ବିଧାନସଭାଠାରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ୱର : ନବକୃଷ୍ଣ ଚୌଧୁରୀ ହେଉଛନ୍ତି ସମକାଳୀନ ଓଡ଼ିଶା ଇତିହାସର ଅନ୍ୟତମ ସ୍ୱଚ୍ଛ ଓ ନିର୍ମଳ ବ୍ୟକ୍ତିତ୍ୱ । ତାଙ୍କ ଜୀବନ ଥିଲା ବହୁମୁଖୀ ସ୍ରୋତରେ ପ୍ରବାହମାନ । ବିପ୍ଳବୀ, ସଂସ୍କୃତିକର୍ମୀ, ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଆଦର୍ଶବାଦୀ ସମାଜସେବୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିଧାନସଭାଠାରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଅନନ୍ତନାରାୟଣ ଜେନା, ରଜନୀକାନ୍ତ ସିଂ, ରମେଶ ଚନ୍ଦ୍ର ସାଏ, ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ନାୟକ, ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଉତ୍କଳ ସମ୍ମିଳନୀର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶାଶ୍ୱତୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।