ଚଳିତ ବନ୍ୟା ରାଜ୍ୟ ସରକାରଙ୍କ ଅପାରଗତା, ଦାୟୀତ୍ୱହୀନତା ଓ ସମ୍ବେଦନହୀନତାକୁ ପଦାରେ ପକାଇଛି

ଭୁବନେଶ୍ୱର : ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ । ହୀରାକୁଦ ବନ୍ଧର ଉପର ଓ ତଳ ଅଞ୍ଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡିଥିଲା । ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ । ସାଧାରଣ ମଣିଷ ପଣିଆ ଭୁଲିଯାଇଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳିଛନ୍ତି । ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପହଞ୍ଚିନାହାନ୍ତି । ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଡାକି ଆଣିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । କୃଷିମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ ଏବଂ ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ । କିନ୍ତୁ ବର୍ତମାନ ସୁଦ୍ଧା ପ୍ରକୃତ କ୍ଷୟକ୍ଷତି ଆକଳନ କରିବାକୁ ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି । ଚଳିତ ବନ୍ୟାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଗତ ୧୭ତାରିଖରେ ଗଣମାଧ୍ୟମ ଜରିଆରେ ଏବଂ କାର୍ଯ୍ୟାଳୟରୁ ଯୋଗାଯୋଗ ମାଧ୍ୟମରେ ଦଳୀୟ କାର୍ଯ୍ୟକର୍ତାମାନଙ୍କୁ ଗ୍ରାଉଣ୍ଡ ଜିରୋରେ ସେବା ଓ ସହାୟତା ଯୋଗାଇ ଦେବାକୁ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ପାର୍ଟି ପକ୍ଷରୁ ରାଜ୍ୟସ୍ତରୀୟ ଦୁଇଟି ବନ୍ୟାଞ୍ଚଳ ଗସ୍ତ ନିମନ୍ତେ ଟିମ୍ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଗଠନ କରିଥିଲେ ଏବଂ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏକ ସ୍ୱତନ୍ତ୍ର ଟିମ୍ ସହ ବନ୍ୟାଞ୍ଚଳ ଗସ୍ତ କରିଥିଲେ । ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀଜରିଆରେ ଉଭୟ ଟିମ୍ ଚଳିତ ବନ୍ୟା ମନୁଷ୍ୟକୃତ ଏବଂ ଦାୟିତ୍ୱହୀନ ରାଜ୍ୟ ସରକାରଙ୍କ ଅପ୍ରସ୍ତୁତ ଓ ତ୍ରୁଟି ପରିଚାଳନାକୁ ଦାୟୀକରି ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅଭିଯୋଗ ଫର୍ଦ୍ଦ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ଅମନଯୋଗିତା, ବନ୍ୟା ସ୍ଥିତିଲାଗି ଅବହେଳା, ଦାୟିତ୍ୱହୀନତା ଏବଂ ଅପାରଗ କାରଣରୁ ପ୍ରଥମଥର ଲାଗି ଓଡ଼ିଶାରେ ଏପରି ଅଭାବନୀୟ ବନ୍ୟା ସୃଷ୍ଟି ହୋଇଥିଲା । ଏହି ବନ୍ୟା ସମ୍ପୂର୍ଣ୍ଣ ମନୁଷ୍ୟକୃତ । ରାଜ୍ୟ ସରକାର ବନ୍ୟା ପ୍ରପୀଡିତଙ୍କ ଲାଗି ଯେଉଁ ତତ୍ପରତା ଦେଖାଇବା କଥା ତାହା ନଦେଖାଇ ଚିର ନିଦ୍ରାରେ ଶୋଇଥିଲେ । ଏନେଇ ବନ୍ୟାରେ ସମ୍ପୂର୍ଣ୍ଣ ଧନଜୀବନ, ଫସଲ ଉଜୁଡି ଯିବା ସହ ଚାଷୀର ଗୋଟିଏ ବର୍ଷ ନଷ୍ଟ ହୋଇଯାଇଛି । ଗତ ଜୁଲାଇ ଶେଷରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଓଡ଼ିଶାରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେବା ସହ ମହାନଦୀ ଶୁଖିଲା ପଡିଛି ବୋଲି ଚିତ୍କାର କରୁଥିଲେ । କିନ୍ତୁ ଛତିଶଗଡ଼ରେ ବନ୍ୟା ସୃଷ୍ଟି ହେବାରୁ ସେମାନେ ପାଣି ନିଷ୍କାସନ କରିଥିଲେ ଫଳରେ ଓଡ଼ିଶାରେ ବନ୍ୟା ସୃଷ୍ଟି ହୋଇଥିଲା । ଚଳିତ ବନ୍ୟା ମୁକାବିଲା ପାଇଁ ଅପ୍ରସ୍ତୁତ ଥିଲେ ରାଜ୍ୟ ସରକାର ଏବଂ ପାଣିପାଗ ବିଭାଗ ସୂଚନା ଦେଲା ଭଳି ରାଜ୍ୟ ସରକାର କେବଳ ପ୍ରେସ୍ ବିବୃତି ସତର୍କ ସୂଚନା ଓ ନିର୍ଦ୍ଦେଶନାମା ଜାରିରେ ସୀମିତ ରହିଥିଲେ । ଜଳସମ୍ପଦ ବିଭାଗ, ମନ୍ତ୍ରୀ ଓ ରିଲିଫ କମିଶନଙ୍କ କଥାରେ ତାଳମେଳ ରହୁନଥିଲା । ଓଡ଼ିଶାର ସରକାର ଚାଲିଛି ନା କ୍ଲବଘର ଚାଲିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭାଗ ଭିତରେ ସମନ୍ୱୟ ଓ ଦୂରଦୃଷ୍ଟିର ଅଭାବ ରହିଛି । ଫଳରେ ମହାନଦୀ ବନ୍ୟା ପରିଚାଳନାରେ ଅକ୍ଷମତା ପ୍ରକାଶ ପାଇଛି । ବନ୍ୟା ପରିଚାଳନା ଲାଗି ଛତିଶଗଡ ଓ ଓଡ଼ିଶାର ଜଳ ସମ୍ପଦ ବିଭାଗ ବର୍ଷକୁ ୨ଥର ବୈଠକ କରିବା କଥା କିନ୍ତୁ ଆଜିକୁ ୩ ରୁ ୪ବର୍ଷ ହେବ ରାଜ୍ୟ ସରକାର ବୈଠକକୁ ଉଚିତ ମନେ କରୁନାହାନ୍ତି । ହୀରାକୁଦ ବନ୍ଧରେ ଜଳସ୍ତର କେତେ ରହିବ ତାହା ନିୟମ ଉପରେ ପର୍ଯ୍ୟବେସିତ । ରାଜ୍ୟ ସରକାର ହୀରାକୁଦର ଜଳସ୍ତର କେତେ ରହିବ ତାହା ନିଷ୍ପତି ଠିକ୍ ରୂପେ ନେଉନଥିବାରୁ ବନ୍ୟା ସୃଷ୍ଟି ହୋଇଥିଲା । ୨୦୦୮ରେ ଫ୍ଲଡ ମେନୁଆଲ ଡେଭଲପ କରିଥିଲେ କିନ୍ତୁ ରାଜ୍ୟ ସରକାର ଏହାକୁ ଅବହେଳା କରିଛନ୍ତି । ଓଡ଼ିଶା ପ୍ରଦେଶର ଧନ, ଜୀବନକୁ ରାଜ୍ୟ ସରକାର ତୂଚ୍ଛ ମଣୁଥିବାରୁ ଫ୍ଲଡ ମେନୁଆଲ ଡେଭଲପର ସବୁ ସୁବିଧା ଥାଇବି ଓଡ଼ିଶାକୁ ଭସାଇ ଦେଇଛନ୍ତି । ବନ୍ୟା ଜଳ ପରିଚାଳନା, ହୀରାକୁଦ ବନ୍ଧ ପରିଚାଳନା ନା ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ନେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ ଲୋକେ ହା ହୁତାଶରେ ରହୁଛନ୍ତି । ଏନେଇ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କୁ ହାତଯୋଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ବନ୍ୟା ସମୟରେ ରାଜ୍ୟ ସରକାର ରିଲିଫ ବାବଦରେ ଚାଉଳ ଯୋଗାଇ ଦେବା ଆବଶ୍ୟକ । ମାତ୍ର ଏହା ନକରି ଚାଉଳ ବଦଳରେ ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହୁଥିବାବେଳେ ବର୍ତମାନ ସୁଦ୍ଧା ତାଲିକା ପ୍ରସ୍ତୁତ ହୋଇନାହିଁ । ତାହେଲେବନ୍ୟା ଓ ବିପର୍ଯ୍ୟସ୍ତ ସମୟରେ ଲୋକେ କଣ ଟଙ୍କା ଖାଇବେ କି ?ରାଜ୍ୟ ସରକାର ବନ୍ୟା ପ୍ରପିଡୀତଙ୍କ ପାଇଁ କାହିଁକି ଫ୍ରି କିଚେନ ବ୍ୟବସ୍ଥା କରିନଥିଲେ  ? ୨୩ବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାରେ କିଛି କାର୍ଯ୍ୟ କରିନାହାନ୍ତି ରାଜ୍ୟ ସରକାର । ବନ୍ୟା ପୀଡିତ ଜନସାଧାରଣ କେବେ ସାହାଯ୍ୟ ମାଗନ୍ତି ନି କିନ୍ତୁ ସରକାର ଦାୟିତ୍ୱ ସେମାନଙ୍କୁ ବଞ୍ଚାଇବା କିନ୍ତୁ ଦାୟିତ୍ୱହୀନ କାରଣରୁ ଲୋକେ ହନ୍ତସନ ହୋଇଛନ୍ତି । ରିଲିଫ ପ୍ରଦାନରେ ବିଳମ୍ବ ଓ ପକ୍ଷପାତିତା ଅତ୍ୟନ୍ତ ଦୁର୍ବାଗ୍ୟଜନକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ବୁଲିବା ଓ ପରେ ରିଲିଫ ଘୋଷଣା କରିବା ପର୍ଯ୍ୟନ୍ତ ପ୍ରଶାସନ ଅପେକ୍ଷା କରି ୪ ଦିନ ବିଳମ୍ବରେ ରିଲିଫ ପ୍ରଦାନ କରିବା ରିଲିଫ କୋର୍ଡର ବିରୁଦ୍ଧାଚରଣ ଏବଂ ଅତ୍ୟନ୍ତ ଦୁର୍ବାଗ୍ୟଜନକ । ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ଅତୀତରେ ଘଟିଯାଇଥିବା ଫନୀ, ହୁଡ୍ ହୁଡ୍‌, ୟଶ ବାତ୍ୟା ସହାୟତା ଅର୍ଥକୁ ରାଜ୍ୟ ସରକାର କାହିଁକି ଦେଇନାହାନ୍ତି ? ସାଧାରଣ ଲୋକଙ୍କ ଜୀବନ ନେବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ? କେନ୍ଦ୍ର ଆବାସ ଯୋଜନାକୁ କାହିଁକି ରାଜ୍ୟ ସରକାର ବାଟମାଣା କରୁଛନ୍ତି ? କାହିଁକି ବନ୍ୟା ପୀଡିତଙ୍କ ପ୍ରତି ରାଜ୍ୟ ସରକାର କଞ୍ଜୁସି କରୁଛନ୍ତି ? ଏହା ଦ୍ୱାରା ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ବୋଲି କହିବା ସହିତ ରାଜ୍ୟ ସରକାର ଯଥାଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଋଣ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଦାବି କରିଛନ୍ତି । ପ୍ରତ୍ୟେକ ବର୍ଷ ବନ୍ଦ ମରାମତି ଲାଗି ରାଜ୍ୟ ସରକାର ମିଛ ବିଲ୍ ପ୍ରସ୍ତୁତ କରି ଖର୍ଚ୍ଚ ଦେଖାଉଛନ୍ତି । କୌଣସି ନଦୀବନ୍ଦ କି ପୋଲର ମରାମତି ପାଇଁ କୌଣସି ଜାଗାରେ ମୁଠାଏ ମାଟି ରାଜ୍ୟ ସରକାର ପକାଇ ନଥିବାର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ ସମୟରେ ସ୍ପଷ୍ଟ ଜଣାପଡିଥିଲା । ରାଜ୍ୟ ସରକାରଙ୍କ ବନ୍ୟା ନିୟନ୍ତ୍ରଣ ଲାଗି ଯୋଜନା ପ୍ରସ୍ତୁତ କରିନାହାନ୍ତି । ନଦୀ ସଂଯୋଗୀକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିରୋଧ କରୁଛନ୍ତି ? ଓଡ଼ିଶାରେ କାହିଁକି ରାଜ୍ୟ ସରକାର ବ୍ୟାରେଜ ନିର୍ମାଣ କରୁନାହାନ୍ତି ଏହାର ଜବାବ ରଖିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି । ଚଳିତ ବନ୍ୟା ରାଜ୍ୟ ସରକାରଙ୍କ ଅପାରଗତା, ଦାୟୀତ୍ୱହୀନତା, ସମ୍ବେଦନହୀନତା ଆଦିକୁ ପଦାରେ ପକାଇଛି ଏବଂ ଚାର୍ଜସିଟ୍‌କୁ ନେଇ ଲୋକଙ୍କ ପାଖକୁ ବିଜେପି ଯିବ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପି ରାଜ୍ୟ ମୁଖପାତ୍ର ଓ ପୂର୍ବତମ ବିଧାୟକ ଶ୍ରୀ ରମାରଞ୍ଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ବିଜେପି ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଏବଂ ବିଜେପି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *