ବିଜୁଳି ଭିତିଭୂମି ବିକାଶ ନାଁରେ ୧୫ ହଜାର କୋଟିର ବ୍ୟୟବରାଦ ଆଉ ଏକ ମହାଠକେଇ ।

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ଆଉ ଏକ ମହାଠକେଇର ଅଭିଯୋଗ ଆଣିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜୁଳ ବିଭାଗର ଭିତିଭୂମି ବିକାଶ ନିମନ୍ତେ ସରକାର ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର ରାଜ୍ୟର ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ୨୦ ହଜାର କୋଟି ଟଙ୍କାର ମଞ୍ଜୁର କରିଥିଲେ କିନ୍ତୁ କଂଗ୍ରେସର ବାରମ୍ବାର ଦାବି ସତ୍ୱେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚର ହିସାବ ଏ ସରକାର ଏପର୍ଯ୍ୟନ୍ତ ଦେଲେ ନାହିଁ । ୨୦ ହଜାର କୋଟି ଟଙ୍କାର ହିସାବ ଦେଇ ପାରୁନଥିବା ସରକାର ପୁର୍ନବାର ୧୫ ହଜାର କୋଟି ଟଙ୍କା ଆଉଥରେ ବିଦ୍ୟୁତ ଭିତିଭୂମି ବିକାଶ ପାଇଁ ବ୍ୟୟବରାଦ କରିବା କେତେଦୁର ଗ୍ରହଣୀୟ । ଏଥିରେ କେତେ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ କେଉଁମାନେ ଏଥିରେ ଅନ୍ତର୍ଭୁକ୍ତ ଏକଥା ଜଳ ଜଳ ହୋଇ ଦେଖାଯାଉଛି । ହିସାବ ଦେବାପାଇଁ ସରକାର ଅକ୍ଷମ ଏବଂ ଯେତେବେଳେ ବିଜୁଳି ଉପଭୋକ୍ତା ଭିତିଭୂମି ଅଭାବଜନିତ କାରଣରୁ ବର୍ଦ୍ଧିତ ବିଜୁଳି ଦେୟର ଶୀକାର ହେଉଛି ସେତେବେଳେ ପୁନର୍ବାର ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ କେବଳ ଆତ୍ମସାତ ପାଇଁ ଉଦ୍ଦିଷ୍ଟ । ସୁତରାଂ ସରକାର ଯେ ଦୁର୍ନୀତିରେ ଉବୁଟୁବୁ କହିବା ନିଷ୍ପ୍ରୟୋଜନ । ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଭିତିଭୂମି ବିକାଶ କ୍ଷେତ୍ରରେ ପୂର୍ବରୁ ମଂଜୁର ହୋଇଥିବା ୨୦ ହଜାର କୋଟି ଟଙ୍କାର ହିସାବ ଦିଅନ୍ତୁ ନତୁବା କଂଗ୍ରେସ ଆନ୍ଦୋଳନକୁ ଯିବ । ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ପ୍ରତିକ୍ରୀୟା ରଖି କହିଲେ ଯେ, ରାଜ୍ୟ ସରକାରଙ୍କର ବିଜୁଳି ଉପଭୋକ୍ତାଙ୍କ ସମସ୍ୟାକୁ ସମାଧାନ ପାଇଁ ନିଘା ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ତଥ୍ୟ ଦେଇ ସେ କହିଥିଲେ ଯେ ୨୦୧୭-୧୮ ରୁ ୨୦୨୦-୨୧ ମଧ୍ୟରେ ବିଦ୍ୟୁତ ସରବରାହ ଓ ରକ୍ଷଣାବେକ୍ଷଣ ଜନିତ କ୍ଷତି ଓଡ଼ିଶାରେ ୨୨ ପ୍ରତିଶତ ରହିଛି । ଯେଉଁଠି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ୨୮ ପ୍ରତିଶତ ଓ ରାଜସ୍ଥାନରେ ୧୩ ପ୍ରତିଶତ ଫଳତଃ ବିଜୁଳି ଦେୟ ବଢ଼ୁଛି ଓ ଖାଉଟିଙ୍କ ଦୁର୍ଦ୍ଦଶା ବଢ଼ୁଛି । ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ଅଲ୍ଟ୍ରା ମେଗା ପାୱାର ପ୍ରୋଜେକ୍ଟ (Ultra Mega Power Project) ପ୍ରତିଷ୍ଠା ହେବା ସିଦ୍ଧାନ୍ତ ହୋଇଛି । ଯେଉଁଥିରୁ ୩୨୦୦ ମେଗାୱାଟ ଶକ୍ତି ଉତ୍ପାଦନ ହେବ । କେନ୍ଦ୍ର ନିର୍ଦ୍ଧାରିତ ନିୟମ ଅନୁସାରେ ଏହାର ୫୦ ଭାଗ ଅର୍ଥାତ ୧୬୦୦ ମେଗାୱାଟ ବିଜୁଳି ଓଡ଼ିଶାକୁ ମିଳିବା କଥା କିନ୍ତୁ ରାଜ୍ୟ ସରକାର ୧୬୦୦ ମେଗାୱାଟ ପରିବର୍ତେ ୮୦୦ ମେଗାୱାଟ ବିଜୁଳି ଏହି ବୃହତ ପ୍ରକଳ୍ପରୁ ନେବାପାଇଁ ଏକ ୨୫ବର୍ଷିୟା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଯଦି ଉତ୍ପାଦିତ ବିଜୁଳି କ୍ଷମତାର ୫୦ ଭାଗ ଅର୍ଥାତ ୧୬୦୦ ମେଗାୱାଟ ବିଜୁଳି ନେବାପାଇଁ ରାଜ୍ୟ ରାଜି ହୋଇଥାନ୍ତା ତାହାହେଲେ ବିଜୁଳିଦର ୟୁନିଟ ପିଛା ୧ ଟଙ୍କା ପଡ଼ିଥାନ୍ତା । କିନ୍ତୁ ସରକାର ଏହା ନକରି ତାମିଲନାଡୁର ନଇଭାଲି କର୍ପୋରେସନକୁ ଉପକୃତ କରିବା ଅଭିସନ୍ଧି ରଖିଛନ୍ତି । ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନଗୋ ସିଏଜିଙ୍କ ଦ୍ୱାରା ଆକାଉଣ୍ଟିକ ଅଡିଟ ଓ ବିଜୁଳି ଅଡିଟ କରିବାପାଇଁ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଶେଣ୍ୱର ବେହେରା ଉପସ୍ଥିତି ଥିଲେ ।