ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ପକ୍ଷରୁ ସୋମବାର ଦିନ କଂଗ୍ରେସ ଭବନରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ନବନିଯୁକ୍ତ ସମସ୍ତ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଓ ପ୍ରଦେଶ ମହିଳା କଂଗ୍ରେସ କର୍ମକର୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଯୋଗଦେଇ ବୁଥ୍ ସ୍ତରରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମହିଳା କଂଗ୍ରେସ ସଂଗଠନ କିପରି ସୁଦୃଢ଼ କରାଯାଇପାରିବ ତା’ ଉପରେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ନବନିଯୁକ୍ତ ଜିଲ୍ଲା ସଭାନେତ୍ରୀ ଓ କର୍ମକର୍ତାମାନେ ନିଜ ନିଜ ଅଞ୍ଚଳରୁ ଅଧିକରୁ ଅଧିକ ସଂଖ୍ୟକ ମହିଳାମାନଙ୍କୁ କଂଗ୍ରେସ ସଂଗଠନକୁ ଆଣିପାରିଲେ ସେମାନେ ମହିଳାମାନଙ୍କ ସମସ୍ୟାର ସମାଧାନ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିପାରିବେ । ରାଜ୍ୟରେ ସରକାର ମା’କୁ ସମ୍ମାନ, ଗାଁକୁ କାମ ନାରା ଦେଇ ମିଛ ଡିଣ୍ଡିମ ପିଟୁଥିବାବେଳେ ଦେଶରେ ନାରୀ ନିର୍ଯ୍ୟାତନାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିିଛି । ଆଗାମୀ ଦିନରେ ଓଡ଼ିଶବାସୀ ଏହାର ଉଚିତ୍ ଜାବବ ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶ୍ରୀମତୀ ପରିଡ଼ା କହିଲେ ଯେ ଏ ସରକାର ଅମଳରେ ହତ୍ୟା, ନାରୀ ନିର୍ଯ୍ୟାତନା ଓ ଗଣ ଦୁଷ୍କର୍ମ ଚରମ ସୀମାରେ ପହଞ୍ଚିଥିଲେ ମଧ୍ୟ ପୀଡ଼ିତା ଉଚିତ୍ ନ୍ୟାୟ ପାଇପାରୁନାହିଁ । ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଆଶାକର୍ମୀ, ଅଙ୍ଗନୱାଡ଼ି, ପାଚିକା ଓ ଗାଁ ସାଥି ସମସ୍ୟା, ଆବାସ କେଳେଙ୍କାରୀ, ଶିଶୁ ଶ୍ରମିକ ଆଦି ପ୍ରସଙ୍ଗରେ ମହିଳା କଂଗ୍ରେସ ପକ୍ଷରୁ ଘରକୁ ଘର ବୁଲି ସାଧାରଣ ମହିଳାଙ୍କୁ ସଚେତନ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସାଙ୍ଗକୁ ତୈଳ, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ମହିଳାଙ୍କ ହାଣ୍ଡିଶାଳକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛାଟ ମାରୁଛନ୍ତି ବୋଲି ସେ କହିଥିଲେ । ଅଖିଳ ଭାରତ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ସଶ୍ମିତା ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥି କହିଥିଲେ ଯେ, ଉଭୟ ମୋଦୀ ଓ ନବୀନ ସରକାରରେ ମହିଳା ଅତ୍ୟାଚାରିତା ଏବଂ ଉପେକ୍ଷିତା । ମହିଳା ସଶକ୍ତିକରଣ ଡିଣ୍ଡିମ ପିଟାଯାଉଛି । ମାତ୍ର ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ନାମରେ ଓଡ଼ିଶା ବିଭିନ୍ନ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଓ ମହିଳା ନେତ୍ରୀମାନେ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ପରିଶେଷରେ ସୁଶ୍ରୀ ସବିତା ଧିର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନବନିଯୁକ୍ତି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଓ ରାଜ୍ୟ ମହିଳା କଂଗ୍ରେସ କର୍ମକର୍ତାଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜିର ଏହି ବୈଠକରେ ରଶ୍ମି ମହାପାତ୍ର, ଅମୀତା ବିଶ୍ୱାଳ, ସଙ୍ଗୀତା ସିଂ, ଏଲ. ମାଣିକ ପ୍ରଭା, ଜ୍ୟୋର୍ତିମୟୀ ବାଗ, ସୁକାନ୍ତୀ ସୋରାଫ, ଚୈତାଳୀ ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ରୀତାଶ୍ରୀ ମହାନ୍ତି, ପଦ୍ମାବତୀ ମହାପାତ୍ର, ତୁଷାରକାନ୍ତୀ ମିଶ୍ର, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ସୁନୀତା ନାୟକ, ଗୀତାଞ୍ଜଳୀ ପାଣିଗ୍ରାହୀ, ରାଜଲକ୍ଷ୍ମୀ ପାତ୍ର, ସ୍ନେହଲତା ମହାପାତ୍ର, ନଳୀନ ଉଜାଲ, ଗୀତାଞ୍ଜଳୀ ପିଡ଼ିକା, ସୁପ୍ରଭା ବରାଳ, କଲ୍ୟାଣି ପୃଷ୍ଟି, ଲତା ନାୟକ, ଦେବସ୍ମିତା ସାମଲ, ବୀନିତା ନାୟକ, କ୍ରିଷ୍ଣା ନାୟକ, କଳ୍ପନା ଆପଟ୍, ଗେରେଡ଼ି କେସ୍, ଗୌରୀ ଦାସ, ବୁଲ୍କି ସେଠ, ମଞ୍ଜୁଲତା ମିଶ୍ର, ଗୀତାଞ୍ଜଳୀ ମହାନ୍ତି, ଗୀତାମୟୀ ସାମନ୍ତ, ପ୍ରିୟମ୍ବନ୍ଦା ପାଣି, ଆରତି ଦେଓ, ଜ୍ୟୋତିମୟୀ ରାଉତ, ଭବାନ ଦୀପ, ମିଲନ ସାହୁ, ମାର୍ଜିନା ପ୍ରଧାନ, କବିତା ସାହୁ, ରୁଦ୍ର ମଲ୍ଲୀକ, ଶସ୍ମିତା ଦାସ, କଳ୍ପନା ସେନ, ସଶ୍ମିତା ନାୟକ, ଝୁନା ପଟ୍ଟନାୟକ, ନିରୁପମା ବଳିଆରସିଂ, ନିରୁପମା ପାତ୍ର, ଶସ୍ମିତା ଘୋଷାଲ, ସବିତା ଚାନ୍ଦ, ଶୋଭା ସିଂ, ସରୋଜୀନ୍ ବାଙ୍କ୍ରା, ସୁତପା ମିତ୍ର, ବନଜା ମିତ୍ର, ପ୍ରବିଣା ଦଣ୍ଡପଟ୍ଟା, କୁନ୍ତି ଦାସ ଓ ସ୍ମିତାରାଣୀ ସାମଲ ପ୍ରମୁଖ ମହିଳା ଅଂଶ ଗ୍ରହଣ କରିଥିଲେ ।