ଡ଼ିସେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ,୨୯ଟି ଦେଶରୁ ଭାଗନେବେ ପ୍ରାୟ ୩୦୦ କ୍ରୀଡ଼ାବିତ୍

ଭୁବନେଶ୍ୱର : ଓଡ଼ିଶା ମାଷ୍ଟରସ୍ (Odisha Masters BWF Tour Super 100) ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ କଟକ ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ । ଟୁର୍ଣ୍ଣାମେଣ୍ଟରେ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍ ଭାଗନେବେ ।

ତୃତୀୟ ଥର ପାଇଁ କଟକଠାରେ ଆୟୋଜିତ ହେଉଥିବା ଓଡ଼ିଶା ମାଷ୍ଟରସ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆସନ୍ତା ଡ଼ିସେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟାଡିୟମରେ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ସେ କହିଥିଲେ ଯେ , ଆସନ୍ତା ଡ଼ିସେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମାଷ୍ଟରସ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ କଟକ ଜବାହାରଲାଲ ନେହେରୁ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟରେ ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡ଼େନମାର୍କ, ବଲଗେରିଆ ଆଦି ଦେଶ ତଥା ସମୁଦାୟ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭାଗ ନେବେ। ଟୁର୍ଣ୍ଣାମେଣ୍ଟରେ ସିଂଗଲସ୍‌ (Singles),ଡ଼ବଲସ୍‌ (doubles) ଆଦି ବିଭାଗରେ କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିବେ । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ଆନୁଷ୍ଠାନିକ ପ୍ରସ୍ତୁତି ହୋଇସାରିଛି । ସମସ୍ତ ପ୍ରତିଯୋଗୀମାନେ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି । ସମସ୍ତ ଦର୍ଶକମାନେ ଷ୍ଟାଡିୟମ୍ କୁ ଆସି ମ୍ୟାଚ୍ ଉପଭୋଗ କରିବା ସହ ପ୍ରତିଯୋଗୀମାନଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରନ୍ତୁ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ର ମିଳିତ ସହଭାଗିତାରେ ଅନୁଷ୍ଠିତ ହେଉଛି । ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌ ମ୍ୟାନେଜର ଭେନୁ ଗୋପାଲ ମହାଲିଙ୍ଗମ, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ ଇଣ୍ଡିଆର କମ୍ପିଟେସନ୍‌ ମ୍ୟାନେଜର ରାଜେଶ କମଲ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ ।