ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଧିବଦ୍ଧଭାବେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରୀ ଜେନାଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ସଂଗଠିତ ଓ ସୁଦୃଢ଼ କରିବା ସହ ରାଜ୍ୟରେ ଦଳର ଶକ୍ତି ବୃଦ୍ଧି ହେବ ବୋଲି ରାଜ୍ୟ ପ୍ରଭାରୀ ଡ. କୁମାର କହିଛନ୍ତି । ଶ୍ରୀ ଜେନା ଦଳ ପାଇଁ ପୂର୍ବରୁ ଅନେକ କାର୍ଯ୍ୟ କରିଛନ୍ତି ଓ ଅଗାମୀ ଦିନରେ ତାଙ୍କର ଉପସ୍ଥିତ କଂଗ୍ରେସ ପାଇଁ ସଫଳତା ଆଣିଦେବ ବୋଲି ଡ. କୁମାର ପ୍ରକାଶ କରିଥିଲେ । କଂଗ୍ରେସ ଦଳକୁ ପ୍ରତ୍ୟାବର୍ତନ କରି ଶ୍ରୀ ଜେନା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଥିଲେ ଯେ ଓଡ଼ିଶାରେ ବିଜେଡ଼ି ଓ ବିଜେପି ମଧ୍ୟରେ ଖୁଲମ୍ଖୁଲା ଗଠବନ୍ଧନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓଡ଼ିଶା ଆସୁଥିବାବେଳେ ଓଡ଼ିଶାର ଶାସନ ବ୍ୟବସ୍ଥା, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ମୁହଁ ଖୋଲୁ ନାହାନ୍ତି । ଅନ୍ୟାୟ ବିରୋଧରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପ୍ରତି ଲୋକମାନଙ୍କ ସମର୍ଥନ ବଢ଼ୁଛି । ଓଡ଼ିଶାର ଲୋକମାନେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ଗ୍ରହଣ କରିବା ସହ ବିଜେଡ଼ି ଓ ବିଜେପି ମଧ୍ୟରେ ଥିବା ଅପବିତ୍ର ଗଠବନ୍ଧନକୁ ପ୍ରତ୍ୟାଖାନ କରିବେ ଏବଂ ଓଡ଼ିଶାରେ କଂଗ୍ରେସ ସରକାର କରିବ ବୋଲି ଶ୍ରୀ ଜେନା କହିଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇସିସି ମୁଖପାତ୍ର ଭିନିତ୍ ପୁନିଆ ଉପସ୍ଥିତ ଥିଲେ ।