କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତିକ ଜନଗଣନା କରାଯିବ –ଶରତ ପଟ୍ଟନାୟକ ।

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ (ଓବିସି) ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ବିଜୟାନନ୍ଦ ଚାଉଳିଆଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମେ ଶ୍ରୀ ଚାଉଳିଆ ରାମମନ୍ଦିର ଛକଠାରୁ ଏକ ବିଶାଳ “ଓବିସି ଅଧିକାର” ଶୋଭାଯାତ୍ରାରେ ବାହାରି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହି ଅବସରରେ ପିସିସି କାର୍ଯ୍ୟାଳୟରେ ପୂର୍ବତନ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ନବନିଯୁକ୍ତ ପିସିସି ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ଚାଉଳିଆଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଅଭିଭାଷଣରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ଓବିସି ବିଭାଗର କର୍ମକର୍ତା ଓ କର୍ମୀମାନଙ୍କୁ କହିଥିଲେ ଯେ କଂଗ୍ରେସ ଦଳ ଓବିସି ବର୍ଗର ନ୍ୟାର୍ଯ୍ୟ ଅଧିକାର ପାଇଁ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ । ୨୦୨୪ରେ କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାରେ ନିଶ୍ଚିତ ଜାତିଭିତିକ ଜନଗଣନା କରାଯିବ । ୨୦୦୫ ମସିହାରେ ଉପାସରକାର ଅମଳରେ ୯୩ତମ ସମ୍ବିଧାନ ସଂଶୋଧନ କରାଯାଇ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗରେ ନାମଲେଖା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ନାମ ଲେଖାପାଇଁ ଓବିସି ବର୍ଗଙ୍କୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରିଛନ୍ତି । ରାଜ୍ୟରେ ୫୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ଓବିସି ବର୍ଗର ଜନସାଧାରଣ ଥିବାବେଳେ ଚାକିରି କ୍ଷେତ୍ରରେ ରାଜ୍ୟ ସରକାର ଓବିସି ବର୍ଗପାଇଁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଏହି ବର୍ଗ ପାଇଁ ଉପହାସ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଓଡ଼ିଶା ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ିଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । କେବଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଓବିସି ବର୍ଗଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଇଥିଲା । ବିହାର ଓ ରାଜସ୍ଥାନରେ ଯେଭଳି ଜାତିଭିତିକ ଜନଗଣନା କରାଯାଇଛି ସେହିଭଳି ଓଡ଼ିଶାରେ କରାଯାଉ । ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବାପାଇଁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରିଆସୁଛି । ଜାତିଭିତିକ ସର୍ଭେ ପାଇଁ ବିଧେୟକ ପାରିତ କରିବାକୁ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଉ । ଯାହାଫଳରେ ବିଭିନ୍ନ ଜାତି ଓ ବର୍ଗର ବିକାଶ ପାଇଁ ସର୍ଭେକ୍ଷଣର ରିପୋର୍ଟ ଅନୁଯାୟୀ ସରକାର ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୀତି ପ୍ରସ୍ତୁତ କରି ସରକାର ପ୍ରଗତି ଆଣିପାରିବେ । ବିହାରରେ ଯେଉଁଭଳି ଜନସଂଖ୍ୟାର ୬୩ ପ୍ରତିଶତ ଓବିସି ବୋଲି ଜଣାପଡ଼ିଲା ସେହିଭଳି ଓଡ଼ିଶାରେ ଓବିିସିର ସଂଖ୍ୟା କେତେ ତାହା ଅନ୍ଧାରରେ ରଖାଯାଇଛି । ଏହି ସଭାରେ ନବନିଯୁକ୍ତ ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ବିଜୟାନନ୍ଦ ଚାଉଳିଆ କହିଥିଲେ ଯେ ଆମେ ସଂଗଠିତ ହୋଇ ଓବିସି ମାନଙ୍କ ପ୍ରତି ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାର କରୁଥିବା ଅବିଚାର ଓ ଉଦାସୀନତା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବା । ସରକାର ତୁରନ୍ତ ଓବିସି କମିଶନର ରିପୋର୍ଟ ସାର୍ବଜନୀନ କରନ୍ତୁ । ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ ଘୋଷଣା କରାଯାଉ । ଘରକୁ ଘର ସର୍ଭେକ୍ଷଣ କରାଯାଇ ଜାତିଭିତିକ ଜନଗଣନା ହେଉ ବୋଲି ଶ୍ରୀ ଚାଉଳିଆ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀ, ସସ୍ମିତା ବେହେରା, ସୁରେଶ ମହାପାତ୍ର, ବାଙ୍କନିଧି ବେହେରା, କୈଳାସ ସାହୁ, ରାଜକିଶୋର ବାରିକ ପ୍ରମୁଖ ଓବିସି ବର୍ଗର ନ୍ୟାର୍ଯ୍ୟ ଦାବି, ସରକାରି ଉଦାସୀନତା ଓ ଦଳୀୟ ସଂଗଠନର ଦୃଢ଼ତା ଉପରେ ଆଲୋକପାତ କରିଥିଲେ । ଶେଷରେ ବିଧୁଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ବିଶ୍ୱଭୂଷଣ ଦାସ, ଅମିୟ ପାଣ୍ଡବ, ଦୀପକ କୁମାର ମହାପାତ୍ର, ହଳଧର ସେଠୀ, ଚିନ୍ମୟ ବେଉରା, ତରୁଣ ମିଶ୍ର, ଜୟନ୍ତ ସାହୁ, ସୁବ୍ରତ ମହାପାତ୍ର, ବିପ୍ଳବ ଜେନା, ସୁବ୍ରତ ଗଡ଼ନାୟକ, ଦିଗମ୍ବର ଗଡ଼ନାୟକ, ସୁଭାଷ ପ୍ରଧାନ, ସଂକୁନା କହଁର, ରତିକାନ୍ତ ବେଉରା, ସୌମ୍ୟରଞ୍ଜନ ଜେନା, ନରୋତମ, ନାୟକ, ମିହିର ଆଚାର୍ଯ୍ୟ,  ଜିତେନ୍ଦ୍ର ସାମନ୍ତରାୟ, ବିଶ୍ୱରଞ୍ଜନ ଜେଠୀ, ଯଦୁମଣି ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।