ପିଆଜରେ ନିଆଁ, ସରକାର ଶୀତଳ ଭଣ୍ଡାରରେ

ଭୁବନେଶ୍ୱର: ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ହଠାତ କାହିଁକି ପିଆଜର ଦାମ ବଜାରରେ ୬୦ ଟଙ୍କାକୁ ଛୁଇଁଲା ? ରାଜ୍ୟର ଖାଉଟି ବେଶ କିଛି ବର୍ଷ ହେଲାଣି କେନ୍ଦ୍ର ସରକାରଙ୍କ ଅପାରଗତା ହେତୁ ସମସ୍ତ ଖାଦ୍ୟ ଦ୍ରବ୍ୟର ଦାମ ବହୁ ପରିମାଣରେ ବୃଦ୍ଧି ପାଇଥିବା ଯୋଗୁଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ବେଡ଼ି ଉପରେ କୋରଡା ପୁଣି ପିଆଜ ଦାମ ଦୁଇଗୁଣା । ପିଆଜ ପ୍ରତିବର୍ଷ କାହିଁକି ରାଜ୍ୟର ଖାଉଟିଙ୍କୁ କାହିଁକି ଏତେ ହନ୍ତସନ୍ତ କରୁଛି ? ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ରାଜ୍ୟ ସରକାର ପିଆଜର ଦରକୁ ବଜାରରେ ସ୍ଥିର ରଖିବାପାଇଁ ଏବଂ ରାଜ୍ୟରେ ପିଆଜ ଉତ୍ପାଦନକୁ ବୃଦ୍ଧି କରିବା ସକାଶେ ପିଆଜ ମିଶନ ୨୦୧୫ ମସିହାରେ କଲେ ଏବଂ ଏଥିପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କଲେ । ଏପର୍ଯ୍ୟନ୍ତ ୧୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ରାଜ୍ୟର ଚାଷୀର ପିଆଜ ଅଭାବିବିକ୍ରୀ ଏବଂ ଖାଉଟି ପିଆଜକୁ ଚଢ଼ାଦାମରୁ କିଣିବାରୁ ମୁକ୍ତି ପାଇଲା ନାହିଁ । ୨୦୧୫ ମସିହାରେ ପୂର୍ବତନ କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥି କହିଥିଲେ ଯେ ରାଜ୍ୟରେ ଯେତିକି ପିଆଜ ଉତ୍ପାଦନ ହେଉଛି ତାକୁ ସଂରକ୍ଷଣ କରିବାପାଇଁ ୩୦୦ ଟି ଶୀତଳ ଭଣ୍ଡାରର ଆବଶ୍ୟକତା ଅଛି ଏବଂ ଏସବୁ ଶୀତଳ ଭଣ୍ଡାର ଏ ମିସନ ମାଧ୍ୟମରେ କରାଯିବ ବୋଲି ଖୋଦ ମନ୍ତ୍ରୀ କହିଥିଲେ । ସେତେବେଳେ ଖାଦ୍ୟ ଯୋଗାଣ ଏବଂ କୋଅପରେସନ ମନ୍ତ୍ରୀ ଆରଏମସି ମାଧ୍ୟମରେ ୧୦ଟି ଶୀତଳ ଭଣ୍ଡାର କରିବେ ବୋଲି ନିଷ୍ପତି ନେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟରେ କେତେ ପିଆଜ ଉତ୍ପାଦନ ହେଉଛି ତାହାର ସମ୍ପୂର୍ଣ୍ଣ ଠିକ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଆମର ବିଶ୍ୱାସ କାରଣ ରାଜ୍ୟ କୃଷିମନ୍ତ୍ରୀଙ୍କ ଅନୁଯାୟୀ ରାଜ୍ୟରେ ୩ଲକ୍ଷ ୭୫ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି ବୋଲି ଉତର ଦେଉଛନ୍ତି କିନ୍ତୁ ସେ ଯେତେବେଳେ ୨୦୧୮ ମସିହାରେ ଯୋଗାଣ ବିଭାଗର ମନ୍ତ୍ରୀ ଥିଲେ ରାଜ୍ୟରେ ୩ଲକ୍ଷ ୭୮ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି ବୋଲି କହୁଛନ୍ତି ଏବେ ରାଜ୍ୟ ଉଦ୍ୟାନ କୃଷି ବିଭାଗର ଅଧିକାରୀ ୩ଲକ୍ଷ ୯୫ ହଜାର ମେଟ୍ରିକ ଟନ ପିଆଜ ଉତ୍ପାଦନ ହେଉଛି ବୋଲି କହୁଛି । ୨୪ ବର୍ଷର ସରକାର ରାଜ୍ୟରେ କେତେ ପିଆଜ ଉତ୍ପାଦନ ହେଉଛି ଏ ତଥ୍ୟଟି ଠିକ୍ ଭାବରେ ମନ୍ତ୍ରୀ ନା ବିଭାଗୀୟ ଅଧିକାରୀ ରଖୁଛନ୍ତି । ୯ ବର୍ଷ ଭିତରେ ପିଆଜ ସଂରକ୍ଷଣ କରିବାପାଇଁ ରାଜ୍ୟ ସରକାର ଗୋଟିଏ ବୋଲି ଶୀତଳ ଭଣ୍ଡାର କରି ନାହାନ୍ତି । ଯଦି ରାଜ୍ୟ ସରକାର କରିଛନ୍ତି ବୋଲି କହୁଛନ୍ତି ତାହାଲେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ କେତେ ଶୀତଳ ଭଣ୍ଡାର ହୋଇଛି । ଏଥିରେ କେତେ ପିଆଜ ସଂରକ୍ଷଣ କେତେ ହେଉଛି ତାର ତଥ୍ୟ ରଖନ୍ତୁ । ଓଡ଼ିଶା ବ୍ୟବସାୟୀ ମହାସଂଘର ସଭାପତି କହୁଛନ୍ତି ରାଜ୍ୟରେ ୧ଲକ୍ଷ ଟନରୁ କମ ପିଆଜ ଉତ୍ପାଦନ ହେଉଛି କାହା କଥା ଠିକ । ଆଳୁ ମିଶନ ଫେଲ, ପିଆଜ ମିଶନ ଫେଲ କିନ୍ତୁ ରାଜ୍ୟ ପ୍ରଗତୀ କରୁଛି ବୋଲି କେବଳ ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଓଡ଼ିଶାର ପିଆଜ ଚାଷୀମାନେ ବିଶେଷ କରି ରବି ଋତୁରେ ପିଆଜ ଚାଷ କରନ୍ତି । ଅମଳ କଲାପରେ ଖୋଲା ବଜାରରେ ଚାଷୀମାନେ ୬ ଟଙ୍କାରୁ ୮ ଟଙ୍କା କିଲୋପିଛା ବିକ୍ରି କରିଦିଅନ୍ତି କିନ୍ତୁ ଏକ ମାସ ପରେ ବଜାରରେ ୧୫ଟଙ୍କାରେ ଖରିଦ୍ କରନ୍ତି । ରାଜ୍ୟର ୫ଟି ଜିଲ୍ଲା ଯଥା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଚାଷୀମାନେ ପିଆଜ ଅଭାବୀ ବିକ୍ରି ସମସ୍ୟାରେ ବର୍ଷ ବର୍ଷ ଧରି ପିଡ଼ିତ । ସଂରକ୍ଷଣ ଅଭାବ ହେତୁ ଏ ପରିସ୍ଥିତି ସୃଷ୍ଟି ହେଉଛି । ରାଜ୍ୟ କଂଗ୍ରେସର ଦାବି ରାଜ୍ୟ ସରକାର ରାଜ୍ୟରେ ସମସ୍ତ ସୁଲଭ କୋକାନ ମାଧ୍ୟମରେ ଏବଂ ସହରାଞ୍ଚଳରେ ବିଭିନ୍ନ ଯାଗା ମାନଙ୍କରେ ୩୦ ଟଙ୍କା କିଲୋ ପିଛା ପିଆଜ ଲୋକମାନଙ୍କୁ ଯୋଗାଇ ଦିଅନ୍ତୁ, ଯେ ପର୍ଯ୍ୟନ୍ତର ଦାମ ୩୦ ଟଙ୍କାକୁ କମି ନାହିଁ । ଏଭଳି ଖାଉଟି ମାରଣ ପରିସ୍ଥିତିରୁ ରାଜ୍ୟ କେବେ ମୁକୁଳିବ ତା ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ କୁହନ୍ତୁ । ଏ ସରକାରଙ୍କର ଓଡ଼ିଶାର ବିକାଶ ପାଇଁ ତିଳେମାତ୍ର ନିଷ୍ଠା ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ ।