ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ,ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ଵର : ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ।

ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏମଏସଏମଇ କାର୍ଯ୍ୟକ୍ରମରେ ୧୭ ତାରିଖ ପୂର୍ବାହ୍ନ ୧୦ ଘ.୧୫ ମି. ସମୟରେ ଯୋଗଦେବେ  । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସ୍ଥାନୀୟ ଉତ୍ପାଦ ପ୍ରସ୍ତୁତ କରୁଥିବା କଳାକାର ଓ ହସ୍ତଶିଳ୍ପି ମାନଙ୍କ ସହ ଯୋଗାଯୋଗ କରିବେ ଯାହା ସ୍ଥାନୀୟ ସମ୍ପ୍ରଦାୟ ଏବଂ ରେଳ ଉତ୍ସାହୀମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ହେବ ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଲୋକାଲ ଟ୍ରେନ୍‌ରେ ସ୍ୱଚ୍ଛତା ଅଭିଯାନରେ ନେତୃତ୍ୱ ନେବେ ଏବଂ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିବେ । ଭୁବନେଶ୍ୱର ରୁ ଏହି ଟ୍ରେନ ଅପରାହ୍ନ ୦୨ ଘ.୩୦ ମି.ରେ ଛାଡି କଟକ ଯାତ୍ରା କରିବ ଏବଂ ମନ୍ତ୍ରୀଙ୍କ ସହ ଯାତ୍ରୀମାନେ ଯୋଗାଯୋଗ କରିବାର ସୁଯୋଗ ପାଇବେ । ଶ୍ରୀ ବୈଷ୍ଣବ ସ୍ଵଚ୍ଛତା ଅଭିଯାନ ଏବଂ ଏହାର ମହତ୍ତ୍ୱ ବିଷୟରେ ଯାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିବେ ।

ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଭାଗ ନେବେ । ଏହି କାର୍ଯ୍ୟକ୍ରମ ରେଳ ବ୍ୟବସ୍ଥାର ଉନ୍ନତି ତଥା ଏହାର ଯାତ୍ରୀମାନଙ୍କ କଲ୍ୟାଣ ପାଇଁ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ । ରେଳ ବ୍ୟବସ୍ଥାରେ ସ୍ୱଚ୍ଛତାର ମହତ୍ତ୍ୱ ବିଷୟରେ ଆଲୋଚନା ଏବଂ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ହିତାଧିକାରୀଙ୍କୁ ଏକତ୍ରିତ କରି ଏହା ଏକ ସୂଚନାଯୋଗ୍ୟ ଏବଂ ପ୍ରେରଣାଦାୟୀ ଘଟଣା ହେବ ବୋଲି ଆଶା କରାଯାଏ । ଏହା ସହିତ ଅପରାହ୍ନ ୩ ରେ କଟକ ରେଳ ଷ୍ଟେସନରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ଏହା ପରେ ଭୁବନେଶ୍ୱର ଫେରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।