ଭୁବନେଶ୍ୱର : ବିକଶିତ ଭାରତ ଗଠନରେ ଯୁବଶକ୍ତିର ଯୋଗଦାନ ଓ ପ୍ରତିଭାର ପ୍ରଦର୍ଶନ ନିହାତି ଜରୁରୀ ଏବଂ ଏହାକୁ ଭଲ ଭାବେ ଉପଲବ୍ଧ କରି କାର୍ଯ୍ୟ କରୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ “ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ସର୍ବଭାରତୀୟ ସ୍ତରରେ “ରୋଜଗାର ମିଶନ”କୁ ଶନିବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ମିଶନ ଜରିଆରେ ଦେଶରେ ପ୍ରାୟ ୧୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଏହି ମିଶନ ଜରିଆରେ ଆସନ୍ତା ଏକ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ପୂରଣ କରାଯିବ । ପ୍ରଥମ ପର୍ଯ୍ୟାୟ ରୋଜଗାର ମିଶନରେ ଶନିବାର ଦିନ ଦେଶବ୍ୟାପୀ ପ୍ରାୟ ୭୫ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ମିଳିଛି । ସମଗ୍ର ଦେଶର ୫୦ଟି ସ୍ଥାନରେ ୭୫ ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଉପସ୍ଥିତ ରହି ନୁତନ ନିଯୁକ୍ତଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀ ଯୁବବର୍ଗଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ ଶ୍ରୀ ମହାନ୍ତି କହିଛନ୍ତି ।