ଖଣ୍ଡପଡ଼ା : ଗୋଟିଏ ଉତ୍କୃଷ୍ଟ ଜାତିର ପରିଚୟ ଓ ପରିଚିତିର ଅନ୍ତରାଳରେ ରହିଥାଏ ଅନେକ ଯୋଗଜନ୍ମା ମଣିଷମାନଙ୍କର ଉତ୍ସର୍ଗୀକୃତ ଜୀବନ ଓ ଅସାଧାରଣ ସାଧନା । ଯେଉଁମାନଙ୍କର ଜୀବନ ଓ ଜୀବନୀ ସମାଜ ପାଇଁ ପାଲଟିଯାଏ ପ୍ରେରଣାର ବତୀଘର ଓ ଆଦର୍ଶର ଦିଗବାରେଣୀ । ସେହି ପୂଣ୍ୟଶ୍ଲୋକ, ପ୍ରାତଃ ସ୍ମରଣୀୟ ମହାପୁରୁଷଙ୍କ ପାଇଁ ଇତିହାସର ପୃଷ୍ଠାରେ ଅମର ଅକ୍ଷରରେ ଲେଖା ହୁଏ ଗୋଟିଏ ଜାତିର ଜୟଗାଥା । ମାଟିର ଏହି ମହାପୁରୁଷ ମାନେ ହିଁ ପାଲଟିଯାଆନ୍ତି ଆମ ଅସ୍ମିତାର ଆଧାର ।
ମାଟି ଉପରେ ଛିଡା ହୋଇ ଫୁଙ୍ଗୁଳା ଆଖିରେ ଅନ୍ତରୀକ୍ଷକୁ କଳିବାର କଳା ଶିଖି ଯିଏ ଛାଇ ଆଲୁଅର ଖେଳରୁ ସମୟର ନିର୍ଭୁଲ ନିରୂପଣ କରିପାରନ୍ତି ସିଏ ହିଁ କେବଳ ହୋଇପାରନ୍ତି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ । ବୟସରେ ପୂର୍ବାହ୍ନରେ ଯାହାଙ୍କର ପ୍ରତିଭା ସମଗ୍ର ବିଶ୍ଵ କୁ ବିସ୍ମିତ କରିଥିଲା ବାରମ୍ବାର। ସ୍ଵକୀୟ ଅନୁସନ୍ଧାନ ଓ ସ୍ଵଦେଶୀ ଜ୍ଞାନ କୌଶଳରେ ବାଉଁଶ ନଳୀ ଓ କାଠି ମାଧ୍ୟମରେ ଗ୍ରହ,ନକ୍ଷତ୍ର ମଧ୍ୟରେ ଦୂରତା, ସେମାନଙ୍କର ଚାଳନାର ନିର୍ଭୁଲ ଗଣନା କରି ସେ ପାଲଟିଗଲେ ପ୍ରଥମ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ଯାହାଙ୍କୁ ନେଇ ପରବର୍ତ୍ତୀ ସମୟରେ ଭାରତ ସମଗ୍ର ବିଶ୍ଵରେ ହେଲା ପରିଚିତ ।
ବିଦ୍ୟାନଗରୀ ଭାବରେ ପରିଚିତ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଗଡ଼ରେ ୧୮୩୫ ମସିହା ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ପିତା ଶ୍ୟାମବନ୍ଧୁ ସିଂହ ସାମନ୍ତ ଓ ମାତା ବିଷ୍ଣୁମାଳୀ ଦେବୀଙ୍କର କୋଳ ମଣ୍ଡଳ କରିଥିଲେ ଜ୍ଞାନ ଓ ବିଜ୍ଞାନର ଉଜ୍ଜ୍ବଳ ଜ୍ୟୋତିଷ୍କ, ପ୍ରଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ । ମାଟିରେ ନୂଆ କରି ସଳଖି ଚାଲିବା ବୟସରେ ଅକାଶର ତାରାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସେ । ପୁତ୍ର ପଠାଣିଙ୍କ ବୟସର ଏହି ବ୍ୟତିକ୍ରମକୁ ଦେଖି ପିତା ଶ୍ୟାମବନ୍ଧୁ ସିଂହ ସାମନ୍ତ ତାଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଶିକ୍ଷା ଦେଇଥିଲେ । ବାଳକ ସମୟରେ ହିଁ ଘରେ ଥିବା ଆର୍ଯ୍ୟଭଟ୍ଟ, ବରାହମିହିର ଓ ଭାସ୍କରାଚାର୍ଯ୍ୟଙ୍କ ରଚିତ ଅନେକ ଗ୍ରନ୍ଥ ଓ ସିଦ୍ଧାନ୍ତ ପଢି ତାର ପ୍ରୟୋଗ କରିଥିଲେ ସେ । ମାତ୍ର ୧୫ ବର୍ଷ ବୟସରେ ନିଜସ୍ଵ ଅନୁସନ୍ଧାନରେ ପଠାଣି ସାମନ୍ତ ସ୍ପଷ୍ଟ କରିଥିଲେ ଯେ ପୂର୍ବ ରଚିତ ସିଦ୍ଧାନ୍ତ ଏବଂ ବାସ୍ତବ ଗ୍ରହ ନକ୍ଷତ୍ର ଚାଳନାରେ ଅନେକ ତ୍ରୁଟି ରହିଛି । ସେହି ତ୍ରୁଟି ସବୁକୁ ସଂଶୋଧନ କରି ସେ ଦୀର୍ଘ ୨୦ ବର୍ଷ ସମୟ ନେଇ ରଚନା କରିଥିଲେ ‘ସିଦ୍ଧାନ୍ତ ଦର୍ପଣ’, ଯାହା ଏଯାବତ୍ ଜ୍ୟୋତିଷ ଶାସ୍ତ୍ର ଏବଂ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଏକ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବରେ ସମଗ୍ର ବିଶ୍ଵରେ ଆଦୃତ ହୋଇଛି ।
ଦେଶୀ ଜ୍ଞାନ କୌଶଳରେ ବାଉଁଶ ନଳୀ, କାଠି ଆଦିକୁ ନେଇ ସାଧାରଣ ଦିଶୁଥିବା ଅନେକ ଯନ୍ତ୍ର ପ୍ରସ୍ତୁତ କରିଥିଲେ ପଠାଣି ସାମନ୍ତ । ଆଉ ଏହି ସାଧାରଣ ଯନ୍ତ୍ର ମାଧ୍ୟମରେ ଅନେକ ଅସାଧାରଣ ଗଣନା କରି ବିଶ୍ୱର ଦୃଷ୍ଟିକୁ ଆକର୍ଷିତ କରିଥିଲେ । ନିଜସ୍ଵ ଜ୍ଞାନ ଓ କୌଶଳର ପ୍ରୟୋଗ କରି ସେ ସୂର୍ଯ୍ୟ ଘଡି ପ୍ରସ୍ତୁତ କରିଥିଲେ ଯାହା ମାଧ୍ୟମରେ ସମୟର ସଠିକ ନିରୂପଣ କରିପାରୁଥିଲେ । ସେହିପରି ଭାବରେ ଚକ୍ରଯନ୍ତ୍ର, ଠାପଯନ୍ତ୍ର, ଖଗୋଳ ଯନ୍ତ୍ର ଆଦି ନିର୍ମାଣ କରିଥିଲେ ଯାହାକି ଆଜିବି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରେ । ପାହାଡର ଉଚ୍ଚତା, ଗଛର ଉଚ୍ଚତା ଜାଣିବା ପାଇଁ ଅଥବା ଗ୍ରହ ନକ୍ଷତ୍ର ମାନଙ୍କ ମଧ୍ୟରେ ଦୂରତା ନିରୂପଣ କରିବା ପାଇଁ ସେ ନିର୍ମାଣ କରିଥିଲେ ମାନଯନ୍ତ୍ର । ଇଂରାଜୀ ଅକ୍ଷର ‘ଟି’ ଭଳି ଦିଶୁଥିବା ବାଉଁଶ ନଳୀ ଓ କାଠିରେ ପ୍ରସ୍ତୁତ ଏହି ଯନ୍ତ୍ର ଅତି ସହଜରେ ଓ ସଠିକ୍ ଭାବରେ ଅନେକ ଦୂରରେ ଥିବା ଗ୍ରହ ନକ୍ଷତ୍ର ମାନଙ୍କ ଭିତରେ ଦୂରତାକୁ ମାପି ପାରୁଥିଲା । ପଠାଣି ସାମନ୍ତଙ୍କ ଦ୍ଵାରା ରଚିତ ‘ସିଦ୍ଧାନ୍ତ ଦର୍ପଣ’ ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ ରଚିତ ହୋଇଛି । ସଂସ୍କୃତର ଶ୍ଲୋକ ଓ ଅନେକ ଗାଣିତିକ ସୂତ୍ର ମାଧ୍ୟମରେ କିଭଳି ଭାବରେ ଗ୍ରହ ନକ୍ଷତ୍ରର ଚାଳନା ବିଷୟରେ ଗଣନା କରିହେବ ସେ ସବୁର ଏକ ଅକାଟ୍ୟ ଗ୍ରନ୍ଥ ହେଉଛି ସିଦ୍ଧାନ୍ତ ଦର୍ପଣ ।
ଓଡ଼ିଆ ଜାତିର ଆତ୍ମା ଓ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଞ୍ଜି ପାଇଁ ତତ୍କାଳୀନ ଗଜପତି ଯେତେବେଳେ ଚିନ୍ତିତ ଥିଲେ ସେତେବେଳେ ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ପୁସ୍ତକକୁ ଆଧାର କରି ପଠାଣି ସାମନ୍ତ ପାଞ୍ଜିକା ପ୍ରସ୍ତୁତ କରାଯାଇଥିଲା, ଯାହା ସେ ସମୟରେ ବନାରସରୁ ଆସିଥିବା ବିଶେଷଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ପରେ ମୁକ୍ତି ମଣ୍ଡପର ପଣ୍ଡିତ ମାନଙ୍କ ଦ୍ଵାରା ଆଦୃତ ହୋଇ ଏଯାବତ୍ ଚାଲୁ ଆସୁଛି । ମହାପ୍ରଭୁଙ୍କର ନିକଟରେ ଅନୁଷ୍ଠିତ ହେଉଥିବା ସମସ୍ତ ନୀତିକାନ୍ତିର ତିଥି ଓ ସମୟ ନିର୍ଘଣ୍ଟ ସେହି ପାଞ୍ଜି ଅନୁସାରେ କରାଯାଏ । ଖାସ୍ ସେଥିପାଇଁ ତତ୍କାଳୀନ ଗଜପତି ମହାରାଜା ପଠାଣି ସାମନ୍ତଙ୍କୁ ହରିଚନ୍ଦନ ମହାପାତ୍ର ଉପାଧି ପ୍ରଦାନ କରିଥିଲେ ଓ ପରବର୍ତ୍ତୀ ସମୟରେ ଇଂରେଜ ସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧି ପ୍ରଦାନ କରିଥିଲେ । ସିଦ୍ଧାନ୍ତ ଦର୍ପଣର ଗଣନା ଅନୁସାରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟ ପରାଗ ଭଳି ଅନେକ ମହାଜାଗତିକ ଘଟଣାର ସଠିକ୍ ପୂର୍ବ ଅନୁମାନ କରାଯାଇଥାଏ । ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ଓ ଅନ୍ୟ ଜ୍ଞାନ କୌଶଳ ବିଶ୍ୱର ଅନେକ ପ୍ରଖ୍ୟାତ ବୈଜ୍ଞାନିକ ମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଆଜିବି ବିଶ୍ୱର ଅନେକ ପ୍ରତିଷ୍ଠିତ ବିଶ୍ଵ ବିଦ୍ୟାଳୟରେ ସିଦ୍ଧାନ୍ତ ଦର୍ପଣ ର ସିଦ୍ଧାନ୍ତ ଉପରେ ଅନୁସନ୍ଧାନ ଚାଲିଛି ।
କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିକୁ ଲକ୍ଷ୍ୟକରି ଦରବାର କବିତାରେ ଲେଖିଛନ୍ତି,
‘‘ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ…
ବାସ୍ତବରେ ଓଡିଶା ଜନନୀଙ୍କର ଏହି କୃତବିଦ୍ୟ ସନ୍ତାନ ନିଜ ସ୍ଵକୀୟ ପ୍ରତିଭାରେ ଜ୍ଞାନ, ବିଜ୍ଞାନର ପରିମଣ୍ଡଳକୁ କେବଳ ରୁଦ୍ଧିମନ୍ତ କରିଛନ୍ତି ତାହା ନୁହେଁ ବରଂ ସମଗ୍ର ବିଶ୍ଵବାସୀଙ୍କ ଆଗରେ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ପାଲଟିଛନ୍ତି । ଓଡ଼ିଆ ଅସ୍ମିତାକୁ ନେଇ ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଯତ୍ନଶୀଳ ଅଛନ୍ତି, ଠିକ୍ ସେତିକିବେଳେ ସମଗ୍ର ଓଡିଶାବାସୀ ବିଶେଷ ଭାବରେ ଖଣ୍ଡପଡ଼ାର ଜନସାଧାରଣଙ୍କର ତରଫରୁ ଆମେ ବିନମ୍ର ଭାବରେ ନିବେଦନ କରୁଛୁ ଆମ ମାଟିର ମହାପୁରୁଷ ପଠାଣି ସାମନ୍ତଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ ,ତାହାହିଁ ହେବ ଓଡ଼ିଆ ଅସ୍ମିତାକୁ ପ୍ରକୃତ ସମ୍ମାନ…
ବେଣୁଧର ପ୍ରଧାନ
ଖଣ୍ଡପଡ଼ା