“ନୀଳଶୈଳ ସାରସ୍ୱତ ସମ୍ମାନ’ରେ ବିଶିଷ୍ଟ କବି ନିରାକାର ଦାସ ସମ୍ମାନିତ

ଭୁବନେଶ୍ୱର : “ଓଡ଼ିଆ ଭାଷା ଓ ସାହିତ୍ୟର ଅସ୍ମିତା ପାଇଁ ଆମର ପୂର୍ବସୂରୀମାନେ ବହୁ ସଂଘର୍ଷ କରିଥିଲେ, ଯେଉଁଥିପାଇଁ ଆଜି ଆମେ ଏକ ସମୃଦ୍ଧିଶାଳୀ ଓଡ଼ିଆ ଭାଷା ପାଇପାରିଛୁ । ଏହାକୁ ଆଗକୁ ନେବାକୁ ଉତ୍ତରପିଢିର ଦାୟିତ୍ୱ ଖୁବ୍ ଗୁରୁତ୍ୱପୂର୍ଣ୍ଣ’ ବୋଲି ନୀଳଶୈଳର ସୁବର୍ଣ୍ଣ ଜୟନ୍ତୀ ଉଦଘାଟନ ସମାରୋହକୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ୨୦ ତାରିଖ ସଂଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟନ କରି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମତବ୍ୟକ୍ତ କରିଛନ୍ତି । ଓଡିଶାର ସାହିତ୍ୟ ଓ ସାଂସ୍କୃତିକ ଜାଗରଣରେ ନୀଳଶୈଳର ଅବଦାନକୁ ଭୂୟସୀ ପ୍ରଶଂସା କରି ଶ୍ରୀମତୀ ପାଢୀ କହିଲେ “ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ମୁଁ ବଦ୍ଧପରିକର ଏବଂ ଏଥି ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରିବି ।’ ମୁଖ୍ୟବକ୍ତା ଭାବରେ ବରିଷ୍ଠ ପ୍ରାବନ୍ଧିକ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ “ଓଡିଶୀ ସଙ୍ଗୀତର ଐତିହାସିକ ପୃଷ୍ଠଭୂମି ଓ ଓଡିଆ ଅସ୍ମିତା ବିଷୟରେ ଆଲୋଚନା କରିଥିଲେ ।’ ବିଶିଷ୍ଟ ବକ୍ତା ଓଡିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ, ମୁଖ୍ୟ ଅତିଥି ପ୍ରଖ୍ୟାତ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଅତିଥି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଓଡିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉପରେ ଗୁରୁତ୍ୱଆରୋପ କରିଥିଲେ । ଏହି ସମାରୋହରେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସ୍ଥିର କରାଗଲା । ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ପ୍ରଶାସକ ସହଦେବ ଜୟସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ‘ସୁଧନ୍ୟା’ ସାପ୍ତାହିକୀର ସମ୍ପାଦକ ଲଳିତ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମଞ୍ଚ ସଂଯୋଜନା କରିଥିଲେ ଯୁବ ଭାଷା ବିଜ୍ଞାନୀ ଅଧ୍ୟାପକ ଡ. ଦେବାଶିଷ ମହାପାତ୍ର ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ରଜନୀକାନ୍ତ ପଣ୍ଡା ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିମାନେ ନୀଳଶୈଳର ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ କରିବା ସହ ସୁଧନ୍ୟା ସାପ୍ତାହିକୀର ବିଶେଷ ସଂଖ୍ୟା ପାଠକାର୍ପଣ କରିଥିଲେ । ପ୍ରଗତିଶୀଳ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ “ନୀଳଶୈଳ ସାରସ୍ୱତ ସମ୍ମାନ’ରେ ବିଶିଷ୍ଟ କବି ଓ ପୂର୍ବ ତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ଏବଂ “ନୀଳଶୈଳ କଳା ସମ୍ମାନ’ରେ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଦୂଷୀ କଣ୍ଠଶିଳ୍ପୀ ଶ୍ରୀମତୀ ସଙ୍ଗୀତା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା କବୀ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକା ଅନୁପମା ମହାପାତ୍ର, କବୀ ମିନତୀ ମିଶ୍ର, କବୀ ତରୁଣବାଳା ମହାପାତ୍ର । ନୀଳଶୈଳ ଅନୁଷ୍ଠାନର ପୂର୍ବତନ ସଂପାଦକ ତଥା କଲିକତା ମିଳିତ ମଞ୍ଚର ଅଧ୍ୟକ୍ଷ ରବି ନାରାୟଣ ମହାପାତ୍ର ଏହି ସମାରୋହର ପରିଚାଳନା କରିଥିଲେ । ଦୁଇଜଣ ବରିଷ୍ଠ ନାଗରିକ ଅମୂଲ୍ୟ କୁମାର ଦାଶ ଏବଂ ଅତୁଲ ବାବୁଙ୍କୁ ସମ୍ମାନିତ କରାଯାଇ ଥିଲା । ଏହି ସମାରୋହରେ ଡ. ଶକୁନ୍ତଳା ବଳିଆର ସିଂହ, ଡ. ମିହିର ସାହୁ, ଡ. ଶୁଭେନ୍ଦୁ ଦାଶ, ଅମରେନ୍ଦ୍ର ମହାପାତ୍ର, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବୀ, ଯୁବ, ଛାତ୍ର ଯୋଗଦେଇଥିଲେ । ପରିଶେଷରେ ଓଡିଶୀ ସଂଗୀତ ପରିବେଷଣ କରିଥିଲେ କଣ୍ଠ ଶିଳ୍ପୀ ବିଦୁଷୀ ସଂଗୀତା ପଣ୍ଡା, କଣ୍ଠଶିଳ୍ପୀ ଡ.ମଞ୍ଜୁଶ୍ରୀ ମିଶ୍ର ଓ ସାଥି ଗଣ ।