ଆସନ୍ତା ନିର୍ବାଚନରେ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ କଂଗ୍ରେସ, ସେଥିପାଇଁ ଭୟଭୀତ ବିଜେପି ଓ ବିଜେଡି
କଂଗ୍ରେସ କ୍ଷମତାକୁ ଆସିଲେ ନ୍ୟାୟ ପାଇବେ ଚିଟ୍ଫଣ୍ଡ୍ ଜମାକାରୀ
ଭୁବନେଶ୍ୱର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ୧୦ବର୍ଷ ଓ ଓଡ଼ିଶାରେ ତାଙ୍କ ବନ୍ଧୁ ନବୀନ ପଟ୍ଟନାୟକଙ୍କ ସରକାରକୁ ୨୪ବର୍ଷ ହୋଇଗଲା । ଅଥଚ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ମଧ୍ୟବିତ ପରିବାର, ଯେଉଁମାନେ ଚିଟ୍ଫଣ୍ଡ ଦୁର୍ନୀତିର ଶିକାର ହୋଇ ନିଜ କଷ୍ଟ ଉପାର୍ଜିତ ସଂଚିତ ଅର୍ଥ ହରାଇଛନ୍ତି, ସେମାନେ ନ୍ୟାୟ ପାଇପାରିଲେ ନାହିଁ । ଅଦ୍ୟାବଧି ନିଜ ସଂଚିତ ଅର୍ଥ ଫେରିପାଇବା ଆଶାରେ ଏହି ଗରିବ ଲୋକମାନେ ଦିନ ଗଣୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ପରିବାରଙ୍କୁ କ’ଣ ଜବାବ ଦେବେ ? କିପରି ସେମାନଙ୍କ ଆଖିରେ ଆଖି ମିଶାଇବେ ? ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପୱନ ଖେରା ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ଖେରା କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ କାର୍ଯ୍ୟରେ ଯେତେସବୁ ଟେଣ୍ଡର ହେଉଛି, ସବୁ ଓଡ଼ିଶା ବାହାରର ଲୋକଙ୍କୁ କାହିଁକି ଦିଆଯାଉଛି । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ଓ ବଡ଼ ବଡ଼ ଠିକାଦାର ଥିଲେ ମଧ୍ୟ ସେମାନେ ହାତବାନ୍ଧି ବସିଛନ୍ତି । ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦକୁ ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଉଛି । ଓଡ଼ିଶାରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବାବେଳେ ଏହାର ତଦନ୍ତକୁ ଜାଣିଶୁଣି ଫାଇଲ୍ ତଳେ ଚାପି ଦିଆଯାଇଛି । ମନମୋହନ ସରକାରଙ୍କ ସମୟରେ ଓଡ଼ିଶାର ଖଣି ଦୁର୍ନୀତିର ତଦନ୍ତ ଶାହା କମିଶନଙ୍କ ଦ୍ୱାରା କରାଯାଇଥିଲା । ମାତ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସହ ମିଶି ଏହି ତଦନ୍ତକୁ ଚାପି ଦେଇଛନ୍ତି । ଉଭୟ ବିଜେପି ଓ ବିଜେଡି ଅଘୋଷିତ ମେଂଟ କରିଛନ୍ତି ଏବଂ ଓଡ଼ିଶାର ସମ୍ପତି ଓ ରାଜକୋଷକୁ ଲୁଟି ଚାଲିଛନ୍ତି । ଜଣେ ଅଣଓଡ଼ିଆ ତଥା ତାମିଲ ବାବୁଙ୍କୁ କେନ୍ଦ୍ର ସରକାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଭିଆରଏସ୍ ଦେଇଦେଲେ । ସେହି ବ୍ୟକ୍ତି ଏବେ ଓଡ଼ିଶାରେ ଏକଛତ୍ରବାଦ ଚଳାଇଥିବାବେଳେ ଓଡ଼ିଶାର ଲୋକମାନେ ଅବହେଳିତ ହେଉଛନ୍ତି । ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଏଥିପାଇଁ କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ସେଥିପାଇଁ ବିଜେପି ଓ ବିଜେଡି ନେତାମାନେ ଭୟଭୀତ ହୋଇପଡ଼ିଛନ୍ତି । ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ଅଦ୍ୟାବଧି ପୂରଣ କରିନାହାନ୍ତି । ଦେଶର ଯୁବପିଢ଼ି, ଚାଷୀ, ମହିଳା ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ବଢ଼ିଚାଲିଛି । ପ୍ରତି ଏକ ଘଣ୍ଟାରେ ଦେଶରେ ୨ଜଣ ଯୁବକ, ୨ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନ୍ୟାୟ ଦେବାରେ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । କିନ୍ତୁ କଂଗ୍ରେସ ଶାସନକୁ ଆସିଲେ ଏସବୁ ଅନ୍ୟାୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଓ ଖଣି ଦୁର୍ନୀତି କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ହକ୍ ମିଳିବ ବୋଲି ଶ୍ରୀ ଖେରା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ଓପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ମିଡିଆ ସଂଯୋଜିକା ବବିତା ଶର୍ମା ଉପସ୍ଥିତ ଥିଲେ ।