଆଖାଇ, ଦୟା ନଦୀରେ ଯେତିକି ପାଣି ଭୁବନେଶ୍ୱରର ରାସ୍ତାଘାଟରେ ସେତିକି ପାଣି ଜମିଯାଉଛି । ଘରେ ଘରେ ପାଣି ପସୁଛି । ରାସ୍ତା ଘାଟରେ ଗାଡ଼ି ମୋଟର ଭାସୁଛି । ଏ ଭୁଲ ବିଡିଏର ବୋଲି ଭୁବନେଶ୍ୱରର ନବ ନିର୍ବାଚିତା ମେୟର ଗଣମାଧ୍ୟମରେ ମଧ୍ୟ ପ୍ରକାଶ କରିଛନ୍ତି । ବିଡିଏ କି ଭୁଲ କରିଛି ମେୟର ତାହା ମଧ୍ୟ ସ୍ପଷ୍ଟ ଭାବରେ ବୁଝାଇଛନ୍ତି । ୨୨ ବର୍ଷ ପୂର୍ବେ ଏ ସମସ୍ୟା ନଥିଲା । ନବୀନ ସରକାର ବିଡିଏକୁ ଖୋଲା ଛାଡ଼ିଦେବା ଫଳରେ ଗୃହ ନିର୍ମାଣ ପାଇଁ ବିଡ଼ିଏ ମନମୁଖି ଅନୁମତି ଦେଲା । ଭୁବନେଶ୍ୱରର ୧୦ ରୁ ଉର୍ଦ୍ଧ୍ୱ ପ୍ରାକୃତିକ ଡ୍ରେନ ଉପରେ ଏବଂ ବିଭିନ୍ନ ଜାଗାରେ ଅନ୍ୟାନ୍ୟ ଡ୍ରେନ ଉପରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ଦେବା ଫଳରେ ଜଳ ନିଷ୍କାସନ ବନ୍ଦ ହୋଇଗଲା । ଯାହା ଫଳରେ କୃତିମ ବନ୍ୟା ସୃଷ୍ଟି ହୋଇ ଭୁବନେଶ୍ୱରରେ ଧନଜୀବନ ନଷ୍ଟ କରିବା ସହ ଭୁବନେଶ୍ୱରକୁ ଜଳାର୍ଣ୍ଣବ କଲା । ଏବେ ୭ ବର୍ଷ ଭିତରେ ଡ୍ରେନରେ ପଡ଼ି ୭ଜଣରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କଲେଣି । ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ଗୃହନିର୍ମାଣ ଅନୁମତି ମାତ୍ର ଦୁଇବର୍ଷ ହେବ ବିଏମସି ଦାୟୀତ୍ୱ ନେଇଛି । ଯେଉଁ ଅଫିସରମାନେ ଏଠାରେ ୧୫ ରୁ ୨୦ ବର୍ଷଧରି ଚକା ପକାଇ ବସିଥିଲେ ସେଇମାନେ ହିଁ ଭୁବନେଶ୍ୱର ସହରକୁ ବିକୃତ କରିଦେଇଛନ୍ତି । ଏଠାରେ ଦାୟୀତ୍ୱରେ ଥିବା ଅଣଓଡ଼ିଆ ଅଫିସରଙ୍କୁ ଭୁଲ୍ ତଥ୍ୟ ଦେଇ ନିଜେ ଉତ୍କୋଚ ନେବା ସହ ସଂପୂର୍ଣ୍ଣ ଭୁବନେଶ୍ୱର ସହରର ଭୌଗଳିକ ବ୍ୟବସ୍ଥାକୁ ବିଗାଡ଼ି ଦେଇଛନ୍ତି । ଏ ବନ୍ୟା ଏବଂ କ୍ଷୟକ୍ଷତି ପରିସ୍ଥିତି ପାଇଁ କେବଳ ସେଇ ଦୁଇଜଣ ଅଫିସର ହିଁ ଦାୟୀ । ସେମାନେ ଭୁବନେଶ୍ୱରରେ ଜେଟିପି ଭାବରେ କାର୍ଯ୍ୟ କରୁଥିଲେ, ଏବେ ପ୍ଲାନିଂ ମେମ୍ବର ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ଏଠାରେ ବହୁ ବର୍ଷ ଧରି ଚାକିରୀ କଲେଣି ମାତ୍ର ସେମାନଙ୍କର ବଦଳି ନାହିଁ । ସେଇ ଦୁଇ ଅଫିସର ହେଲେ ଗୌରୀଶଙ୍କର ଭୂୟାଁ ଏବଂ ମହମ୍ମଦ ଇକବାଲ ଅଲ୍ଲୀ । ଗୌରୀଶଙ୍କର ଭୂୟାଁ ଭୁବନେଶ୍ୱରରେ ପ୍ଲାନିଂ ମେମ୍ବର ଥିବାବେଳେ ମହମ୍ମଦ ଇକବାଲ ଅଲ୍ଲୀ କଟକରେ ପ୍ଲାନିଂ ମେମ୍ବର ଅଛନ୍ତି । ଏମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଚାଲୁଥିଲେ ମଧ୍ୟ ସରକାର ତାଙ୍କୁ ସେହି ପଦବୀରେ ରଖିବା ଆଶ୍ଚର୍ଯ୍ୟ ଏବଂ ଦୁର୍ଭାଗ୍ୟର ବିଷୟ । ଏଠାରେ ସୂଚନାଯୋଗ୍ୟ ଡମଣାଛକର କ୍ଳବଟାଉନ, ଜୟଦେବ ବିହାର ଛକ ବିଲିଡିଂ, ଦୱାର୍ଲଡ ପାଖରେ ଥିବା ଲେକଭିୟୁ, ଇସ୍କନ ମନ୍ଦିର ପାଶ୍ୱର୍ବର୍ତି ପ୍ରଭୃତି ଅଟ୍ଟାଳିକା ପ୍ରଭୃତିକୁ ବେଆଇନ ଭାବେ ଅନୁମତି ଦିଆଯାଇଛି । ସରକାରଙ୍କର ବିଧିବ୍ୟବସ୍ଥାକୁ ଏଥିରେ ଉଲ୍ଲଙ୍ଘନ କରାଯାଉଛି । ବର୍ତମାନ ଭୁବନେଶ୍ୱରବାସୀ ଖୋଜୁଛନ୍ତି ଯେ ଭୁବନେଶ୍ୱର ସହରକୁ ଏପରି ଅବ୍ୟବସ୍ଥିତ କଲାକିଏ ? ବିଲଡର ମାନଙ୍କୁ ଆଖିବୁଜା ଅନୁମତି ଦେଲାକିଏ ? ଭୁବନେଶ୍ୱରରେ କୃତ୍ରିମବନ୍ୟା ପାଇଁ ଦାୟୀ କିଏ ? କେବଳ ଗୌରୀଶଙ୍କର ଭୂୟାଁ ଏବଂ ମହମ୍ମଦ ଇକବାଲ ଅଲ୍ଲୀ । ଗତ ୧୫ ବର୍ଷଧରି ମହମ୍ମଦ ଇକବାଲ ଅଲ୍ଲୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲେ । ଏମାନେ ପରୋକ୍ଷ ଭାବରେ ଅନେକ ବିଲଡର ସଂସ୍ଥାର ମାଲିକାନା ସହ ସଂପୃକ୍ତ ବୋଲି ଅଭିଯୋଗ ହେଉଛି । ତୁରନ୍ତ ଏହି ଦୁଇ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନହେଲେ ଛାତ୍ର କଂଗ୍ରେସ ପକ୍ଷରୁ ଦୁର୍ବାର ଓ ଦୃଢ଼ ଆନ୍ଦୋଳନ କରାଯିବ ଏବଂ ବିଡିଏ କାର୍ଯ୍ୟାଳୟ ଘେରାଉ କରାଯିବ ।