ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ବର : ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏହି ସିନେମା ଦେଖିବେ ବୋଲି କଥା ଦେଇଛନ୍ତି । ଏଥି ପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ରାଜ୍ୟପାଳ ମହାମହିମ ରାଜ୍ୟପାଳଙ୍କୁ ଭେଟିଥିଲେ ଓ ପ୍ରିମିୟରରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଚଳଚ୍ଚିତ୍ରର ଟ୍ରେଲର ଦେଖି ମହାମହିମ ରାଜ୍ୟପାଳ ଖୁବ୍ ପ୍ରଶଂସା କରିଛନ୍ତି ଓ ଚଳଚ୍ଚିତ୍ର ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିରୁ ମହାମହିମ ରାଜ୍ୟପାଳଙ୍କର ଓଡ଼ିଶା, ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା ଓ ସିନେମା ପ୍ରତି ଥିବା ଅଗାଧ ଭଲପାଇବା ପ୍ରତୀତ ହୁଏ । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏହା ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ । ଶାନ୍ତି ଆପାର୍ଟମେଣ୍ଟ ଏକ ଭିନ୍ନ ଧରଣର ସିନେମା । ଏଥିରେ ରହସ୍ୟ, ରୋମାଞ୍ଚ ଭରି ରହିଛି ଏବଂ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ । ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ । ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ଅଶ୍ବିନୀ ତ୍ରିପାଠୀ । ସଂଳାପ ଦାୟିତ୍ବରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା । ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଓ ସ୍ବୟମ ପାଢ଼ୀ । ‘ଶାନ୍ତି ଆପାର୍ଟମେଣ୍ଟ’ ର ବିଭିନ୍ନ ଭୂମିକାରେ ଅଛନ୍ତି ଦ୍ବୀପନ୍ବିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ । ଫିଲ୍ମଟି ଫେବୃଆରୀ ୨ରେ ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ରିପୋର୍ଟ ଅମୃତ କୁମାର ନନ୍ଦ