ନବରଙ୍ଗପୁର ଜିଲ୍ଲା ପାଇଁ ୧୧ଟି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଏବଂ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ଜାନୁଆରୀ ୬ ରୁ BSKY-ନବୀନ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ ହେବ ।
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା ଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ । ସେହିପରି ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍ ନିର୍ମାଣ କରାଯିବ । ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷଜମିକୁ ପାଣି ମିଳିପାରିବ । ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପ୍ଲାଇନ୍ ମାଧ୍ୟମରେ ଜଳସେଚନ କରାଯିବ । ଏହା ଦ୍ୱାରା ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯୋଗୁ କୌଣସି ବିସ୍ଥାପନର ଆବଶ୍ୟକତା ନାହିଁ । ଭିଡିଓ କନ୍ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ନବରଙ୍ଗପୁର ଜିଲ୍ଲା ପାଇଁ ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ମାର୍ଚ୍ଚ ମାସରେ ମୋ ନିର୍ଦ୍ଦେଶରେ 5T Chairman ନବରଙ୍ଗପୁର ଯାଇଥିଲେ । ଆପଣମାନଙ୍କ ସହିତ ମିଶିଥିଲେ । ବିଭିନ୍ନ ବିକାଶ କାମ ବୁଲି ଦେଖିଥିଲେ । ଆପଣମାନଙ୍କ ଯାହା ସବୁ ପ୍ରସ୍ତାବ ଅଛି, ସବୁ ଆମେ କାର୍ଯ୍ୟକାରୀ କରିବୁ । ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ ରୂପାନ୍ତର ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଏକ ଖୁସିର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କିଛି ଦିନ ତଳେ ଲକ୍ଷ୍ମୀ ଯୋଜନା ଆରମ୍ଭ ସମୟରେ ମୁଁ ଆପଣମାନଙ୍କୁ ଭେଟିଥିଲି । ମୋର ବିଶ୍ବାସ, ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷି ଆମ ଅର୍ଥନୀତିର, ଆମ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ । ସେଥିପାଇଁ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ସାରା ରାଜ୍ୟରେ ଅନେକ ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହୀନ ଋଣ ଆଦି ଅନେକ ସୁବିଧା କରାଯାଉଛି । ଚାଷୀ ଓ ମା’ ମାନଙ୍କ ଉନ୍ନତି ବିନା ବିକାଶର ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ । ସେଥିପାଇଁ ଚାଷୀମାନଙ୍କ କଲ୍ୟାଣ, ମା’ ମାନଙ୍କ କଲ୍ୟାଣ ମୋର ସବୁବେଳେ ମୁଖ୍ୟ ଫୋକସ୍ ହୋଇରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଆମେ ଗାଁର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଏବେ ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ । ଅର୍ଥ ଅଭାବରୁ କେହି ଯେପରି ଭଲ ଚିକିତ୍ସା ପାଇବାରୁ ବଞ୍ଚିତ ନ ହେବେ, ତାହା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ । ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ବେଳେ ନବରଙ୍ଗପୁର ଜିଲ୍ଲାବାସୀ ଏହି ପ୍ରକଳ୍ପ ୨ଟି ଅନୁମୋଦନ ପାଇଛି ବୋଲି ଜାଣି ଖୁସି ହୋଇଥିଲେ । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିଛି । ନବରଙ୍ଗପୁରର ୯୦ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ସେମାନେ କିପରି ଭଲ ଚାଷ କରି ପାରିବେ ସେହି ଲକ୍ଷ୍ୟରେ ଆମର ଏହି ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପ ଜରିଆରେ ଅଧିକରୁ ଅଧିକ କୃଷିଜାତ ଦ୍ରବ୍ୟ ଉତ୍ପନ୍ନ କରି ସେଗୁଡିକର ବିକ୍ରିବଟା ପାଇଁ ପୂର୍ବରୁ ଜିଲ୍ଲାକୁ ଆସିଥିବା ଲକ୍ଷ୍ମୀ ବସ୍ ସେମାନଙ୍କୁ ସହାୟତା କରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ତାଙ୍କର ନବରଙ୍ଗପୁର ଗସ୍ତ କଥା ମନେ ପକାଇ କହିଥିଲେ ଯେ ସେତେବେଳେ ବହୁତ ଲୋକଙ୍କୁ ସେ ଭେଟିଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ଅନେକ ଲୋକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ନବୀନ କାର୍ଡ ଆରମ୍ଭ କରୁଛନ୍ତି । ଜାନୁଆରୀ ୬ ରୁ ଏଥିପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଯୋଗଦେଇ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏଭଳି ଏକ ଉପହାର ଦେଇଛନ୍ତି, ଯାହାର ପ୍ରତୀକ୍ଷା ସେମାନେ ଦୀର୍ଘ ଦିନଧରି କରିଥିଲେ । ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନମୂଳକ ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ସମେତ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି । ସେଠାରେ ଉପସ୍ଥିତ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ କହିଥିଲେ ଯେ ନବରଙ୍ଗପୁର ଜିଲ୍ଲା ପାଇଁ ଜଳସଚେନର ଯେଉଁ ଆବଶ୍ୟକତା ଥିଲା ଆଜି ମୁଖ୍ୟମନ୍ତ୍ରୀଙ୍କ ଭେଟି ମାଧ୍ୟମରେ ତାହା ପୂରଣ ହେଲା । ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଏହି ୨ଟି ପ୍ରକଳ୍ପ ମାଧ୍ୟମରେ ଆମ ଜିଲ୍ଲାର ଚାଷୀମାନଙ୍କର ବହୁତ ସୁବିଧା ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।