୧.୦୪ କୋଟି ପରିବାର ଉପକୃତ ହେବେ

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ତିନି ମାସ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜୁନ ୧୭-ସେପେଫମ୍ବର ୧୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ରାଜ୍ୟର ୧.୦୪ କୋଟି ପରିବାର ଓ ୪୬.୨୮ ଲକ୍ଷ ଶିଶୁ ଉପକୃତ ହେବେ । ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ କାରଣରୁ କେହି ଜଣେ ହେଲେ ବି ମୃତୁ୍ୟବରଣ ନକରନ୍ତୁ- ଏହି ଉଦ୍ଦେଶ୍ୟ ନେଇ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ (ଏମ୍‌ଡିଡି) ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ ଗୃହରେ ଏହି ଅଭିଯାନ ଉଦ୍‌ଘାଟନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି ଯେ ଉପରୋକ୍ତ ରୋଗଗୁଡ଼ିକର ପ୍ରତିକାର ଓ ନିୟନ୍ତ୍ରଣ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ । ଆଶା, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମିଳିତ ଭାବେ ନିଜ ନିଜ ଗ୍ରାମରେ ଥିବା ପ୍ରତି ଶିକ୍ଷାନୁଷ୍ଠାନରେ ହାତଧୁଆ କୌଶଳ ପ୍ରଦର୍ଶନ କରିବେ ଏବଂ ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ସ୍ତରରେ
ସମୂହ ସଫେଇ, କୀଟନାଶକ ଉପଚାରିତ ମଶାରିର ବ୍ୟବହାର, ସାଦା ମଶାରିକୁ କୀଟନାଶକରେ ବୁଡ଼ାଇ ଉପଚାର ଏବଂ ଗ୍ରାମ ସଭା ମାଧ୍ୟମରେ ସଚେତନତାର ବାର୍ତ୍ତାକୁ ବ୍ୟାପକ କରାଇବେ ବୋଲି ଡା. ମେହେର୍ଦ୍ଦା ଉଲ୍ଲେଖ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଡା. ବ୍ରଜ କେ. ବ୍ରହ୍ମା, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ସୁଶୀଲ କୁମାର କର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସ୍ୱତନ୍ତ୍ର କର୍ମଶାଳା

 ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିମନ୍ତେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ସଚେତନତା ଅଭିଯାନ ମାଧ୍ୟମରେ ପ୍ରତିଘରେ ଓଆର୍‌ଏସ୍‌ ପ୍ୟାକେଟ୍‌ ଓ ଜିଙ୍କ୍‌ ବଣ୍ଟନ, ଡାଇରିଆ ବା ମ୍ୟାଲେରିଆ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସେବା ପ୍ରଦାନ, ଶୌଚାଳୟର ବ୍ୟବହାର, ରନ୍ଧନ ଓ ପରିବେଷଣ ପ୍ରଯନି, ପରିବେଶ ପରିଚ୍ଛନ୍ନତା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସଂପର୍କିତ ପ୍ରସଙ୍ଗଗୁଡ଼ିକୁ ବ୍ୟାପକ କରାଯିବ । ସଫଳତା ନିମନ୍ତେ ପ୍ରଚାରପ୍ରସାର ସାମଗ୍ରୀ ବଣ୍ଟନ, ଜିଲ୍ଲା ଓ ବ୍ଲକ୍‌ ମୁଖ୍ୟ ଚିକିତ୍ସାଳୟରେ ହୋର୍ଡିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ କାନ୍ଥରେ ବାର୍ତ୍ତା ପ୍ରସାରଣ, ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି ଏବଂ ଓଆର୍‌ଏସ୍‌ ତଥା ଜିଙ୍କ୍‌ କର୍ଣ୍ଣର ବ୍ୟବସ୍ଥାକୁ ଅଭିଯାନରେ ସାମିଲ କରାଯିବ । ଜନସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଗ୍ରହଣ କରିଥିବା ଦୃଷ୍ଟିରୁ ଏମ୍‌ଡିଡି ସଚେତନତା ଅଭିଯାନକୁ ସଫଳ କରାଇବା ପାଇଁ ଏହି କର୍ମଶାଳାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ପଟ୍ଟନାୟକ ଅନୁରୋଧ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ପାଢ଼ୀ, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରମିଳା ବରାଳ, ଯୁଗ୍ମ ନିର୍ଦ୍ଦେଶକ ଡା. ପ୍ରତିଭା ପ୍ରଧାନ,
ଡା. ପୁଷ୍ପାଞ୍ଜଳି ମିଶ୍ର ଓ ଡା. ପି.କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Categories
HEALTH

RELATED BY

  • ମହାନିମ୍ବ

    ମହାନିମ୍ବ ଏକ ବିରାଟକାୟ ବୃକ୍ଷ ଅଟେ । ଏହାର ପତ୍ର ନିମ୍ବ ପତ୍ର ପରି କିନ୍ତୁ ନିମ୍ବ ପତ୍ର ଠାରୁ ଅଧିକ ଚଉଡ଼ା ଅଟେ । ଏହି ଗଛ ୨୦-୬୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଗୋଲେଇରେ ୬-୮...
  • ଭୂଇଁ କଦମ୍ବ

    ଭୂଇଁ କଦମ୍ବ ଗଛ ଧାନ କ୍ଷେତ୍ରରେ ଓ ବଣଜଙ୍ଗଲରେ ଦେଖିବାକୁ ମିଳେ । ଏହାର ଉଚ୍ଚତା ୧-୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଛରେ ଶୀତଦିନରେ ଫୁଲ ଓ ପରେ ଫଳ ଆସିଥାଏ । ଫୁଲର ରଙ୍ଗ ବାଇଗେଣି...
  • ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଉପରେ ଗୁରୁତ୍ୱ

    ଭୁବନେଶ୍ୱର:ରାଜ୍ୟରେ ଥିବା କୁଷ୍ଠରୋଗୀ ତଥା କୁଷ୍ଠରୋଗମୁକ୍ତ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଥଇଥାନ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ ବୈଷୟିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ...
  • ବିନା ଅସ୍ତ୍ରୋପଚାରରେ ଓଜନ ହ୍ରାସ ଚିକିତ୍ସା

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ତରଫରୁ ଶନିବାର ଦିନ ଡ. ମୋହିତ ଭଣ୍ଡାରୀଙ୍କ ନେତୃତ୍ୱରେ ବିନା ଅସ୍ତ୍ରୋପଚାର ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ ପ୍ରକ୍ରିୟା କାର୍ଯ୍ୟକ୍ରମ (ଇଏସଜି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଡ଼ଃ ଭଣ୍ଡାରୀ ଯିଏ କି ୧୧୦୦୦ରୁ...
WhatsApp chat