ସ୍କୁଟି ଯୋଜନା ରାଜ୍ୟ ସରକାରଙ୍କ ନିର୍ବାଚନୀ ଧୂଆଁବାଣ ।

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍କୁଟି ଯୋଜନା ନିର୍ବାଚନୀ ଧୁଆଁବାଣ ବୋଲି ଗୁରୁବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦିକା ତଥା ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରମତୀ ଅପର୍ଣ୍ଣା ଧିର ସିଂ, ପିସିସି ସମ୍ପାଦକ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ପ୍ରମୁଖ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ କଥା କହୁଥିବା ବେଳେ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ୭୦ଲକ୍ଷ ସ୍ୱୟଂସହାୟକ ଗୋଷ୍ଠି ମା’ ମାନଙ୍କ ମଧ୍ୟରୁ ମାତ୍ର ୬ଲକ୍ଷ ମହିଳା ସଦସ୍ୟା ଛତୁଆ, ପାମ୍ପଡ଼, ବଡ଼ି, ଆଚାର, ସିଲେଇ, ଗୃହ ଉପକରଣ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟରେ ସହଭାଗୀ ହୋଇଛନ୍ତି । ଆଉ ବାକି ୬୪ଲକ୍ଷ ମା’ ମାନଙ୍କ ସ୍ଥିତି କ’ଣ ଏବଂ କେଉଁ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ବୋଲି ମହିଳା ସଶକ୍ତିକରଣର ମନ୍ତ୍ରୀ ଏବଂ ମିଶନଶକ୍ତିର ନିର୍ଦ୍ଦେଶିକା ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିକୋଣରୁ ଏହାର ତଥ୍ୟ ଜନସାଧାରଣଙ୍କ ନିକଟରେ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି । ସାଧାରଣତଃ ପାର୍ବଣ ଋତୁରେ ଯଦି ଘରକୁ ଫ୍ରିଜ, ୱାସିଂ ମେସିନ, ମୋଟର ସାଇକେଲ ଆଦି କିଣାଯାଏ ତେବେ ଜିରୋ ଡାଉନପେମେଣ୍ଟ ରେ ଏବଂ ଜିରୋ ସୁଦ୍ଧରେ ସାଧାରଣ ଲୋକଙ୍କୁ ମିଳିବା ସମ୍ଭବ ହେଉଛି । ରାଜ୍ୟ ବିଜେଡ଼ି ସରକାର ଗତକାଲି ଯେଉଁ ୧୫ ହଜାର ବିଏଲଏଫ ଓ ଡିଏଲଏଫକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଲେ ସେଥିରେ ସରକାରଙ୍କର ବାହାଦୁରୀ କଣ? ବିଭିନ୍ନ ସୂତ୍ରରୁ ମିଳିଥିବା ଆଧାରରୁ ଜଣାପଡ଼ୁଛି ବିଏଲଏଫ ଓ ଡିଏଲଏଫଙ୍କ ଦରମା ମାତ୍ର ୩ ହଜାର ଟଙ୍କା ସେଥିରୁ ୨୦୦୦ ଟଙ୍କା ଯଦି କିସ୍ତି ସୁଝିବାକୁ ପଡ଼େ ଆଉ ବାକି ୧୦୦୦ ଟଙ୍କାରେ ସ୍କୁଟିରେ ତେଲ ପକାଇ ବୁଲନ୍ତି ତେବେ ଘର ଚଳିବା ପାଇଁ କେତେ ଟଙ୍କା ବଳିବ ତାହା ସରକାର ସ୍ପଷ୍ଟ କରନ୍ତୁ । ପ୍ରତି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଦେଖାଯାଏ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ପାଚିକା ଏବଂ ବ୍ୟାଙ୍କ ମିତ୍ରମାନେ ମଶା, ଡାଅଁସ, ଖରା ଓ ବର୍ଷାକୁ ଖାତିର ନକରି ଦିନରାତି ଧାରଣା ଦେଉଛନ୍ତି । ସେମାନେ ଏ ରାଜ୍ୟର ମହିଳା କି ନୁହଁନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ସେମାନଙ୍କର ସମସ୍ୟାକୁ ବର୍ଷ ବର୍ଷଧରି କାହିଁକି ଉପେକ୍ଷା କରାଯାଉଛି । କେବଳ ସ୍ୱୟଂ ସହାୟକ ଗୋଷ୍ଠିର ୨ ଲକ୍ଷ ମିଶନ ଶକ୍ତିର ମା’ ମାନଙ୍କୁ ସ୍କୁଟି ଦେଇଦେଲେ ଏ ରାଜ୍ୟର ମହିଳାମାନେ ସଶକ୍ତ ହେଇଯିବେକି ? ରାଜ୍ୟ ସରକାର ଦୟାକରି କହିବେକି ରାଜ୍ୟର ୭୦ଲକ୍ଷ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ରୋଜଗାର କେତେ ଏପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଜଣାଯାଉ ନାହିଁ କାହିଁକି ? ରାଜ୍ୟରେ ଜଣେ କୃଷକର ଆୟ ୨୭ଟଙ୍କା ହୋଇଥିଲା ବେଳେ କିଭଳି ଭାବରେ ସେ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଠିକ୍ ସେହିଭଳି ଭାବରେ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ଆୟ ଟ. ୧୫.୬୭ ପଇସା ଏହାଦ୍ୱାରା ମହିଳମାନେ ସଶକ୍ତ ହେବେତ? ବାଳିକା ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସ୍କୁଲକୁ ବନ୍ଦ କରିଦିଆଯାଉଛି । କଲେଜ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ୫୦ ଭାଗରୁ ଅଧିକ ଶିକ୍ଷକ ନାହାନ୍ତି । ଆଜିବି ମଧ୍ୟ ମହିଳାଟି ପ୍ରସବ ପାଇଁ ଖଟିଆରେ ବୁହାହୋଇ ଡାକ୍ତରଖାନାକୁ ଆସୁଛି । ପ୍ରତିଦିନ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ନାବାଳିକାଙ୍କ ଚାଲାଣ ସବୁଠାରୁ ଅଧିକ ତଥାପି ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା । କେବଳ ପ୍ରଲୋଭିତ କରି ଭୋଟ ପାଇଁ କେବଳ ସ୍ୱୟଂସହାୟିକ ମହିଳାମାନଙ୍କ ପାଇଁ ମିଛି ଯୋଜନା ସବୁ କରାଯାଉଛି । ଏହା ଦ୍ୱାରା ରାଜ୍ୟରେ ମା’ ମାନଙ୍କର ପ୍ରକୃତ ବିକାଶ ହେବ ନାହିଁ । ମା’କୁ ଯଦି ସମ୍ମାନ ଦେବାକୁ ଚାହୁଁଛନ୍ତି, ତାଙ୍କୁ ଆତ୍ମ ନିର୍ଭରଶୀଳ କରନ୍ତୁ, ଡାକ୍ତରଖାନାରେ ଥିବା ଖାଲିଥିବା ପଦବୀ ପୂରଣ କରନ୍ତୁ, ତାହା ନକରି ମା ମାନଙ୍କ କାନ୍ଧରେ ବନ୍ଧୁକ ଥୋଇ ରାଜ୍ୟ ସରକାର ଯେଉଁ ଶସ୍ତା ରାଜନୀତି କରୁଛନ୍ତି ତାହା କେବେ ଫଳପ୍ରଦ ହେବ ନାହିଁ । କିଛି ଦିନ ତଳେ ମିଶନ ଶକ୍ତିର ନିର୍ଦ୍ଦେଶିକା କହିଲେ କି ଆମେ ସରକାରଙ୍କ ଠାରୁ ଦରମା ନେଉଛୁ, ଯୋଜନା କରୁଛୁ କିନ୍ତୁ ଗାଁର ସ୍ୱୟଂସହାୟକ ଗୋଷ୍ଠି ମହିଳାଙ୍କୁ ନେଇ ବିକାଶ କରିବା ସମ୍ଭବ ନୁହେଁ କହିଥିବା ବେଳେ କିଭଳି ଆଜି ମୁଖ୍ୟମନ୍ତ୍ରୀ ସ୍ୱୟଂସହାୟକ ଗୋଷ୍ଠି ମହିଳାମାନଙ୍କୁ ବିକାଶର ବାର୍ତ୍ତା କହୁଛନ୍ତି । ଏହା କେବଳ ଭୋଟ ହାତେଇବା ପାଇଁ ଯୋଜନା ।