ଭୁବନେଶ୍ୱର : ୨୦୨୩ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବାର ୮ ଜଣ ଶିକ୍ଷାନବିଶ (ଆଇ.ଏ.ଏସ୍. ପ୍ରୋବେସନର) ଆଜି ଅପରାହ୍ଣରେ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସମସ୍ତ ଆଇ.ଏ.ଏସ୍ ପ୍ରୋବେସନର ଓଡ଼ିଶା କ୍ୟାଡରର । ସେମାନେ ହେଲେ ଆସ୍ନି ଏଲ୍., କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେହେରା, ଦୁଧାଲ ଅଭିଷେକ ଦିଲ୍ଲୀପ, ପ୍ରଣୀତା ଦାଶ, ପ୍ରେକ୍ଷା ଅଗ୍ରଓ୍ୱାଲ, ଜିମକୁମ ଆଇ. ଓଜୁକୁମ୍ ଏବଂ ସି. ସରଭାନନ୍ । ଏହି ସମସ୍ତ ଶିକ୍ଷାନବିଶମାନେ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧିନରେ ପାଖାପାଖି ୧ ବର୍ଷ ପ୍ରଶିକ୍ଷଣ ନେବେ । ଗୋପବନ୍ଧୁ ଏକାଡେମୀ ଏବଂ ପରେ ପରେ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ସାରି ପରବର୍ତ୍ତୀ ସମୟରେ ସେମାନେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହେବେ । ଓଡ଼ିଶାରେ ପ୍ରଶିକ୍ଷଣ ସମୟରେ ସେମାନେ ରାଜସ୍ୱ ଆଇନ ସଂପର୍କିତ ପ୍ରଶିକ୍ଷଣ, କ୍ଷେତ୍ର ପରିଦର୍ଶନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ଏଥି ସହିତ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ସମୟରେ ସେମାନେ ଅବସ୍ଥାପିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାରେ ନିର୍ବାଚନ ପରିଚାଳନା ଓ ମତଗଣନା ସଂକ୍ରାନ୍ତୀୟ କାର୍ଯ୍ୟ ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତ ପ୍ରୋବେସନରମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣର ସଫଳତା ତଥା ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ପରିଦର୍ଶନ ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହାନିର୍ଦ୍ଦେଶକ ଶ୍ରୀ ମନିଷ ଅଗ୍ରଓ୍ୱାଲ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଏହି ଆଇଏଏସ୍ ପ୍ରୋବେସନରମାନେ ଏହା ପୂର୍ବରୁ ଆଜି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଯୋଗଦାନ କରିବା ପରେ ପ୍ରଥମେ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶ୍ରୀମତୀ ଗର୍ଗ ମଧ୍ୟ ସେମାନଙ୍କର ସର୍ବ ସଫଳତା କାମନା କରିଛନ୍ତି ।