ପ୍ରାଥମିକ ଶିକ୍ଷକଙ୍କ ଦାବି ପ୍ରତି କଂଗ୍ରେସର ସମର୍ଥନ

ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟର ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ସହାନୁଭୁତିର ସହ ସେଗୁଡ଼ିକ ବିଚାର କରି ତୁରନ୍ତ ସମାଧାନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିବୃତି ଜାରିକରି ଜଣାଇଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ତଥା ଶିକ୍ଷକମାନଙ୍କ ପ୍ରତି ଉଦାସୀନ ମନୋଭାବ ହେତୁ ଆଜି ୫୦ ହଜାର ସ୍କୁଲରେ ତାଲା ପଡ଼ିଛି । ସମୁଦାୟ ୧.୩୦ ଲକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି ଓ ୪୦ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏହା ଯେତିକି ଦୁଃଖ ଦାୟକ ସେତିକି ଚିନ୍ତାଜନକ । ଶିକ୍ଷକ ବନ୍ଧୁମାନଙ୍କର ଦାବି ଯଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଗଣ ଶିକ୍ଷକଙ୍କୁ ଲାଗୁ ହୋଇଥିବା ଏକ୍ସ କାଡର ବ୍ୟବସ୍ଥା ହଟାଇବା, ନୂଆ ପେନସନ ପରିବର୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁକରିବା ସଂପୂର୍ଣ୍ଣ ଯୁକ୍ତିଯୁକ୍ତ ବୋଲି ଶ୍ରୀ ବେହେରା କହିଛନ୍ତି । ପୁନଶ୍ଚ ସ୍ୱୟଂ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୦୨୨ ଓ ଏପ୍ରିଲ ୨୦୨୩ ରେ ଠିକା ନିଯୁକ୍ତି ଶିକ୍ଷକ ନିଯୁକ୍ତି ଉଚ୍ଛେଦ ହେବାର ଘୋଷଣା କରି ଏବେ ୨୦ ହଜାର ଠିକା ଶିକ୍ଷକ ନିଯୁକ୍ତି ଦେବାର ବିଜ୍ଞାପନ ଜାରି କରିବା ଦୁର୍ଭାଗ୍ୟଜନକ । କଂଗ୍ରେସ ଏହି ଅବାଂଚିତ ଠିକା ଶିକ୍ଷକ ନିଯୁକ୍ତିର ଅବସାନ ଘଟାଇବା ପାଇଁ ଦାବି କରୁଛି । ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟଳୟ ମଇ ୨୦୨୧ ରେ ଦେଇଥିବା ଟିପ୍ପଣୀ ଅନୁସାରେ ଶିକ୍ଷକମାନଙ୍କର ବର୍ଗୀକରଣର ପୂର୍ଣ୍ଣଛେଦ ମଧ୍ୟ ଜରୁରୀ । ଶୀଘ୍ର ସ୍କୁଲ ଖୋଲି ପିଲାମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ । ସୁତରାଂ ଦାବିଗୁଡ଼ିକର ଯଥାର୍ଥତା ଉପଲବଧି କରି ପୂରଣ ନିମିତ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ଦାବି ଜଣାଇଛନ୍ତି ।