
ସମ୍ବଲପୁର : ( ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ଠାରୁ) ହରିଆଣା ର ଲଡ଼ୱା, କୁରୁକ୍ଷେତ୍ରରେ ଫଳ ଚାଷ ଜନିତ ୨ ଦିନିଆ ଜାତୀୟ କର୍ମଶାଳା ଓ ତାଲିମ୍ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି I ଉନ୍ନତ ପ୍ରଣାଳୀରେ ଫଳ ଚାଷ ଉପରେ କାର୍ଯ୍ୟ କରୁଥିବା ସମ୍ବଲପୁରର ଅଭିନବ କୃଷି ଅନୁଷ୍ଠାନ ଦ୍ୱାରା ଫଳ ଗବେଷଣା କେନ୍ଦ୍ର ଲଡୱା, କୁରୁକ୍ଷେତ୍ର ସହାଭାଗୀତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା I ଏହି ଜାତୀୟ କର୍ମଶାଳାରେ ପଶ୍ଚିମ ଓଡିଶାର ୫ ଜଣ ଅଗ୍ରଣୀ ଚାଷୀ ସମ୍ବଲପୁରର ଅଭିଳାଷ ପ୍ରଧାନ, ଜଟା ଭୂଷଣ ସାହୁ ବରଗଡର ଚାଷୀ ଜଟାଧାରୀ ପ୍ରଧାନ ଏବଂ ଅଭିଷେକ ଖମାରୀ, ଝାରସୁଗୁଡାର ଚାଷୀ ସୁନୀଲ ପ୍ରଧାନ ଯୋଗଦାନ କରିଥିଲେ I କର୍ମଶାଳାର ଉଦଘାଟନୀ ଦିବସରେ ଉନ୍ନତ ଫଳ ଚାଷ ଏବଂ ବିଭିନ୍ନ ପ୍ରକାରର ଫସଲ ର ଆଧୁନିକ କୃଷି ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେଇ ଇଣ୍ଡୋ-ଇସ୍ରାଏଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ର ଡକ୍ଟର ଶିବନ୍ଧୁ ପ୍ରତାପ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ ବୈଜ୍ଞାନିକ ମାନେ କେନ୍ଦ୍ରର ମିଶନ ଏବଂ ଉଦ୍ଦେଶ୍ୟ ବିଷୟରେ ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରିଥିଲେ I ଆଜି ଉଦଯାପନୀ ଦିବସରେ ଚାଷୀ ମାନେ ହରିଆଣାର ସଫଳ ଚାଷୀ ଶ୍ରୀ ଧରମବୀର କାମ୍ବୋଜ ଜୀଙ୍କ ଧମଳା ରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ I ଉନ୍ନତ ପଦ୍ଧତି ଆମ୍ବ, ଲିଚୁ, ସେଓ, ଡାଳିମ୍ବ ଆଦି ଫଳ ଚାଷ ସମ୍ପର୍କ ରେ ଅନୁଷ୍ଠିତ ଏହି ଜାତୀୟ କର୍ମଶାଳାରେ ଭାରତର ବିଭିନ୍ନ ପ୍ରଦେଶରୁ ଚାଷୀମାନେ ଯୋଗଦାନ କରିଥିଲେ I ଇଣ୍ଡୋ-ଇସ୍ରାଏଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ଜରିଆରେ ଆମ ରାଜ୍ୟ ଓଡିଶାରେ ମଧ୍ୟ ଏଭଳି ଫଳ ଉତ୍କୃଷତା କେନ୍ଦ୍ରର ବିକାଶ ଉପରେ ଆଲୋଚନା ହୋଇଥିଲା I