ମୁଁ ସାଧାରଣ ଗରିବ ଆଦିବାସୀ ଘରର ପୁଅ, ଲୋକଙ୍କ ମୁଖ୍ୟମନ୍ତ୍ରୀ, କାମ କରି ଦେଖାଇବି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଆଜି ଅପରାହ୍ନରେ ବଳଦେବଜୀଉ ମନ୍ଦିରରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପ୍ରାୟ ସାଢେ଼ ତିନି କିଲୋ ମିଟର ରାସ୍ତାରେ ସେ ଏକ ରୋଡ ସୋ ରେ ଯାଇଥିଲେ । ଉତ୍ସାହିତ ଜନତା ରାସ୍ତାର ଦୁଇ ପାର୍ଶ୍ଵରେ ପୁଷ୍ପ ବୃଷ୍ଟି କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଏକ ସାଧାରଣ ଗରିବ ଆଦିବାସୀ ଘରର ପୁଅ । ଲୋକଙ୍କ ମୁଖ୍ୟମନ୍ତ୍ରୀ, ନିଶ୍ଚୟ କାମ କରି ଦେଖାଇବି । ସେ କହିଥିଲେ ଯେ ଶପଥ ନେବାର ମାତ୍ର ଦୁଇ ଘଣ୍ଟା ଭିତରେ ଆମେ କ୍ୟାବିନେଟ୍ ବସାଇ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ନେଲୁ । ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଗଲା । ମନ୍ଦିରର ଉନ୍ନତି ପାଇଁ ଏକ କର୍ପସ୍ ପାଣ୍ଠି କରି ୫୦୦ କୋଟି ଟଙ୍କା ଦିଆଗଲା । ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ୫୦ ହଜାର ଟଙ୍କାର ଭାଉଚର୍ ଦେବା ପାଇଁ ନିଷ୍ପତ୍ତି ହେଲା । ମୋଦୀ ସରକାର ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା କରିବା ପରେ ଆମେ ଆଉ ୮୦୦ ଟଙ୍କା ଦେଇ ଚାଷୀଙ୍କୁ ୩୧୦୦ ଟଙ୍କା ଦେବୁ ବୋଲି ସେ କହିଥିଲେ । କେନ୍ଦୁଝର ଜିଲ୍ଲା ବାସୀଙ୍କ ପ୍ରଶଂସା କରି ସେ କହିଲେ ଯେ କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି । ଏ ମାଟି ଲଢେଇ କରି ଜାଣେ । ଏ ମାଟିର ପୁଅ ଡରିବା କଣ ଜାଣେ ନାହିଁ । ସେ କହିଲେ ଯେ କେନ୍ଦୁଝରର ଖଣିକୁ ଲୁଟ କରା ଯାଇଛି । ଖଣି ଲୁଟେରା ମାନେ ଜେଲ୍ ଯିବେ । ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ ବୋଲି ସେ କହିଥିଲେ । ସେ କହିଥିଲେ ଯେ କେନ୍ଦୁଝର ହେବ ସୁନାର କେନ୍ଦୁଝର । କେନ୍ଦୁଝରର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କା ଅଛି । ସମସ୍ତେ ମିଶି କେନ୍ଦୁଝରକୁ ଏକ ନମ୍ବର କରିବା ।ବିକଶିତ ଭାରତରେ ନୂଆ ଓଡ଼ିଶାର ସ୍ଥାନ ବହୁ ଉପରେ ରହିବ ବୋଲି ସେ କହିଥିଲେ । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଓଡ଼ିଶା ଉପରେ ସୁ ନଜର ଅଛି । ପୂର୍ବ ଭାରତର ବିକାଶ ଯୋଜନାରେ ଓଡ଼ିଶାକୁ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯିବ । ବିକଶିତ ଭାରତରେ ଓଡ଼ିଶା ସ୍ଥାନ ବହୁ ଉପରେ ରହିବ ବୋଲି ସେ କହିଥିଲେ । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଆମର ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତି ହେଉଛି ଆମର ଅସ୍ମିତା । ମୁଁ ଭୁବନେଶ୍ବରରେ ରଜ ପାଳନ କଲେ ବି କେନ୍ଦୁଝରର ରଜ ପର୍ବ କଥା ମୋର ମନେ ପଡେ । ସମସ୍ତେ ମିଶି ପରମ୍ପରାକୁ ପାଳନ କଲେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବ ବୋଲି ସେ କହିଥିଲେ । କେନ୍ଦୁଝର ଷ୍ଟାଡିୟମ୍ ରେ ପ୍ରାୟ ୨୦୦ ରୁ ଅଧିକ ସ୍ଥାନୀୟ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।