ଭିଏତ୍ ନାମର ପ୍ରଥମ ପସନ୍ଦ ଓଡିଶା, ରାଜ୍ୟ ସରକାରଙ୍କ ସହଯୋଗରେ କରିପାରନ୍ତି ନିବେଶ !

ଭୁବନେଶ୍ୱର : ମଙ୍ଗଳବାର ଦିନ ଆନ୍ତର୍ଜାତୀୟ ସହଯୋଗ ତଥା ଅର୍ଥନୈତିକ ଅଭିବୃଦ୍ଧି ବଢାଇବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ଭିଏତନାମ ଭିନ୍ ଲଙ୍ଗ ପ୍ରଦେଶର 22 ଜଣିଆ ପ୍ରତିନିଧୀ ଦଳ ଓଡିଶା ଗସ୍ତରେ ଆସି ବୟନଶିଳ୍ପ, କୃଷି , ଇଞ୍ଜିନିୟରିଂ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଇତ୍ୟାଦି ବ୍ୟବସାୟରେ ପୁଞ୍ଜି ବିନିଯୋଗର ସୁଯୋଗ ବିଷୟରେ ଅନୁସନ୍ଧାନ କରିଛନ୍ତି । ଏ ନେଇ ଭୁବନେଶ୍ୱରର ୱେଲକମ୍ ହୋଟେଲ ଆଇଟିସିରେ ଭିଏତନାମର ପ୍ରତିନିଧୀ ଏବଂ ଓଡିଶା ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି ।

ଭିଏତନାମୀପ୍ରତିନିଧୀଦଳର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଉଦ୍ୟୋଗ ଗଠନ ଏବଂ ଅର୍ଥନୈତିକ ପୁଞ୍ଜି ବିନିଯୋଗର ସୁଯୋଗ ଚିହ୍ନଟ କରିବା ସହ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା । ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ସେବା, ତାଲିମ, ଆଇଟି, ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ବିକାଶ ଉପରେ ବିଶେଷ ଭାବେ ଧ୍ୟାନ ଦେବା । ମଧ୍ୟମ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ୍ ସ୍ଥଳ ଭାବରେ ଭିଏତନାମ୍ ରେ ଭିନ୍ ଲଙ୍ଗ୍ ପ୍ରଦେଶର ମାନ୍ୟତା ରହିଛି । ଏବେ ପାରସ୍ପରିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଓଡିଶାରେ ଥିବା ସୁଯୋଗ ସବୁକୁ ଉପଯୋଗ କରିବାକୁ ଚେଷ୍ଟା କରିଛି ଭିଏତନାମ୍ । ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗକୁ ରାଜ୍ୟ ପ୍ରତି ଆକର୍ଷିତ କରିବା ପାଇଁ ଏହି ପ୍ରତିନିଧୀ ଦଳ ବିଭିନ୍ନ ଲାଭଜନକ କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ବିନ୍ ଲଙ୍ଗ ପ୍ରଦେଶ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ । ଓଡିଶାର ଶିଳ୍ପ ଇକୋସିଷ୍ଟମ ଉପରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ । ଏଥିସହ ସେ ରାଜ୍ୟର ଶକ୍ତି, ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ର ଏବଂ ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟ ବିକାଶ ପାଇଁ ଅନୁକୂଳ ପରିବେଶ ଉପରେ ଆଲୋକପାତ କରିଥିଲେ ।

କେନ୍ଦ୍ରୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଭିଏତନାମର ପ୍ରାଦେଶିକ ପାର୍ଟି କମିଟିରଗଣ ଜାଗୃତି ବିଭାଗର  ଉପସଭାପତି ନଗୁଏନ୍ ଥି ମିନି ହାନ୍ ବିଶେଷ ଭାବରେ ସମ୍ବୋଧନ କରିଥିଲେ । ଓଡିଶା ଗସ୍ତରେ ତାଙ୍କର ଅନୁଭୁତି, ମୁଖ୍ୟ ଉଦ୍ୟେଶ୍ୟ ତଥା ଭିନ୍ ଲଙ୍ଗ୍ ପ୍ରଦେଶ ପ୍ରତିନିଧୀଙ୍କ ଲକ୍ଷ୍ୟ ଏବଂ ନିବେଶର ସୁଯୋଗ ଉପରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲା ।

ଏହି ଉତ୍ସବରେ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଗାରିମା ବୃଦ୍ଧିକରିଥିଲା । ଏହାପୂର୍ବରୁ ସେ ପ୍ରତିନିଧୀଙ୍କୁ ଭେଟି ବିପର୍ଯ୍ୟୟ ପରିଚାଳନା, କୃଷି ଏବଂ ପରିବର୍ତ୍ତନଶୀଳ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଓଡିଶାସରକାରଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ଏ ଅବସରରେ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ ।  ଶିଳ୍ପ କ୍ଷେତ୍ରରେ ଓଡିଶାର ପ୍ରଗତୀ ଓ ସହଜରେ ଉପଲବ୍ଧ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାରେ ନିବେଶକମାନଙ୍କୁ ଆକର୍ଷିତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ପୁଞ୍ଜି ବିନିଯୋଗ ଏବଂ ଅଭିବୃଦ୍ଧିର ସମ୍ଭାବନାକୁ ଦର୍ଶାଇଥିଲେ ।

ପରିଶେଷରେ ଇଡ୍ କୋ ଓ ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର ସିଂ ପୁନିୟା ଉପସ୍ଥିତ ଥିବା ଅତିଥି ମାନଙ୍କ ସହ  ଭିନ୍ ଲଙ୍ଗ ପ୍ରଦେଶର ପ୍ରତିନିଧୀଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟରେ ଉପଲବ୍ଧ ଥିବା ସୁଯୋଗ ଏବଂ ସରକାରଙ୍କ ଉଦ୍ୟୋଗ ମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ନିବେଶ ପାଇଁ କିପରି ଏକ କ୍ଷେତ୍ର ପ୍ରସ୍ତୁତ କରିଛି ସେ ନେଇ ଆଲୋକପାତ କରିଥିଲେ । ଏଥିସହ ଭିଏତନାମୀ ପ୍ରତିନିଧି ଦଳର ଅର୍ଥପୂର୍ଣ୍ଣ ସହଯୋଗ ଏବଂ ସହଭାଗିତା ବୃଦ୍ଧି ନେଇ ଓଡିଶା ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଗସ୍ତର ସଫଳତା ଭିଏତନାମ ଏବଂ ଓଡିଶା ମଧ୍ୟରେ ଗଭୀର ସହଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି ଏବଂ ଆଗାମୀ ଦିନରେ ଓଡିଶାରେ ଭିଏତନାମର ବିନିଯୋଗଆଶାକୁ ମଧ୍ୟ ପ୍ରତିପାଦିତ କରୁଛି । ଏ ଅବସରରେ ଓଡିଶା ଏବଂ ଭିଏତନାମର ପ୍ରତିନିଧୀ ମାନେ ନୂତନ ସୁଯୋଗକୁ ଅନୁସନ୍ଧାନ କରିବା ସହ ପାରସ୍ପରିକ ଅଭିବୃଦ୍ଧି ଏବଂ ସମୃଦ୍ଧତା ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେମାନେ ଭବିଷ୍ୟତର ବିନିଯୋଗ ପାଇଁ ଅନେକ ସୁଯୋଗ ପାଇଛନ୍ତି ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନରେ ଆଜି ଓଡିଶା ଶିଳ୍ପ ବିକାଶ ଏକ ମଡେଲ ହୋଇପାରିଛି । ପ୍ରଗତି ପାଇଁ ରାଜ୍ୟର ପ୍ରତିବଦ୍ଧତା କେବଳ ବ୍ୟବସାୟକୁ ଆକର୍ଷିତ କରିନାହିଁ ବରଂ ଭବିଷ୍ୟତର ଉଦ୍ୟୋଗୀଙ୍କ ସମ୍ଭାବନାକୁ ମଧ୍ୟ ସଂଭାବନା ଦେଇଛି। ଭିନ୍ ଭିଙ୍ଗ ଭିଙ୍ଗ ଭିଏତନାମ ସହିତ ଏହି ସହଯୋଗ ଓଡିଶାର ବିସ୍ତୃତ ସମ୍ଭାବନା ଦିଗରେ ଆଉ ଏକ ମାଇଲଖୁଣ୍ଟ ଅଟେ ।