
ବ୍ରହ୍ମପୁର : କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି ? । ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ । ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ । ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ । ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି ।
କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଥିଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ବବିଦ୍ୟାଳୟର ସଫଳତା ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଦେଶରେ ଏବେ ମହିଳା ସଶକ୍ତିକରଣର ଧାରା ପ୍ରବାହିତ ହେଉଛି । ମହିଳା ବିକାଶ ନୁହେଁ ବରଂ ମହିଳାଙ୍କ ନେତୃତ୍ୱରେ ବିକାଶ ପରିଲକ୍ଷିତ ହେଉଛି । ଦକ୍ଷିଣ ଓଡ଼ିଶା ପାରିବାରିକ କ୍ଷେତ୍ରରେ ମଧ୍ୟ ନାରୀ ନେତୃତ୍ୱ ତଥା ନାରୀଙ୍କୁ ସମ୍ମାନର ନଜିର ଦେଇ ଆସିଛି । ସାରା ଜୀବନ ଆମେ ଅଧ୍ୟୟନରତ ରହି ଜ୍ଞାନ ଅର୍ଜନ ସହ ଜୀବନସାରା ସମାଜ କଲ୍ୟାଣରେ ତାହାର ଉପଯୋଗ କରିବାର ଆବଶ୍ୟକତା ରହିଛି । କୁଳାଧିପତି ଶ୍ରୀ ଦାସ କହିଥିଲେ ଯେ ଜୀବନ ନିରନ୍ତର ଶିକ୍ଷାର ପ୍ରକ୍ରିୟା ଅଟେ । ଗବେଷଣା ପାଇଁ ଆମେ ସର୍ବଦା ଆଗ୍ରହୀ ରହିବାକୁ ହେବ । ଏବେ ବିଶ୍ବର ଯେଉଁ ସ୍ଥାନକୁ ଗଲେ ବି ଭାରତୀୟ କମ୍ପ୍ୟୁଟର ପ୍ରଫେସନାଲ୍ ସେଠି ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାର ଦେଖିବାକୁ ମିଳୁଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଉଚ୍ଚଶିକ୍ଷାର ବିକାଶର ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟରେ ବିଶ୍ବବିଦ୍ୟାଳୟ ଏବେ ୪ରୁ ୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୩ ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ନୂଆ-ଓ ଛାତ୍ରବୃତ୍ତି ପାଇଛନ୍ତି । ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥାଭାବ ନାଁ କୌଣସି ଅନୁଷ୍ଠାନ ନାଁ କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ହୋଇରହିନି ବୋଲି କହିଥିଲେ ସେ । ସମାବର୍ତ୍ତନ ଉତ୍ସବରେ ଜଣକୁ ଡି.ଏସସି, ୩ ଜଣଙ୍କୁ ଡି.ଲିଟ୍, ୪୩ ଜଣଙ୍କୁ ପିଏଚଡି ଉପାଧି ଓ ୩୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।
