ଆଦିବାସୀଙ୍କ ଜମି ଅଧିକାର ଆଇନ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ଅନୁସୂଚୀତ ଜାତି ଓ ଜନଜାତିଙ୍କ ସ୍ୱାର୍ଥପ୍ରତି ଉଦାସୀନ ରହିଛନ୍ତି । ନିକଟରେ ନଭେମ୍ବର ୧୪ ତାରିଖରେ କ୍ୟାବିନେଟ୍ ନିଷ୍ପତିରେ ଓଡ଼ିଶା ତଫସିଲ ଭୁକ୍ତ ଅଞ୍ଚଳ ଅସ୍ଥାବର ସଂପତ୍ତି ହସ୍ତାନ୍ତର (ଓସାଟିପ) ନିୟମ ୧୯୯୬ରେ ସଂଶୋଧନ ଏକ ଦୃଷ୍ଟାନ୍ତମୂଳକ ପ୍ରମାଣ । ଅଣଅନୁସୂଚୀତ ଜନଜାତି ଜମି ହସ୍ତାନ୍ତର ପାଇଁ କ୍ୟାବିନେଟ୍‌ର ନିଷ୍ପତି ଆର୍ଥିକ ଅସୁବିଧା ଏବଂ ଦୁଃଖକୁ ଆମନ୍ତ୍ରଣ କରିବ । ରାଜ୍ୟର ମୋଟ ଜନସଂଖ୍ୟାର ୨୨.୫ ପ୍ରତିଶତରୁ ଅଧିକ ହେଉଛନ୍ତି ଆଦିବାସୀ ବର୍ଗ । ଆଦିବାସୀଙ୍କ ଜମି ଅଧିକାରକୁ ପ୍ରତ୍ୟାଖାନ ନିଷ୍ପତି ସଂପୂର୍ଣ୍ଣ ବେଆଇନ୍ । ରାଜ୍ୟ ସରକାରଙ୍କ ଦ୍ୱାରା ସମାନ ପଦକ୍ଷେପକୁ ୨୦୧୦ ରେ ମହାମହିମ ରାଷ୍ଟ୍ରପତି ପ୍ରତ୍ୟାଖାନ କରିଥିଲେ । ଓଡ଼ିଶା ଅନୁସୂଚୀତ ଅଞ୍ଚଳ ଅସ୍ଥାବର ସଂପତ୍ତି ହସ୍ତାନ୍ତର (ଓସାଟିପ) ସଂଶୋଧନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନମିଳିବା ସତ୍ୱେ ଉକ୍ତ ନିୟାମିକ ସରକାର ଆଦିବାସୀ ବିରୋଧିନୀତି ଅବଲମ୍ବନ ନ କରିବା ବାଟରୁ ଓହରୁ ନାହାନ୍ତି । ଉପା-୧ ଏବଂ ଉପା-୨ ସରକାର ସମୟରେ ଭାରତ ବର୍ଷର ଆଦିବାସୀ ବର୍ଗଙ୍କ ଜମିର ସ୍ୱାର୍ଥରକ୍ଷା କରିବା ନିମନ୍ତେ ଜଙ୍ଗଲ ଜମି ଅଧିଗ୍ରହଣ ନିୟମ ୨୦୦୬ ଏବଂ ୨୦୧୩ ମସିହାରେ ଜମି ଅଧିଗ୍ରହଣ ଆଇନ ପୁନର୍ବାସ ଓ ଥଇଥାନ ଆଇନ ଅଣାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ସରକାର ଆଦିବାସୀ ମାନଙ୍କ ଜମିକୁ ଅଣଆଦିବାସୀ ମାନେ କିଣିପାରିବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତି ଅତ୍ୟନ୍ତ ହାସ୍ୟାସ୍ପଦ ଏ ସରକାର ଆଦିବାସୀ ମାନଙ୍କ ବିରୋଧି । ଏହି ନିଷ୍ପତିକୁ ସଂପୂର୍ଣ୍ଣଭାବେ ରଦ୍ଦ କରବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ଆଦିବାସୀ ବର୍ଗଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ତୁରନ୍ତ ପେଷା ଆଇନ-୧୯୯୬କୁ ଲାଗୁ କରାଯାଉ । ଏ ସରକାର ଆଦିବାସୀ ଏବଂ ଅନୁସୂଚିତ ଜାତିଙ୍କ ଘୋର ବିରୋଧି ବୋଲି ତାଳଚେର ମେଡିକାଲ କଲେଜରେ ଯେଉଁ ନିଯୁକ୍ତି ପ୍ରଦାନ କରାଗଲା ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି । ସମସ୍ତ ସାମ୍ବିଧାନିକ ଆଇନକାନକୁ ଏ ସରାକରର ତିଳେମାତ୍ର ଭୃକ୍ଷେପ ନାହିଁ । ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଲାଗୁହୋଇଥିବା ସଂରକ୍ଷଣ ନୀତିକୁ ଏହି ମେଡିକାଲ କଲେଜର ନିଯୁକ୍ତି ବେଳେ ସଂପୂର୍ଣ୍ଣ ଅଣଦେଖା କରାଗଲା । ଫଳରେ ଉଚ୍ଚଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଏବଂ ଅନୁସୂଚିତ ଜାତିର ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଲେ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜାଣିସୁଣି ଏଭଳି ବେଆଇନ କାମକୁ ପ୍ରୋତ୍ସାହିତ କଲେ । ତାଳଚେରର ମେଡିକାଲ କଲେଜକୁ ମହାନଦୀ କୋଲଡଫିଲ୍ଡ ଯାହାକି ଏକ କେନ୍ଦ୍ରୀୟ ଉଦ୍ୟୋଗ ସ୍ଥାପନ କରିଛନ୍ତି । ତେଣୁ କିଭଳି କେନ୍ଦ୍ର ସରକାରଙ୍କର ଅଧିକାରୀ ବୃନ୍ଦ ଆଦିବାସୀ ଓ ଅନୁସୂଚିତ ଜାତିଙ୍କ ସ୍ୱାର୍ଥକୁ ଅଣଦେଖା କଲେ ଉଭୟ ବିଜେପି ଓ ବିଜେଡ଼ି ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗଙ୍କର ଘୋର ବିରୋଧି । ସମ୍ବିଧାନର ପଞ୍ଚମ ଅନୁଛେଦ ଅନୁସାରେ ମହାମହୀମ ରାଜ୍ୟପାଳଙ୍କର ଆଦିବାସୀ ଓ ଅନୁସୂଚିତ ଜାତିବର୍ଗଙ୍କର ସ୍ୱାର୍ଥ ରକ୍ଷା କରିବାପାଇଁ ସାମ୍ବିଧାନିକ ଦାୟୀତ୍ୱ ରହିଛି । ତେଣୁ ମହାମହୀମ ରାଜ୍ୟପାଳ ଓଡ଼ିଶା ସରକାରଙ୍କର ଆଦିବାସୀ ବିରୋଧି ନିଷ୍ପତିକୁ ତୁରନ୍ତ ଖାରଜ କରାନ୍ତୁ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଦେଶ କଂଗ୍ରେସ ଆଦିବାସୀ ବିଭାଗର ମୁଖ୍ୟ ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ପିସିସି ସାଧାରଣ ସଂପାଦିକା ଅମିତା ବିଶ୍ୱାଳ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ମୋହନ ହେମ୍ବ୍ରମ, ରମାକାନ୍ତ ନାୟକ, ତପନ ପ୍ରଧାନ, ଅଭିଶେକ ଦଳବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।