୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡିଶା

ଭୁବନେଶ୍ୱର : ୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡିଶା। ୨୦୪୭ର ବିକଶିତ ଭାରତ ପାଇଁ ଓଡିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ । ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହି ଭିଜନ୍‌ ଡକୁମେଣ୍ଟ ପାଇଁ ଏକ ୱେବ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ ସୁଚିନ୍ତିତ ମତାମତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି ।

ଏହି ଓ୍ୱେବ୍ ପୋର୍ଟାଲ ହେଉଛି- https://vision.odisha.gov.in/ । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ଓ୍ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ଜନସାଧାରଣ ଏହି ୱେବ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ଚାଟ୍ ବଟ୍ -+91 6370951920 ଏବଂ ଇ-ମେଲ vision@odisha.gov.in ଜରିଆରେ ରାଜ୍ୟ ସରକାରଙ୍କୁ ଆଜି ଠାରୁ ତିନି ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଓଡିଶା ଗଠନ ପାଇଁ ଆମେ ଯେଉଁ ଭିଜନ୍‌ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ, ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ । ବିକଶିତ ଓଡିଶାର ରୂପରେଖ ଓଡିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବ ନାହିଁ, ବରଂ ଏହା ଓଡିଶାର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ । (It will just not be a Government Document, it will be an aspirational document of the people, by the people and for the people of Odisha).

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ନିଜେ, ତାଙ୍କର ସହଯୋଗୀ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରି ଗ୍ରହଣ କରିବେ । ସେ କହିଥିଲେ ଯେ ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ । ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ। ୨୦୩୬ ଓ ୨୦୪୭ ର ଓଡିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ ବୋଲି ସେ କହିଛନ୍ତି ।

ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୪୭ ମସିହାରେ ଭାରତ ବର୍ଷ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ । ତେଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସଙ୍ଗେ ସଙ୍ଗେ ୨୦୪୭ ମସିହାରେ ବିକଶିତ ଭାରତ ଗଠନ ପାଇଁ ଓଡିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ।

ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱରେ ଭାରତ ବର୍ଷ ବିକଶିତ ଭାରତ ହେବା ଲକ୍ଷ୍ୟରେ ଅଗ୍ରସର ହେଉଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ସ୍ୱରୂପ ଦେଶ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ଖୁବ୍‌ ଶୀଘ୍ର, ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ମାନ୍ୟତା ହାସଲ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ, ବିଶ୍ୱଗୁରୁ ହେବାର ରାସ୍ତାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ସେ କହିଥିଲେ ।

ସେ କହିଥିଲେ ଯେ, ୨୦୩୬ ସୁଦ୍ଧା ଓଡିଶା ଏକ ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି । ଏହା ସହିତ ୨୦୪୭ ସୁଦ୍ଧା ଆମେ ୧.୫ ଟ୍ରିଲିଅନ୍ ଅର୍ଥନୀତି ହେବାର ଲକ୍ଷ୍ୟ ମଧ୍ୟ ରଖିଛୁ ।

ପ୍ରଧାନମନ୍ତ୍ରୀଙ୍କର ହୃଦୟରେ ଓଡିଶା ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀ ଅନେକ ଥର କହିଛନ୍ତି ଯେ, ବିକଶିତ ଭାରତରେ ଓଡିଶା ଏକ Growth Engine ହେବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ ଏବଂ ଓଡିଶା ସବୁ କ୍ଷେତ୍ରରେ ଅଗ୍ରଗତି କରି ଦେଶର ଏକ ପ୍ରମୁଖ ରାଜ୍ୟ ହେବ, ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଖୁବ୍‌ ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିଛି । ସାଧାରଣ ଲୋକଙ୍କୁ ଭେଟି, ସେମାନଙ୍କ ସୁଖ ଦୁଃଖ ଶୁଣିବା, ସମାଧାନର ଭରସା ଦେବା, ଆମ ସରକାରଙ୍କ ଆଭିମୁଖ୍ୟର ମୂଳମନ୍ତ୍ର। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମର ଶାସନ ଓ ପ୍ରଶାସନରେ ଏହି ଗଣତାନ୍ତ୍ରିକ ପରମ୍ପରାକୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲୁଥିବା ଆମ ସରକାର ଲୋକଙ୍କ ସରକାର ଭାବରେ ପରିଚୟ ହାସଲ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତର ରୂପରେଖକୁ ଆମେ ପ୍ରତିଦିନ ଅନୁଭବ କରୁଛୁ । ସେ କହିଥିଲେ ଯେ, ଲୋକଙ୍କ ସରକାର ସମୃଦ୍ଧ ଓଡିଶା ଗଠନ ପାଇଁ ଲୋକଙ୍କୁ ଅଂଶୀଦାର କରି ଆଗକୁ ବଢିବ । ତେଣୁ ସମୃଦ୍ଧ ଓଡିଶା ଗଠନ ପାଇଁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ ହେବ ସେଥିରେ ସବୁ ବର୍ଗର ଲୋକଙ୍କ ମତାମତ ପ୍ରତିଫଳିତ ହେବ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ନୀତି ଆୟୋଗର ସହଯୋଗରେ ଓଡିଶା ସରକାର ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ମତାମତକୁ ଅନୁଶୀଳନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ଉତ୍କୃଷ୍ଟ ମତାମତ ଆଧାରରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।