ମୂଳ ଅଧିବାସୀ ତଥା ଆଦିବାସୀଙ୍କ ପାଖରେ ସବୁବେଳେ ଧନୁତୀର ଥାଏ । ଏହା ଆଦିବାସୀଙ୍କ ଚିହ୍ନ କହିଲେ ଚଳିବ । ସେହିପରି ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପାଖରେ ଧନୁତୀର ଥାଏ । ଏହା ତାଙ୍କର ପ୍ରତୀକ ବା ଚିହ୍ନ । ଧନୁ ତୀର ବିନା ଶ୍ରୀରାମ ପନ୍ଦର ବର୍ଷ ଧରି ଜଙ୍ଗଲରେ ରହି ପାରିନଥାନ୍ତେ । ଜଙ୍ଗଲରେ ହିଂସ୍ର ପଶୁଙ୍କ କବଳରୁ ରକ୍ଷା ପାଇବା ପାଇଁ ଧନୁତୀର ହିଁ ଏକମାତ୍ର ଭରଷା । ଆଦିବାସୀ ଏବଂ ଶ୍ରୀରାମଙ୍କ ଚିହ୍ନ ଉଭୟ ଉଭୟଙ୍କ ପରିପୂରକ । ଦୀର୍ଘ ବର୍ଷର ବାଦବିବାଦ ପରେ ସୁପ୍ରିମ୍କୋର୍ଟଙ୍କ ଆଦେଶକ୍ରମେ ଜାନୁଆରୀ ମାସରେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ଏବଂ ତାଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବାକୁ ଯାଉଛି । ଏହି ଉତ୍ସବରେ ଶାସକ, ପ୍ରଶାସକ,ସାଧୁସନ୍ଥ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀରାମଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବ ବୋଲି ପ୍ରଚାର ହେଉଛି । ଭାରତର ରାଷ୍ଟ୍ରପତି ଯିଏକି ଶ୍ରୀରାମଙ୍କ ଧନୁତୀର ଚିହ୍ନବର୍ଗରୁ ରାଷ୍ଟ୍ରର ମୁଖ୍ୟ ଭାବେ ଅବସ୍ଥାପିତ ଅଛନ୍ତି,ତାଙ୍କ ଉପସ୍ଥିତିରେ ଶ୍ରୀରାମଙ୍କ ମୂର୍ତ୍ତି ପ୍ରତିଷ୍ଠା ହେଲେ ଦେଶ ପାଇଁ ଶୁଭଙ୍କର ହେବ ଏବଂ ସବୁ ବର୍ଗର ଲୋକଙ୍କ ମନରେ ଖୁସି ଆଣିବ । ଶ୍ରୀରାମଙ୍କୁ ସର୍ବବ୍ୟାପୀ ପରିଚିତ କରାଇଥିବା ଭଗବାନ ମହର୍ଷି ବାଲ୍ମିକୀଙ୍କ ଅନୁଗାମୀମାନଙ୍କୁ ହିଁ ଉତ୍ସବକୁ ଆମନ୍ତ୍ରଣ କରିବା ଆବଶ୍ୟକ । ଭଗବାନ ମହର୍ଷି ବାଲ୍ମିକୀଙ୍କ ଅନୁଗାମୀମାନଙ୍କୁ ଦେଶରେ ବହୁ ଅବହେଳିତ କରି ରଖାଯାଇଛି । ଭରଦ୍ୱାଜ ଋଷିଙ୍କ ଗୁରୁ ଥିଲେ ରାମାୟଣର ରଚୟିତା ଭଗବାନ ମହର୍ଷି ବାଲ୍ମିକୀ । ଭରଦ୍ୱାଜ ଗୋତ୍ରର ବ୍ୟକ୍ତିମାନେ ଭଗବାନ ମହର୍ଷି ବାଲ୍ମିକୀଙ୍କ ସବୁଠାରୁ ଉଚ୍ଚ ମୂର୍ତ୍ତି ଭାରତର ସବୁ ରାଜ୍ୟରେ ସ୍ଥାପନା କରାଯାଉ ବୋଲି ଦାବି ରଖନ୍ତୁ । ତେବେ ଯାଇ ଶ୍ରୀରାମଙ୍କ ପ୍ରତି ସମ୍ମାନ ହେବ ଏବଂ ଭଗବାନ ମହର୍ଷି ବାଲ୍ମିକୀଙ୍କ ଆଶୀର୍ବାଦ ମିଳିବ, ଜ୍ଞାନ ଗୁଣରେ ସମସ୍ତେ ପରିପୂର୍ଣ୍ଣ ହେବେ । ଯେମିତି ଭଗବାନ ମହର୍ଷି ବାଲ୍ମିକୀଙ୍କ ଜ୍ଞାନ ଥିଲା । ସେ ଲେଖକଙ୍କ ପ୍ରତୀକ ମଧ୍ୟ । ସମୀର କୁମାର ସିଂହ, ସଂପାଦକ,ଓଡ଼ିଶା ନ୍ୟୁଜ୍