ଅପାରଗ ସରକାର ମିଛ ବିଜ୍ଞାପନରେ ନିଜକୁ ଏକ ନମ୍ବର କରିଛି କିନ୍ତୁ ବାସ୍ତବ ଚିତ୍ର ବଡ଼ କରୁଣ ।

ଭୁବନେଶ୍ୱର:ଗଜପତି ଜିଲ୍ଲାର ପଳାଶପଦର ପଞ୍ଚାୟତ ଅନ୍ତର୍ଗତ ଡିମ୍ବିରି ପଙ୍କାଳ ଗାଁରେ କୁନି କୁନି ସ୍କୁଲ ଛାତ୍ରଛାତ୍ରୀମାନେ ନାଳରେ ବାସନ ଧୋଇବା ଏବଂ ନାଳର ଖରାପ ପାଣି ପିଇବା ହୃଦୟ ବିଦାରକ ଚିତ୍ର ଗତ ନଭେମ୍ବର ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ସମାଚାରରେ ଆମେ ସମେସ୍ତ ଦେଖିଛେ । ଏହି ଦୃଶ୍ୟ ଓଡ଼ିଶାରେ ଶାସନ କରୁଥିବା ଏକ ବିଫଳ ଜନବିରୋଧି, ଅପାରଗ ଓ ବିକଳାଙ୍ଗ ଶାସନ ବ୍ୟବସ୍ଥାର ବାସ୍ତବ ଚିତ୍ର ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଞ୍ଚାନନ ଦାଶ କହିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାରଙ୍କର ଅପାରଗତାର ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ଅନେକ ପ୍ରମାଣ ରହିଛି । ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନଥିବା ଏହି ଅପାରଗ ସରକାର ମିଛ ବିଜ୍ଞାପନରେ ନିଜକୁ ଏକ ନମ୍ବର କରିଛି କିନ୍ତୁ ବାସ୍ତବ ଚିତ୍ର ବଡ଼ କରୁଣ । ନବୀନ ବାବୁଙ୍କ ନେତୃତ୍ୱରେ ବିଗତ ୨୪ ବର୍ଷରୁ ୯ ବର୍ଷର ଖୋଲାଖୋଲି ବିଜେଡ଼ି ଓ ବିଜେପି ମିଳିତ ଶାସନ ଏବଂ ପରେ ଲୁଚିଛପି ମିଳିତ ଶାସନ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ବିକାଶ କରିପାରି ନାହାନ୍ତି । ଦୁଃଖ ଓ ପରିତାପର ବିଷୟ ଏହିକିଯେ ନବୀନ ବାବୁଙ୍କ ଶାସନ କାଳାରେ ଓଡ଼ିଆଙ୍କ ସ୍ୱାଭିମାନ ଭଙ୍ଗ ହୋଇ ପ୍ରଶାସନିକ ଠାରୁ ବେପାର ବଣିଜ ଯାଏ ଅଣ ଓଡ଼ିଆଙ୍କର ପ୍ରାଧାନ୍ୟ ବଢ଼ିଛି । ଏପରିକି ବିଜେଡ଼ି ବିଜେପି ମିଳିତଭାବେ ଓଡ଼ିଶାରେ ଅଣଓଡ଼ିଆଙ୍କର ଉନ୍ନତି କରିବାରେ ଲାଗିଛନ୍ତି । ବର୍ତମାନ ରାଜ୍ୟବାସୀ ଏହାର ଜବାବ ଦେବାର ସମୟ ଆସିଛି । ଉନ୍ନତ ମାନର ପିଇବା ପାଣିର ସ୍ଥିତି ଆମ ଓଡିଶା କିମ୍ବା ଭାରତର ସେମିତି କିଛି ଭଲ ଥିବା ପରି ଜଣା ପଡ଼େ ନାହିଁ । ମାର୍ଚ୍ଚ ୨୦୨୩ ରେ ପ୍ରକାଶିତ ଏନଏସଏସ ର ୭୮ ତମ ରିପୋର୍ଟ ଅନୁସାରେ ସାରା ଭାରତରେ ୫୪.୪% ପରିବାରଙ୍କ ପାଖରେ ପିଇବା ପାଣିର ସ୍ୱତନ୍ତ୍ର ବ୍ୟବହାର ପାଇଁ ସୁବିଧା ଥିଲା । ସେମିତି ଭାରତ ବର୍ଷରେ ୩୯.୧ ରହିବା ଆବାସ ଭିତରେ ପିଇବା ପାଣିର ସୁବିଧା ଥିବା ବେଳେ ୨୭.୧% ଘର ବାହାରେ ରହିଛି କିନ୍ତୁ ପରିସର ଭିତରେ ପିଇବା ପାଣିର ସୁବିଧା ଥିବା ତଥ୍ୟ ପ୍ରଦାନ କରାଯାଇଛି । ଭାରତରେ ୩୩.୭% ଲୋକ ଘର ପରିସରର ବାହାରକୁ ଯାଇ ପିଇବାପାଣି ସଂଗ୍ରହ କରୁଥିବା ତଥ୍ୟ ପ୍ରକାଶ ପାଇଛି । ଆମ ରାଜ୍ୟରେ ୩୦% ଲୋକଙ୍କ ଘର ପରିସରରେ ପାନୀୟ ଜଳର ଉନ୍ନତ ଉତ୍ସ ଅବସ୍ଥିତ ଥିବା ବେଳେ ସର୍ବଭାରତୀୟ ସ୍ଥରରେ ଏହା ୬୬% । ଏହି ରିପୋର୍ଟ ଅନୁସାରେ ପାଇପ ଯୋଗେ ପାଣି ସୁବିଧା ମାତ୍ର ୧୩% ଲୋକଙ୍କ ପାଖରେ ଅଛି ଏବଂ ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରୁ ଆମ ରାଜ୍ୟ ୩୧ ତମ ସ୍ଥାନରେ । ସାରା ଭାରତରେ ମାତ୍ର ୩୨.୯% ଲୋକ ପାଇପ ଯୋଗେ ପାଣି ସୁବିଧା ପାଆନ୍ତି । ପିଇବା ପାଣି କ୍ଷେତ୍ରରେ ଆଦିବାସୀ ପରିବାର ସବୁଠାରୁ ପଛରେ ତାପରେ ଦଳିତ ପଛୁଆ ବର୍ଗ ତାପରେ ଅନ୍ୟମାନେ । ସର୍ବଭାରତୀୟ ସ୍ତରରେ ୩୩.୭% ଆଦିବାସୀ, ୫୬.୬% ଦଳିତ, ୬୪.୪% ପଛୁଆବର୍ଗ ଏବଂ ୭୩.୧% ଅନ୍ୟମାନଙ୍କ ଘର ପରିସରରେ ବର୍ଷସାରା ଯଥେଷ୍ଟ ଉପଲବ୍ଧ ପାନୀୟ ଜଳର ଉନ୍ନତ ଉତ୍ସ ଅବସ୍ଥିତ । ନଳ ଯୋଗେ ୧୯.୫% ଆଦିବାସୀ, ୨୭.୪% ଦଳିତ, ୩୨.୨% ପଛୁଆବର୍ଗ ଏବଂ ଅନ୍ୟମାନେ ୪୪.୧% ବର୍ଷସାରା ଯଥେଷ୍ଟ ଉପଲବ୍ଧ ପିଇବାପାଣିର ସୁବିଧା ଥିବାରୁ ତଥ୍ୟ ଉପସ୍ଥାପନ କରାଯାଇଛି । ଘରେ ଘରେ ପାଇପ ଦ୍ୱାରା ପିଇବାପାଣିର ଯୋଗାଣ ସୁବିଧାକୁ ଅନ୍ୟ ରାଜ୍ୟ ସାଙ୍ଗରେ ତୁଳନା କଲେ ଆମ ରାଜ୍ୟ ସବୁଠୁ ନିମ୍ନରେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ସେହିପରି ଉଜ୍ଜଳା ଯୋଜନା ବହୁତ ପ୍ରଚାର ହେଲା । ଦେଶରେ ମହିଳାମାନେ ଧୂଆଁମୁକ୍ତ ରନ୍ଧନ କରିବାରେ କେତେ ସକ୍ଷମ ହେଲେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନଏସଏସର ରିପୋର୍ଟ ଅନୁସାରେ ରାଜ୍ୟରେ ୩୧.୪ % ପରିବାର ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ସର୍ବଭାରତୀୟ ସ୍ତରରେ ୬୨% ପରିବାର ରନ୍ଧନ ଗ୍ୟାସରେ ରୋଷେଇ କରନ୍ତି । ବିହାରରେ ୫୩.୯% ଓ କେରଳରେ ୬୭.୧% ରନ୍ଧନ ଗ୍ୟାସରେ ରୋଷେଇ କରନ୍ତି । ଏବେ ବି ମଧ୍ୟ ବହୁ ମହିଳାଙ୍କ ପାଖରେ ରନ୍ଧନ ଗ୍ୟାସ ଅପହଞ୍ଚ । ଆମ ରାଜ୍ୟରେ ୬୭.୩% ପରିବାର କାଠ, ଚିପ୍ସ ଇତ୍ୟାଦି ଧୂଆଁ ନିର୍ଗତ କରୁଥିବା ଜାଳେଣୀରେ ରୋଷେଇ କରିବାର ଚିତ୍ର ଉପସ୍ଥାପନ କରାଯାଇଥିବା ବେଳେ ସାରା ଭାରତରେ ଏହା ୩୩.୮% । ଓଡ଼ିଶାରେ ୫୮.୯% ପରିବାରଙ୍କ ପାଖରେ ନିଜସ୍ୱ ବ୍ୟବହାର ପାଇଁ ପାଇଖାନା ଥିବା ବେଳେ ସାରା ଭାରତରେ ୭୨% ପରିବାରଙ୍କ ପାଖରେ ନିଜସ୍ୱ ପାଇଖାନା ଥିବାରୁ ତଥ୍ୟ ଉପସ୍ଥାପନ କରାଯାଇଛି । ଓଡ଼ିଶାରେ ୩୩.୬% ପରିବାର ପାଖରେ ପାଇଖାନା ନଥିବା ବେଳେ ସାରା ଭାରତରେ ୧୫.୪% ପରିବାରଙ୍କ ପାଖରେ ପାଇଖାନା ନଥିବାର ତଥ୍ୟ ସେହି ରିପୋର୍ଟରେ ଉପସ୍ଥାପନ କରାଯାଇଛି । ଭଲ ସୂଚକରେ ଯେମିତି ମୁଣ୍ଡପିଛା ଆୟ, ପିଇବାପାଣି, ଗ୍ୟାସରେ ରନ୍ଧନ ମାନବ ବିକାଶ ସୂଚକାଙ୍କ, ଶିଳ୍ପ ଅଭିବୃଦ୍ଧି ଇତ୍ୟାଦିରେ ଆମ ରାଜ୍ୟ ବହୁତ ତଳେ । ଆପଣ ଯଦି ନକରାତ୍ମକ ସୂଚକ ଯେମିତି ମଦ ସେବନ, ନାରୀ ଅପରାଧ ହାର, ଗଞ୍ଜେଇ ସେବନ, ଶିଶୁ ମୃତ୍ୟୁ ହାର, ଇତ୍ୟାଦି ତଥ୍ୟ ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସନ୍ଧାନ କରି ଦେଖିଲେ ଜାଣିବେ ଯେ ଆମେ ଏଥିରେ ବହୁ ଉପରେ । ଏବେ ସାରା ଦେଶରେ ଜାତୀୟ କଂଗ୍ରେସ ସଭାପତି ମାଲିକାର୍ଜ୍ଜୁନ ଖଡ଼ଗେ, ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନେତୃତ୍ୱରେ ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଓଡ଼ିଶାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସମାନ ବିଷୟ ରଖି ଯେମିତି ଜାତିଗତ ଜନଗଣନା, ଜାତି ଆଧାରରେ ବିକାଶ ଲାଭ ପହଁଚିବା, ଯୁବ ପିଢ଼ିଙ୍କ ପାଇଁ କର୍ମ ସୃଷ୍ଟି କରିବା, ମହିଳା ଆଦିବାସୀ ଏବଂ ଦଳିତଙ୍କ ଉପରେ ଅପରାଧ ମୁକ୍ତ କରେଇବା, ସେମାନଙ୍କର ଆର୍ଥିକ ଉନ୍ନତି ଏବଂ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳ ରେ ସୁସଜ୍ଜିତ କରି ତାଙ୍କ ସ୍ୱାଭିମାନର ଜୀବନ ଜୀଇଁବାର ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଆଙ୍କର ସ୍ୱାଭିମାନ ବଜାୟ ରଖିବା ଇତ୍ୟାଦି ଜନତାଙ୍କ ହୃଦୟକୁ ଛୁଇଁଲା ପରି ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନ ଓଡ଼ିଶାରେ ଲଢ଼ିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।