ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ : ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

ଭୁବନେଶ୍ୱର : ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିବା ସହ କହିଛନ୍ତି , “ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମ ଅସ୍ମିତାର ନିଦର୍ଶନ । ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ହେଉଛି ସମୟର ଆହ୍ୱାନ ।” ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହି ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ମଂଚ । ଉତ୍କୃଷ୍ଟ ବୟନ କଳାକୁ ବଂଚାଇ ରଖିବା ପାଇଁ ଅଧିକରୁ ଅଧିକ ଗ୍ରାହକ ଆଗେଇ ଆସି ବୁଣାକାରଙ୍କୁ ଉତ୍ସାହିତ କରିବା ଉଚିତ ” l
ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ବୟନକଳାକୁ ପ୍ରଦର୍ଶିତ କରିବା ସହ ବୁଣାକାରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛି ଏହାର ଆୟୋଜକ । ୧୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ମେଳା ୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନପସନ୍ଦର ହାତତିଆରି ବସ୍ତ୍ର କିଣିପାରିବେ । ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ଖାଦ୍ୟ ଓ ପିଲାମାନଙ୍କ ପାଇଁ ଖେଳକୁଦର ବ୍ୟବସ୍ଥା କରାଯାଇଛି । ଚଳିତଥର ମୋଟ୍ ୧୭୦ଟି ଷ୍ଟଲ୍ ଖୋଲାଯାଇଛି ।
ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ଯଥା: ସମ୍ବଲପୁରୀ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, ହାବସପୁରୀ ଆଦି ଉପଲବ୍ଧ ହେବ । ଦର୍ଶକଙ୍କ ପ୍ରମୂଖ ଆକର୍ଷଣ ପାଲଟିବ ଅହିଂସା ରେସମ ବସ୍ତ୍ର । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।
ଗତବର୍ଷ ମେଳାରେ ଟ ୧୧.୬୦ କୋଟିର ହସ୍ତତନ୍ତ ବସ୍ତ୍ରର ବ୍ୟବସାୟ ହୋଇଥିଲା ବେଳେ ଚଳିତବର୍ଷ ୧୫ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ବୟନିକା ଆଶା ରଖିଛି । ଏହି ମେଳାରେ ବହୁ ସଂଖ୍ୟାରେ ଗ୍ରାହକମାନେ ଆସି ହସ୍ତତନ୍ତ ବସ୍ତ୍ର କ୍ରୟ କରିବା ସହ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ ବୟନିକା ପକ୍ଷରୁ ନିବେଦନ କରାଯାଇଛି । ଉଦଘାଟନୀ ସଂଧ୍ୟାରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ, ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।