ଭୁବନେଶ୍ୱର:କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ସୋମବାର ଦିନ ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ବୁଲି ଦେଖିଛନ୍ତି । ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ । ଛାତ୍ରଛାତ୍ରୀମାନଙ୍କ ଓଡ଼ିଶା ବିଧାନସଭା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଓ ଏ ସମ୍ବନ୍ଧୀୟ ବିଶଦ ତଥ୍ୟ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବିଧାନସଭା ଗୃହ ଓ ପରିସରରେ ଥିବା ଓଡ଼ିଶାର ବରପୁତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିମାନ ଛାତ୍ରଛାତ୍ରୀମାନଙ୍କୁ ଅଭିଭୂତ କରିଥିଲା । ସୂଚନାଯୋଗ୍ୟ ଯେ କଲିକତାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରି ପିପିଲି, କୋଣାର୍କ, ଖଣ୍ଡଗିରି, ଉଦୟଗିରି ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି । ଓଡ଼ିଶା ବିଧାନସଭା ବୁଲି ଦେଖିବା ସେମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀଙ୍କୁ ଜଣାଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶ୍ରୀ ଶିକ୍ଷାୟତନ ସ୍କୁଲର ଛାତ୍ରଛାତ୍ରୀ, ସେମାନଙ୍କର ଶିକ୍ଷକଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ ।