ଭୁବନେଶ୍ୱର : ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭ ନ୍ନି ଅଙ୍ଗ । ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ । କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି । କାରଣ ନିରବଚ୍ଛିନ୍ନ ଭାବେ ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି ହେଉଛି । ଏଥି ପାଇଁ ସରକାର ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମାଧ୍ୟମରେ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ତା’ସହ ଜନସାଧାରଣଙ୍କର ସହଯୋଗ ଏବଂ ସେମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି, କାରଣ ଆୟୁର୍ବେଦିକ ଚିକିତ୍ସାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ ବୋଲି ୧୬ତମ କଳିଙ୍ଗ ହର୍ବାଲ୍ ମେଳା-୨୦୨୩କୁ ଉଦ୍ଘାଟନ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶା ପ୍ରାକୃତିକ ସଂପଦର ଭଣ୍ଡାର । ଜଗନ୍ନାଥ ସଂସ୍କୃତିରେ ଔଷଧୀୟ ବୃକ୍ଷଲତାର ବହୁଳ ବ୍ୟବହାର ହୋଇଥାଏ । କରୋନା ପରେ ଭାରତୀୟ ଆୟୁର୍ବେଦିକ ଚିକିତ୍ସାର ଆଦର କ୍ରମଶଃ ବଢ଼ିବାରେ ଲାଗିଛି । ତେଣୁ ଔଷଧୀୟ ଉଦ୍ଭିଦର ଚାହିଦା ମଧ୍ୟ ବଢ଼ିଚାଲିଛି । ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନଗୁଡ଼ିକ ଔଷଧୀୟ ଉଦ୍ଭିଦ ଚାଷ ସହ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ଲାଭବାନ ହୋଇପାରିବେ । ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସହ ରିହାତିର ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ଡ. ଦେବୀଦତ୍ତ ବିଶ୍ୱାଳ କହିଲେ ଯେ ଆୟୁର୍ବେଦିକ, ଏଲୋପାଥିକ ଏବଂ ହୋମିଓପାଥିକ ଚିକିତ୍ସା ପଦ୍ଧତି ପରସ୍ପରଠାରୁ ଭିନ୍ନ କିନ୍ତୁ ଅଭିନ୍ନ ନୁହନ୍ତି । ପ୍ରତ୍ୟେକ ଚିକିତ୍ସା ପଦ୍ଧତିର ସ୍ୱାତନ୍ତ୍ର୍ୟ ରହିଛି । କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ବିପୁଳ ସମ୍ଭାବନା ରହିଛି । ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଦୀପ ନାୟକ ସ୍ୱାଗତ ଭାଷଣ ଅବସରରେ ମେଳା ଆୟୋଜନର ଆଭିମୁଖ୍ୟ ଓ ଉପଲବ୍ଧି ବାବଦରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଦୁଇଟି ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଉପ-ବନସଂରକ୍ଷକ ଶ୍ରୀମତୀ କିରଣବାଳା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ମେଳାରେ ବିଭିନ୍ନ ରୋଗ ସଂପର୍କିତ ଆଲୋଚନା ଚକ୍ର, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ବୈଦ୍ୟ କର୍ମଶାଳା ତଥା ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ଯଥା- ଆୟୁର୍ବେଦ, ପଞ୍ଚକର୍ମ, ଯୋଗ ଓ ପ୍ରାକୃତିକ ଚିକିତ୍ସା ଏବଂ ହୋମିଓପାଥି ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଏହି ମେଳା ଚଳିତ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୧ଟାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ନିମନ୍ତେ ଖୋଲା ରହିବ ।