ବିପର୍ଯ୍ୟୟ ପ୍ରଶମନ ପାଇଁ ବିଜ୍ଞାନ: ଡଃ ପି.କେ.ମିଶ୍ର

ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ପ୍ରମୁଖ ସଚିବ

ପାରସ୍ପରିକ ଭାବେ ସଂଯୁକ୍ତ ଆଧୁନିକ ବିଶ୍ୱ ପାଇଁ ବିପର୍ଯ୍ୟୟ ଓ ଜରୁରିକାଳୀନ ବିପଦ ଅଧିକ ଜଟିଳ ଏବଂ ଅସାଧ୍ୟ ହୋଇ ଉଠୁଛି ।

ଏଣୁ ବିପର୍ଯ୍ୟୟ ଏବଂ ଜରୁରିକାଳୀନ ପରିସ୍ଥିତି ଜନିତ ବିପଦକୁ ବୁଝିବା, ହ୍ରାସ କରିବା ତଥା ଏହାର ପରିଚାଳନା ପାଇଁ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ସାମର୍ଥ୍ୟର ପ୍ରୟୋଗ ବୃଦ୍ଧି କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ ବୈଜ୍ଞାନିକ ସମୁଦାୟ ପାଖରେ ପହଁଚିବା ସହ ଦେଶରେ ବିପର୍ଯ୍ୟୟ ବିପତି ପରିଚାଳନା ଲାଗି ଏକ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ପ୍ରଶଂସନୀୟ ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୋଗୁ ଗତ ୨୦ ବର୍ଷ ମଧ୍ୟରେ ବିପର୍ଯ୍ୟୟଜନିତ ବିପତିର ସୃଷ୍ଟି ଓ ଏହାର ପରିଚାଳନା ସମ୍ପର୍କରେ ଏକ ବ୍ୟାପକ ଧାରଣା ସୃଷ୍ଟି ହୋଇପାରିଛି ।

ଅତି ବିଷମ ଜଳବାୟୁ ଓ ପାଣିପାଗର ପୂର୍ବାନୁମାନ, ଭୂମିକମ୍ପ ଏବଂ ଭୂସ୍ଖଳନ ବାବଦରେ ଉନ୍ନତ ବୁଝାମଣା ଏବଂ ବିପତି ମୁକାବିଲା କରିବା ନେଇ ଆମର ସାମର୍ଥ୍ୟ ବୃଦ୍ଧି ଆଦି ବିଷୟରୁ ଏହି କଥା ସ୍ପଷ୍ଟ ହୋଇଥାଏ ।

ବିପର୍ଯ୍ୟୟର ପ୍ରକାର ଭେଦ, ଜନସାଧାରଣଙ୍କ ବିଷୟରେ ତଥ୍ୟ, ଅର୍ଥନୈତିକ କାର୍ଯ୍ୟଧାରା, ସମ୍ପଦ ଓ ବ୍ୟବସ୍ଥା ସମ୍ବନ୍ଧୀୟ ଦୁର୍ବଳତା ତଥା ସମ୍ବେଦନଶୀଳତା ଉପରେ ଅଧିକ ତଥ୍ୟ ମିଳିବା ଦ୍ୱାରା ଏବେ କେବଳ ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ପ୍ରଦାନ କରିବା ସମ୍ଭବ ହେଉନାହିଁ ବରଂ ବିପର୍ଯ୍ୟୟ ଆସିବା ପୂର୍ବରୁ ସଠିକ୍ ଭାବେ ଏହାର ପ୍ରଭାବ ସମ୍ପର୍କରେ ପୂର୍ବାନୁମାନ କରାଯାଇ ପାରୁଛି ।

ଏସବୁ ସମ୍ଭାବନାମୟ ବିକାଶ ବ୍ୟବସ୍ଥିତ ସ୍ତରରେ ନାହିଁ, ମୁଁ ଦୁଇଟି ପ୍ରମୁଖ ଆହ୍ୱାନ ସମ୍ବନ୍ଧରେ ଗୁରୁତ୍ୱାରୋପ କରିବାକୁ ଚାହିଁବି: ପ୍ରଥମତଃ ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ସାମର୍ଥ୍ୟର ଉପଲବ୍ଧତା ଏବଂ କ୍ଷେତ୍ର ଉପରେ ଏହାର ବ୍ୟବହାର ମଧ୍ୟରେ ଥିବା ସମୟ ବ୍ୟବଧାନ ।

ଉଦାହରଣ ସ୍ୱରୂପ ଏକ ଦଶନ୍ଧିରୁ ଉର୍ଦ୍ଧ୍ଵ ଧରି ମୋବାଇଲ କମ୍ପ୍ୟୁଟିଂ ପ୍ରଚଳିତ, ମାତ୍ର ଦ୍ରୁତ, ସଠିକ ଏବଂ ଭୂ-ସନ୍ଦର୍ଭିତ ଆକଳନ ପାଇଁ ଖୁବ କମ କ୍ଷେତ୍ରରେ ବିପର୍ଯ୍ୟୟ ଆକଳନକାରୀ ପ୍ରଯୁକ୍ତି ବିଦ୍ୟାର ସମ୍ପୂର୍ଣ୍ଣ ଉପଯୋଗ କରାଯାଏ ।

ସେହିପରି ଆମର ପ୍ରତିରକ୍ଷା ପ୍ରତିଷ୍ଠାନରୁ ବିକଶିତ ହେଉଥିବା ଉତ୍ପାଦ ଏବଂ ପ୍ରଯୁକ୍ତି ଜ୍ଞାନ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତା, ମାତ୍ର ବ୍ୟବହାରକାରୀ ଏହାର ଉପଯୋଗକୁ ସଠିକ ଭାବେ କରିନଥା’ନ୍ତି ।

ଦ୍ୱିତୀୟ ଆହ୍ୱାନଟି ବୈଜ୍ଞାନିକ ବିକାଶ କ୍ଷେତ୍ରରେ ରହିଛି ।

ଆମେ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆମର ଗବେଷଣା ଏପରି ବ୍ୟବସ୍ଥା ଓ ଉପାଦାନ ବିକଶିତ କରିବା ପ୍ରତି କେନ୍ଦ୍ରୀଭୂତ ହେବା ଆବଶ୍ୟକ ଯାହା ବାସ୍ତବ-ବିଶ୍ୱର ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ସକ୍ଷମ ହେବା ସହିତ ବିପର୍ଯ୍ୟୟ ପରିଚାଳନା ଅପେକ୍ଷା ବିପର୍ଯ୍ୟୟ ବିପତି ଏଡ଼ାଇବାରେ ସହାୟକ ହେଉଥିବ ।

ଅନୁରୂପ ଭାବେ ନବୋନ୍ମେଷ ତଥା ବିଭିନ୍ନ ନୂତନ ପ୍ରୟୋଗାତ୍ମକ ଦିଗକୁ ବୁଝିବା ଲାଗି ଅଭିନବ ଅନ୍ୱେଷଣ ପାଇଁ ସୁଯୋଗ ରହିବା ଆବଶ୍ୟକ ।

ଭାରତରେ ଆମେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ଜରୁରିକାଳୀନ ଆଭିମୁଖ୍ୟ ସହ ବିପର୍ଯ୍ୟୟଜନିତ ବିପତି ପରିଚାଳନା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରୁଛୁ ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ପେସାଦାରଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ଜାତୀୟ ବିଜ୍ଞାନ ବ୍ୟବସ୍ଥା ବର୍ଷ ବର୍ଷ ଧରି ନିୟମିତ ଭାବେ ବିକଶିତ ହୋଇଛି ।

ଉଦାହରଣ ସ୍ୱରୂପ କିଛି ବର୍ଷ ତଳେ ଆମେ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଅନେକ ବିଜ୍ଞାନ ବିଷୟକୁ ସାମିଲ କରିଛୁ ।

ସେହିପରି ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ ଆମେ ମହାକାଶ-ଆଧାରିତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ନିୟମିତ ଭାବେ କରିଛୁ ।

ବିପର୍ଯ୍ୟୟ ପ୍ରଶମନଜନିତ ଆହ୍ୱାନର ମୁକାବିଲା ପାଇଁ ଆମକୁ ପରବର୍ତୀ ପିଢ଼ିର ବିଜ୍ଞାନଭିତିକ ପଦକ୍ଷେପ ଉପରେ ଦୃଷ୍ଟି ପକେଇବାକୁ ପଡିବ ।

ଏସବୁ ପଦକ୍ଷେପ ନିମ୍ନଲିଖିତ ୩ଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ: ୧. ପ୍ରଗତି ଦିଗରେ ବାଟ କଢ଼େଇ ନେଉଥିବା ବୈଜ୍ଞାନିକ ପ୍ରୟାସକୁ ପ୍ରୋତ୍ସାହିତ କରିବା ଲାଗି ବିପର୍ଯ୍ୟୟ ବିପତି ପ୍ରଶମନ ସମସ୍ୟାର ଏକ ବିସ୍ତୃତ ପରିଭାଷା ନିର୍ଦ୍ଧାରଣ କରିବା । ଦେଶରେ ବିପର୍ଯ୍ୟୟ ବିପଦ ପରିଚାଳନା ପଦ୍ଧତି ପରିପକ୍ୱ ହୋଇଛି ଏବଂ ସମ୍ପ୍ରତି ବୈଜ୍ଞାନିକ ସମୁଦାୟ ଠାରୁ ଆବଶ୍ୟକତା ଅନୁରୂପ ଉପାୟ ମିଳିପାରୁଛି ।

୨. ଆଞ୍ଚଳିକ ସ୍ତରରେ ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ ବିଜ୍ଞାନର ଉପଯୋଗକୁ ପ୍ରୋତ୍ସାହିତ କରିବା ସମୟରେ ଆମେ ଆକଳନଯୋଗ୍ୟ, ସୁଲଭ ଏବଂ ସ୍ଥାୟୀ ସମାଧାନର ଅନ୍ୱେଷଣ କରିବା ଆବଶ୍ୟକ । ଦେଶ ତଥା ବିଶ୍ୱର ବିଭିନ୍ନ ଭାଗରେ ବିପର୍ଯ୍ୟୟଜନିତ ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆମ ଅଭିଳାଷର ରୂପରେଖ ସମସ୍ୟାର ଆକାର ଅନୁରୂପ ହେବା ଆବଶ୍ୟକ ।

୩. ବହୁମୁଖୀ ଦୃଷ୍ଟିକୋଣ: ବିପର୍ଯ୍ୟୟଜନିତ ବିପଦର ପରିଚାଳନା ପାଇଁ ବହୁମୁଖୀ ଦୃଷ୍ଟିକୋଣର ଧାରଣା ନୂଆ ନୂହେଁ । ତେବେ ବିଭିନ୍ନ ବିପଦ ସମ୍ବନ୍ଧରେ ଗବେଷଣା କ୍ଷେତ୍ରରେ ଏହା ମୁଖ୍ୟତଃ ସୀମାବଦ୍ଧ । ଉଦାହରଣ ସ୍ୱରୂପ, ଭୂସ୍ଖଳନ ବିଶେଷଜ୍ଞ, ବନ୍ୟା ବିଶେଷଜ୍ଞ ଏବଂ ପାଣିପାଗ ବିଶେଷଜ୍ଞଙ୍କ ସହ ଭୂମିକମ୍ପ ବୈଜ୍ଞାନିକଙ୍କ ବାର୍ତାଳାପ ଏଥିରେ ସାମିଲ ହୋଇଥାଇପାରେ । ଆମକୁ ବହୁମୁଖୀ କାର୍ଯ୍ୟକ୍ରମର ପରିସରକୁ ବୃଦ୍ଧି କରିବାକୁ ପଡିବ । ଆମକୁ ଘୋର ବିପତି, ବର୍ତମାନ ଓ ଭବିଷ୍ୟତର ଦିଗ (ଜନସଂଖ୍ୟା,ସମ୍ପତି ଓ ଅର୍ଥନୈତିକ କାର୍ଯ୍ୟଧାରା) ଏବଂ ଅସୁରକ୍ଷା ମଧ୍ୟରେ ପାରସ୍ପରିକ ସମ୍ପର୍କ ବିଷୟରେ ଅଧ୍ୟୟନ କରିବାକୁ ପଡିବ ।

ଏନେଇ ବହୁମୁଖୀ ପଦକ୍ଷେପର ଆବଶ୍ୟକତା ରହିଛି ଯାହା ଆମକୁ ଆମ ସୁବିଧା କ୍ଷେତ୍ରରୁ ବାହାରକୁ ନେଇଯିବ ।

ଏହା ସତ୍ୱେ ଆମକୁ କେତେକ ବିପଦ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଗତ କିଛି ବର୍ଷ ମଧ୍ୟରେ ବିପର୍ଯ୍ୟୟ ଜନିତ ବିପତି ପରିଚାଳନା ପାଇଁ ବିଗ ଡାଟା, ମେସିନ ଲର୍ଣ୍ଣିଂ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସର ପ୍ରୟୋଗ ନେଇ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି, ତେବେ ଆମକୁ ଏହା ହୃଦବୋଧ କରିବାକୁ ହେବ ଯେ ଆମ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ସାମାଜିକ ଏବଂ ଅର୍ଥନୈତିକ ପଦ୍ଧତିକୁ ଗଭୀର ଭାବେ ବୁଝିବା ଲାଗି ଏସବୁ ପ୍ରଯୁକ୍ତି ବିଦ୍ୟା ବିକଳ୍ପ ନୁହନ୍ତି ।

ଏଗୁଡ଼ିକ ମଧ୍ୟ ଏକ ଉତରଦାୟୀ ସରକାର ଓ ବିପଦ ପ୍ରତି ସଚେତନ ଥିବା ଏକ ସମାଜର ବିପତି ସୁପରିଚାଳନା ପ୍ରଶାସନ ନୀତିର ମୌଳିକ ଆଦର୍ଶ ପାଇଁ ବିକଳ୍ପ ନୁହନ୍ତି ।

ଆଜି ଠାରୁ କିଛି ସପ୍ତାହ ମଧ୍ୟରେ ଇଂଲଣ୍ଡ ଏବଂ ଅନ୍ୟ ସହଭାଗୀମାନଙ୍କ ସହିତ ମିଶି ଭାରତ ବିପର୍ଯ୍ୟୟ ନିରୋଧୀ ଭିତିଭୂମି ପାଇଁ ଏକ ମେଣ୍ଟ ଗଠନ କରିବାକୁ ଯାଉଛି ଯାହା ଆମର ଏହି ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

(ଡଃ ପିକେ ମିଶ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ପ୍ରମୁଖ ସଚିବ ଏବଂ ବିପର୍ଯ୍ୟୟ ପ୍ରଶମନ ପାଇଁ ଜାତିସଙ୍ଘ ସାସାକାୱା ପୁରସ୍କାର ୨୦୧୯ର ବିଜେତା । ଏହି ସ୍ତମ୍ଭଟି ନୂଆଦିଲ୍ଲୀଠାରେ ଅଗଷ୍ଟ ୨୯, ୨୦୧୯ରେ “ବିପର୍ଯ୍ୟୟ ଓ ବିପଦ ପରିଚାଳନା ପାଇଁ ବିଜ୍ଞାନ” ଶୀର୍ଷକକୁ ନେଇ ଭାରତ-ଇଂଲଣ୍ଡ କର୍ମଶାଳାରେ ସେ ପ୍ରଦାନ କରିଥିବା ବକ୍ତବ୍ୟ ଉପରେ ଆଧାରିତ)

Categories
KNOWLEDGE
Newsroll

RELATED BY

  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...
  • ନୂତନ କ୍ୟାବିନେଟ ସଚିବ ରାଜୀବ ଗୌବା

    ନୂତନ କ୍ୟାବିନେଟ ସଚିବ ଭାବେ ଆଜି ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର...
  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...
  • ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

    ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ....