ଓଡ଼ିଶାରେ ଲୋକପ୍ରତିନିଧିର ସରକାର ଚାଲୁନାହିଁ ।

ଭବାନୀପାଟଣା : ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ କରିଛି ଭାରତବର୍ଷରେ ଅନେକ ରାଜନୈତିକ ଦଳ ମହିଳା ସଂରକ୍ଷଣ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ କିନ୍ତୁ ମୋଦିଜୀ ତାହା କରି ଦେଖାଇଲେ । ଭାରତ ବର୍ଷର ଗଣତନ୍ତ୍ରର ଏହି ମହାଅବସରରେ ଆମେ ସମସ୍ତେ ଏହି ଯୁଗାନ୍ତକାରୀ ନିଷ୍ପତିର ସାକ୍ଷୀ ଭାବରେ ଗର୍ବ ଅନୁଭବ କରୁଛେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନିପାଟଣାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ସାରା ବିଶ୍ୱର ୭୫ଭାଗ ହଳଦୀ ଭାରତରେ ଉତ୍ପାଦନ ହୁଏ ଏବଂ ଭାରତବର୍ଷ ବିଦେଶକୁ ୬୨ପ୍ରତିଶତ ହଳଦୀ ରପ୍ତାନୀ କରେ । ହଳଦୀ ଚାଷରେ ଭାରତବର୍ଷର ୫ମ ରାଜ୍ୟ ହେଉଛି ଓଡିଶା । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଜୀ “ଜାତୀୟ ହଳଦୀ ବୋର୍ଡ” ଗଠନ କରିଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲାର ଲକ୍ଷାଧିକ ହଳଦୀ ଚାଷୀ ଲାଭାନ୍ୱିତ ହେବେ ଏବଂ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ । ଏନେଇ ଓଡ଼ିଶାର ଚାଷୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡିଶାର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି ମୋଦିଜୀ । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ୫୩ ଲକ୍ଷ ହିତାଧିକାରୀ ଅଛନ୍ତି ଏବଂ କଳାହାଣ୍ଡି ଭଳି ପଛୁଆ ଜିଲ୍ଲାର ମାଁ ଓ ଭଉଣୀମାନେ ଅଧିକ ଉପକୃତ ହୋଇଛନ୍ତି । ସେହିପରି ରାସ୍ତାଘାଟ, ରେଳସେବା, ବିମାନସେବାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦି ଜୀ ଗମନାଗମନ କ୍ଷେତ୍ରରେ ଆଜି କଳାହାଣ୍ଡି ଜିଲ୍ଲାକୁ ଅନ୍ୟ ଜିଲ୍ଲା ଏବଂ ରାଜ୍ୟମାନଙ୍କ ସହ ଯୋଡିବାରେ ସଫଳ ହୋଇଛନ୍ତି । ରାଜ୍ୟ ସରକାର ଯଥାଶୀଘ୍ର ଜମି ହସ୍ତାନ୍ତର କାର୍ଯ୍ୟ ସମାପ୍ତ କଲେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳବାସୀ ରେଳସେବାର ଲାଭ ପାଇବେ । ଉତ୍‌କେଲାଠାରେ ବିମାନ ବନ୍ଦର ଆରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ଗମନାଗମନ ଆହୁରି ସୁ୍‌ଦୃଢ ହୋଇପାରିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଓଡ଼ିଶା ରାଜ୍ୟ ଜଙ୍ଗଲ, ଖଣିଜ, ଜଳସମ୍ପଦ, ସୁଦୀର୍ଘ ବେଳାଭୂମି ଇତ୍ୟାଦି ପ୍ରାକୃତିକ ସମ୍ପଦରେ ଭରପୁର । ଓଡ଼ିଶା ଧନୀ, କିନ୍ତୁ ଓଡ଼ିଶାର ଲୋକେ ଗରୀବ । କୃଷି ପ୍ରାଧାନ୍ୟ ଓଡିଶାରେ ପ୍ରଥମେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ଏବଂ ପରବର୍ତୀ ସମୟରେ ୧୦ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନ କରାଯିବାର ବାରମ୍ବାର ଘୋଷଣା କରି ସୁଦ୍ଧା ଆଜି ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଚାଷଜମି ଜଳସେଚିତ କରିବାରେ ବିଫଳ ହୋଇଛି ନବୀନ ସରକାର । ଓଡିଶାର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଦୌ ଚିନ୍ତିତ ନୁହନ୍ତି । ଚାଷୀମାନଙ୍କୁ ଉତ୍ପାଦିତ ଶସ୍ୟର ଉଚିତ୍ ମୂଲ୍ୟ ନମିଳିବାରୁ ଅଭାବୀ ବିକ୍ରୀର ଶିକାର ହୋଇ ଆର୍ଥୀକ ସଂକଟର ସମ୍ମୁଖୀନ ହେଉଛନ୍ତି । କଳାହାଣ୍ଡିରେ ପର୍ଯ୍ୟାପ୍ତ ପରିମାଣର କପା ଚାଷ ହେଉଥିଲେ ବି ତାହାର ଉଚିତ ମୂଲ୍ୟ ଚାଷୀକୁ ମିଳିପାରୁନାହିଁ । ୨୩ ବର୍ଷ ଶାସନ କାଳରେ ଜିଲ୍ଲାରେ ଗୋଟିଏ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା କରିପାରିଲେ ନାହିଁ ନବୀନ ସରକାର । ସେହିପରି ଚାହୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ । ଜଙ୍ଗଲଭରା ଓ ଆଦିବାସୀବହୁଳ କଳାହାଣ୍ଡି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଆର୍ଥୀକ ସହାୟତା ସତ୍ୱେ ଲଘୁଜାତ ବନଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସେହିପରି ଚାଷଜମିକୁ ଜଳସେଚିତ କରାଇବାରେ ବିଫଳ ହେଲେ । କଳାହାଣ୍ଡିରେ କୃଷକଙ୍କ ପାଖରୁ ଧାନକିଣା ଠିକ୍‌ଭାବରେ ହେଉନାହିଁ କି ମଣ୍ଡିଖୋଲୁ ନାହିଁ । ଫଳରେ କୃଷକ ଧାନର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେଉଛନ୍ତି । କଳାହାଣ୍ଡିରେ କୃଷିଭିତିକ ଶିଳ୍ପବ୍ୟବସ୍ଥାର ଆବଶ୍ୟକତା ଅଛି । ୨୩ବର୍ଷ ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର କରିବାରେ ଫେଲ ମାରିଛି । ନବୀନ ସରକାର ନିର୍ବାଚନ ବୈତରଣୀ ପାର୍ ପାଇଁ ଶସ୍ତା ଘୋଷଣା କରି ଓଡ଼ିଶାବାସୀଙ୍କୁ ଠକିଥାନ୍ତି । ୨୦୧୯ ବାତ୍ୟା ପାଇଁ ମୋଦି ସରକାର ୬,୬୪୯କୋଟି ଟଙ୍କା ଦେଲେ କିନ୍ତୁ ଏଯାଏଁ ବି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଙ୍ଗଳୀରେ ଘରଭଙ୍ଗା ଟଙ୍କା ମିଳିନାହିଁ । ବିଜେଡି ସରକାର ଜନବିରୋଧୀ କାର୍ଯ୍ୟରେ ସମସ୍ତ ସୀମା ପାର ହୋଇସାରିଛି ବୋଲି ଶ୍ରୀ ସାମଲ କହିଛନ୍ତି । ୟୁପିଏ ସରକାରର ୧୦ବର୍ଷରେ ୨ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଥିବାବେଳେ ମୋଦି ସରକାର ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଭଳି ମୌଳିକ ସେବାରୁ ଓଡିଶାବାସୀଙ୍କୁ ବଞ୍ଚିତ ରଖୁଛନ୍ତି ୨୩ ବର୍ଷର ବିଜେଡି ସରକାର । ପ୍ରତିଶୃତ ଓ ଘୋଷଣା ସର୍ବସ୍ୱ ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ସରକାର ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ ପାଇଁ ଆଦୌ ଚିନ୍ତିତ ନୁହନ୍ତି । ମିଛ ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାରି ହେବାରେ ବ୍ୟସ୍ତ ନବୀନ ସରକାର । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଗୃହବନ୍ଦୀ । ମୁଖ୍ୟମନ୍ତ୍ରିଙ୍କ ବ୍ୟକ୍ତିଗତ ସଚିବ ହେଲିକେପ୍ଟରରେ ବୁଲି ବୁଲି ଅଭିଯୋଗ ଆଣୁଛନ୍ତି, କିନ୍ତୁ ସମାଧାନ ନାହିଁ । ଡାକ୍ତର, ଶିକ୍ଷକ, ଅଙ୍ଗନବାଡୀ, ଆଶାକର୍ମୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଗ୍ରାମରକ୍ଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ଓଡ଼ିଶାରେ ଲୋକପ୍ରତିନିଧିର ସରକାର ଚାଲୁନାହିଁ ବରଂ ପ୍ରଶାସନିକ ସରକାର ଚାଲିଛି । ଓଡ଼ିଶାରେ ନିର୍ବାଚିତ ସରକାର ଅଛି ବୋଲି ଲୋକେ ଅନୁଭବ କରୁନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ବିଜେପି ଶାସନକୁ ଆସିଲେ ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ କରାଯିବ । ବିଶେଷ ଭାବେ ଶିକ୍ଷକ, ଡାକ୍ତର ଅଭାବକୁ ଦୁର କରାଯାଇ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜୁନାଗଡ ନିର୍ବାଚନ ମଣ୍ଡଳୀ ଓ ଧର୍ମଗଡରେ ବିଜେପି ରାଜ୍ୟ ସଭାପତିଙ୍କୁ ସ୍ୱାଗତ । ରାଜ୍ୟ ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବାବା ରମେଶ୍ୱରମ ମନ୍ଦିରର ଦର୍ଶନ କରିବା ପରେ କଳସରେ ମାଟି ସଂଗ୍ରହ କରିଥିଲେ । ଜୁନାଗଡ ନିର୍ବାଚନ ମଣ୍ଡଳୀରେ ମା ଲେଙ୍କେଶ୍ୱରୀ, ଧର୍ମଗଡରେ ମା ଭଣ୍ଡାରଘରଣୀଙ୍କ ପୀଠରୁ କଳସରେ ମାଟି ସଂଗ୍ରହ କଲେ ଶ୍ରୀ ସାମଲ । ଜୁନାଗଡ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତା ବୈଠକ ଏବଂ ମିଶ୍ରଣ ପର୍ବ ଶେଷରେ ଶପଥ ପାଠ କରାଇଲେ ରାଜ୍ୟ ସଭାପତି ଶ୍ରୀ ସାମଲ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତିଙ୍କ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି ।