୨୦୧୩ରୁ ଲୋକଙ୍କୁ ଅନ୍ଧାରରେ ରଖି ଚୁକ୍ତିଭିତ୍ତିକ ନିଯୁକ୍ତିର ମହାଦୁର୍ନୀତି ଆରମ୍ଭ କରିଥିଲେ ସରକାର

ଭୁବନେଶ୍ୱର: ନିଜେ ନେଇଥିବା ଐତିହାସିକ ଭୁଲକୁ ରାଜ୍ୟ ସରକାର ସ୍ୱୀକାର କରି କିଞ୍ଚିତ ସମାଧାନ କରିବାର ଘୋଷଣା ସ୍ୱାଗତଯୋଗ୍ୟ । ମାତ୍ର ରାଜ୍ୟ ସରକାର ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ନିରାଶ କରିବେ ନାହିଁ ବୋଲି ଆଶାପ୍ରକଟ କରିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି 2013ରୁ ଲୋକଙ୍କୁ ଅନ୍ଧାରରେ ରଖି ଚୁକ୍ତିଭିତ୍ତିକ ନିଯୁକ୍ତିର ମହାଦୁର୍ନୀତି ଆରମ୍ଭ କରିଥିଲେ ସରକାର । ଏହାବ୍ୟତିତ ରାଜ୍ୟ ବିଧାନସଭାରେ ଗତ ଜୁଲାଇ 27ରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ବିଧାନସଭାରେ ସ୍ପଷ୍ଟ କରିଥିଲେ ରାଜ୍ୟରେ 8 ଲକ୍ଷ 80 ହଜାରରୁ ଉର୍ଦ୍ଧ୍ୱ ପଞ୍ଜିକୃତ ବେରୋଜଗାର ଯୁବକ ଯୁବତୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଏହି 8 ଲକ୍ଷ 80 ହଜାର ପରିବାରକୁ ରୋଜଗାର ଦେଇ ଦାୟିତ୍ୱ ନେବେ, ତାହାର ସ୍ପଷ୍ଟୀକରଣ ଦିଅନ୍ତୁ । ସେହିପରି ରାଜ୍ୟରେ 50 ହଜାରରୁ ଉର୍ଦ୍ଧ୍ୱ ବ୍ଲକ ଗ୍ରାଣ୍ଟ୍ କର୍ମଚାରୀ ଅଛନ୍ତି । ଯେପରି ଭାବରେ ଆଜି 2013ରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କୁ ନିୟମିତ କରିଛନ୍ତି । ଏହି 50 ହଜାରରୁ ଉର୍ଦ୍ଧ୍ୱ ବ୍ଲକ ଗ୍ରାଣ୍ଟ୍ ଶିକ୍ଷକ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଚୁକ୍ତିରୁ କେବେ ମୁକ୍ତ କରି ସେମାନଙ୍କ ପରିବାରର ଦୁଃଖ କେବେ ଦୂର କରିବେ ? ରାଜ୍ୟ ସରକାରଙ୍କ କେଉଁ ବିଭାଗର କେଉଁ ପାହ୍ୟାର କେତେ କର୍ମଚାରୀ ନିୟମିତ ହେବେ ତାହାର ସ୍ପଷ୍ଟୀକରଣ କେବେ ? ରାଜ୍ୟ ସରକାର ନିଜେ ନେଇଥିବ ଭୁଲ ନିଷ୍ପତିରେ 2013ରେ ନିଯୁକ୍ତି ପାଇଥିବା ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାର ଘୋଷଣା କରିଛନ୍ତି, ଏହି 57 ହଜାର କର୍ମଚାରୀଙ୍କୁ 2013ରୁ ବର୍ତ୍ତମାନ ସୁଦ୍ଧା ବକେୟା ପାଉଣା ଦେଇ ସେମାନଙ୍କ ପ୍ରତି ନ୍ୟାୟ ବିଚାର କରିବେ କି ରାଜ୍ୟ ସରକାର ? ଆଜି ବି ରାଜ୍ୟରେ ଲକ୍ଷାଧିକ ଯୁବକ ଯୁବତୀ ଭିନ୍ନ ଭିନ୍ନ ସରକାରୀ ପ୍ରକଳ୍ପରେ କାମ କରୁଥିବା ବେଳେ ସ୍ଥାୟୀ ନିଯୁକ୍ତି ଆଶାରେ ନିରାଶ ଅଛନ୍ତି । ସେମାନେ ଅନେକ ସମୟରେ ସରକାରଙ୍କୁ ଏ ନେଇ ପ୍ରଶ୍ନ ପଚାରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ? କାଳିଆ, ପିଠା ଏବଂ ଯୁବ ବାହିନୀ ଭଳି ଅନେକ ଯୋଜନା ଯେପରି ଭାବରେ ଯୁବକ, ମହିଳା ଏବଂ ଲୋକଙ୍କୁ ଭ୍ରମିତ କରିଥିଲା । ଓଡ଼ିଶା ସରକାରଙ୍କ ଏହି ନିଷ୍ପତି ସେହି ଦିଗରେ ଗତି କରିବନି ତ ? ଗ୍ରାମରକ୍ଷୀ, ଗ୍ରାମ ରୋଜଗାର ସହାୟକ, ହୋମ୍ ଗାର୍ଡ, ଗାଁ ସାଥୀ, ବିଭିନ୍ନ ଅଫିସରେ କାର୍ଯ୍ୟରତ ଡିଟିପି ଅପରେଟରଙ୍କ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଲକ୍ଷାଧିକ ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ମାନ୍ୟତା କେବେ ବୋଲି ଶ୍ରୀ ଜୟ ନାରାୟଣ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *